ଧୀରେ ଧୀରେ ଜମୁଛି ପଞ୍ଚାୟତ ନିର୍ବାଚନ ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା) :-କୋଭିଡ କଟକଣା ମଧ୍ୟରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀମାନେ ଏବେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ୱାର୍ଡ଼ ସଭ୍ୟଠାରୁ ଜିଲା ପରିଷଦ ପର୍ଯ୍ୟନ୍ତ ସବୁ ବର୍ଗର ପ୍ରାର୍ଥୀ ଏବେ ଦ୍ୱାର ଦ୍ୱାର ବୁଲି ଭୋଟ ଭିକ୍ଷା ଆରମ୍ଭ କରିଛନ୍ତି । ତେବେ ଅନ୍ୟାନ୍ୟ ପଦ ଅପେକ୍ଷା ଜିଲା ପରିଷଦ ଓ ସମିତି ସଭ୍ୟ ପଦ ନିର୍ବାଚନ ଉପରେ ସବୁ ଦଳର ନେତା ଗୁରୁତ୍ୱ ଦେଉଥିବା ଲକ୍ଷ୍ୟ କରାଯାଇଛି । ଆସନ୍ତା୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ପଞ୍ଚାୟତ ନିର୍ବାଚନ ପ୍ରତ୍ୟେକ ଦଳର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି । ବିଶେଷ କରି କେଉଁ ଦଳ ଜିଲାର କେତେ ଗୋଟି ବ୍ଳକ ଅଧ୍ୟକ୍ଷ ପଦ ଅକ୍ତିଆର କରିବ ଓ କେଉଁ ଦଳ ଜିଲା ପରିଷଦ ସଭାପତି ପଦ ହାତେଇବ, ତାହାକୁ ନେଇ ଦଳୀୟ ନେତାମାନେ ଆରମ୍ଭ କରିଛନ୍ତି ଚର୍ଚ୍ଚା । ଏହି ଦୁଇ ନିର୍ବାଚନ ହିଁ ଆସନ୍ତା ସାଧାରଣ ନିର୍ବାଚନର ସମ୍ଭାବ୍ୟ ଫଳକୁ ପ୍ରତିଫଳନ କରିବ ବୋଲି କୁହାଯାଉଛି ।୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ୩୨ଟି ଜିଲା ପରିଷଦ ଆସନରୁ ବିଜୟୀ ହୋଇ ବାଲେଶ୍ୱର ଜିଲା ପରିଷଦ ଅଧ୍ୟକ୍ଷ ପଦ ଅକ୍ତିଆର କରିଥିବା ବେଳେ୧୨ଟିରେ ବିଜେପି ଓ କଂଗ୍ରେସକୁ ଗୋଟିଲ ଜଲା ପରିଷଦ ସଭ୍ୟ ଆସନ ମିଳିଥିଲା । ଅବଶ୍ୟ ପରେ ଉପ ନିର୍ବାଚନରେ ବିଜେପିକୁ ହରାଇ ବିଜେଡିର ସଂଖ୍ୟା ୩୩ ଛୁଇଁଥିଲା । ସେହିପରି ଜିଲାର ୧୨ଟି ବ୍ଲକରୁ ୬ଟି ବ୍ଳକରେ ବିଜେଡି ସମର୍ôଥତ ସମିତି ସଦସ୍ୟ ଅଧ୍ୟକ୍ଷ ହୋଇଥିଲେ । ୩ଟି ବ୍ଲକରେ କଂଗ୍ରେସ ଓ ୩ଟରେ ବିଜେପି ସମର୍ôଥତ ସମିତି ସଦସ୍ୟ ଅଧ୍ୟକ୍ଷ ହୋଇଥିଲେ । ପରେ ୨୦୧୯ ସାଧାରଣ ନିର୍ବାଚନରେ ବିଧାନସଭା କ୍ଷେତ୍ରମାନଙ୍କରେ ବିଜେଡି ଆଗୁଆ ଥିଲେ ବି ବାଲେଶ୍ୱର ଲୋକସଭା ସାଂସଦ ଆସନ ବିଜେପି ଦଖଲ କରିଥିଲା । ମାତ୍ର ଏବେ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ସାଂଗଠନିକ କ୍ଷେତ୍ରର ଅନ୍ତଃକନ୍ଦଳ ସାଙ୍ଗକୁ ଚଳିତ ନିର୍ବାଚନର ବିଭିନ୍ନ ସ୍ଥାନରେ ଉପନୀତ ବିଦ୍ରୋହୀ ପ୍ରାର୍ଥୀଙ୍କ ଯୋଗୁଁ ସବୁଦଳ ପାଇଁ ଜଟିଳ ସ୍ଥିତି ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ତା’ର ପୂର୍ବ ଗଡ଼କୁ ରକ୍ଷା କରିବାରେ କେତେ ସକ୍ଷମ ହେବ, ବା ବିଜେପି ନିଜ କଳେବରରେ ବୃଦ୍ଧିରେ କେତେ ସଫଳ ହେବ କିମ୍ବା କଂଗ୍ରେସ ନିଜର ପୂର୍ବ ଭୋଟବ୍ୟାଙ୍କ ଫେରାଇ ଆଣିବାରେ କେତେ ସାମର୍ଥ୍ୟ ଜୁଟାଇବ, ତାହା ସମସ୍ତଙ୍କ ପାଇଁ ବିରାଟ ପ୍ରଶ୍ନବାଚୀ ହୋଇଛି । ତେବେ ପୂର୍ବାପେକ୍ଷା ଦଳୀୟ ସାଂଗଠନିକ ସ୍ଥିତି ସୁଦୃଢ଼ ହୋଇ ପାରିଥିବା ଜିଲା କଂଗ୍ରେସ କମିଟି ସଭାପତି ସଞ୍ଜୀବ ଗିରି କହିଛନ୍ତି । ରାଜ୍ୟରେ ବିଜେଡିର ଦୁର୍ନୀତିପୂର୍ଣ୍ଣ ଶାସନ ବ୍ୟବସ୍ଥା ଓ କେନ୍ଦ୍ରର ବିଜେପି ସରକାରଙ୍କ ବିଫଳତାକୁ ନେଇ ସାଧାରଣ ଲୋକେ ପରିବର୍ତ୍ତନ ଚାହିଁଲେଣି । ଏ କ୍ଷେତ୍ରରେ କଂଗ୍ରେସ ଏକମାତ୍ର ବିକଳ୍ପ ଭାବେ ବାଲେଶ୍ୱର ଜିଲାରେ ନିଶ୍ଚୟ ସଫଳତା ପ୍ରଦର୍ଶନ କରିବ ବୋଲି ଶ୍ରୀ ଗିରି ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେହିଭଳି ଜିଲାରେ ତୃଣମୂଳ ସ୍ତରରେ ଦଳୀୟ ସଂଗଠନ ମଜବୁତ ସ୍ଥିତିରେ ପହଞ୍ଚିଥିବା କହିଛନ୍ତି ବିଜେପି ଜିଲା ସଭାପତି ଉମାକାନ୍ତ ମହାପାତ୍ର । ରାଜ୍ୟର ଦୁର୍ନୀତିଗ୍ରସ୍ତ ବିଜେଡି ସରକାରଙ୍କ ଦ୍ୱାରା ଗତ ୟସ ବାତ୍ୟା ସମୟରେ ବିଭିନ୍ନ ପଞ୍ଚାୟତରେ ହୋଇଥିବା ଦୁର୍ନୀତିକୁ ଚଳିତ ନିର୍ବାଚନରେ ଦଳ ଆୟୁଧ କରିବ ବୋଲି ସେ ସୂଚନା ଦେଇଛନ୍ତି । କେନ୍ଦ୍ରର ମୋଦି ସରକାରଙ୍କ ଲୋକାଭିମୁଖୀ ଯୋଜନା ହିଁ ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଅଧିକ ସମର୍ଥନ ଦେବା ସହ ବାଲେଶ୍ୱରରେ ବିଜେପି ଜିଲା ପରିଷଦ ଗଠନ କରିବ ବୋଲି ଶ୍ରୀ ମହାପାତ୍ର ଦୃଢତାର ସହ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଗତ ସବୁ ନିର୍ବାଚନ ଭଳି ବିଜୁ ଜନତା ଦଳ ଏଥର ମଧ୍ୟ ଜିଲା ପରିଷଦ ଗଠନ କରିବ ବୋଲି କହିଛନ୍ତି ଦଳର ଜିଲା ସଭାପତି ରବୀନ୍ଦ୍ର କୁମାର ଜେନା । ଦେଶର ସର୍ବଶ୍ରେଷ୍ଠ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣ ଯୋଜନା ଦଳକୁ ଆଶାତୀତ ସଫଳତା ପ୍ରଦାନ କରିବ ବୋଲି ସେ ମତଦେଇଛନ୍ତି । ବଳିଷ୍ଠ ନେତୃତ୍ୱ ଓ ଜନସାଧାରଣଙ୍କ ମଧ୍ୟରେ ଦଳ ପ୍ରତି ଦେଖାଦେଇଥିବା ଭରସା, ବିଶ୍ୱାସ ଓ ଆଗ୍ରହକୁ ପାଥେୟ କରି ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଅଧିକ ସଫଳତା ପ୍ରଦର୍ଶନ କରିବ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିଛନ୍ତି । ତେବେ କରୋନା ପାଇଁ ସବୁ ଦଳ ୨ ବର୍ଷ ହେଲା ଜନ ସମ୍ପର୍କର୍ ରକ୍ଷାରେ ବିଫଳ ହେବା ସାଙ୍ଗକୁ ସାଂଗଠନିକ କ୍ଷେତ୍ରରେ ନାନା ସମସ୍ୟା ସାମ୍ନା କରି ଆସୁଛି । ଏହା ବ୍ୟତୀତ କୋଭିଡ କଟକଣା ପାଇଁ ଏଥର ନିର୍ବାଚନ ପ୍ରଚାରର ଢଙ୍ଗ ଶୈଳୀ ମଧ୍ୟ ବଦଳିଯାଇଛି । ସବୁଠାରୁ ବଡ଼କଥା ହେଲା ଦଳୀୟ କନ୍ଦଳ ଓ ଅସନ୍ତୁଷ୍ଟ ସମାନ୍ତରାଳ ପ୍ରାର୍ଥୀ ସବୁଦଳ ପାଇଁ ବିପଦ ଭାବେ ଉଭା ହୋଇଛନ୍ତିି । ଏଭଳି ସ୍ଥିତିରେ କେଉଁ ଦଳର ପ୍ରଦର୍ଶନ କେତେ ସଫଳ ରହିବ, ତାହାକୁ ଅନାଇଛନ୍ତି ସମସ୍ତେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ