ବୃତ୍ତି ପରୀକ୍ଷାରେ ଶାରଦା ବିଦ୍ୟାର୍ଥୀଙ୍କ ସଫଳତା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଶିକ୍ଷା ବର୍ଷ ୨୦୨୦-୨୧ ପଞ୍ଚମ ଶ୍ରେଣୀ ଓ ତୃତୀୟ ଶ୍ରେଣୀର ମେଧା ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ତୃତୀୟ ଶ୍ରେଣୀ ପାଇଁ ମେଧା ତାଲିକାରେ ସାତ ଜଣ ଛାତ୍ର ଛାତ୍ରୀ ଥିବାବେଳେ ଦାରିଦ୍ର୍ୟ ବୃତ୍ତି ତାଲିକାରେ ସାତ ଜଣ ଛାତ୍ରଛାତ୍ରୀ ସ୍ଥାନ ପାଇଛନ୍ତି । ତୃତୀୟ ମେଧା ତାଲିକାରେ ଶାରଦା ବିଦ୍ୟାମନ୍ଦିର ର ଛାତ୍ରୀ ତୃପ୍ତିମୟୀ ଭାରତୀ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏହି ଶ୍ରେଣୀ ପାଇଁ ମେଧା ତାଲିକାରେ ଶାରଦା ର ଛାତ୍ରୀ ଅନ୍ୱେଷା ଜୟସ୍ମିତ ଚତୁର୍ଥ ସ୍ଥାନ ଅଧିକାର କରିଥିବା ବେଳେ ଦାରିଦ୍ର୍ୟ ମେଧା ତାଲିକାରେ ଚିନ୍ମୟ କୁମାର ପରିଡ଼ା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ପଞ୍ଚମ ଶ୍ରେଣୀ ପାଇଁ ଉଭୟ ମେଧା ଓ ଦାରିଦ୍ର୍ୟ ତାଲିକାରେ ସାତ ସାତ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସୂଚନା ଯୋଗ୍ୟ ଯେ ଶାରଦା ବିଦ୍ୟାମନ୍ଦିରର ତିନି ଜଣ ଛାତ୍ର ପଞ୍ଚମ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ପଞ୍ଚମ ମେଧା ତାଲିକାରେ ଶାରଦା ବିଦ୍ୟାମନ୍ଦିରର ଛାତ୍ର ସୌମ୍ୟରଞ୍ଜନ କର ଓ ଓମ୍ ପ୍ରକାଶ ଦାଶ ଯଥାକ୍ରମେ ୨ୟ ଓ ୩ୟ ସ୍ଥାନ ଦଖଲ କରିଛନ୍ତି । ସେହିପରି ଏହି ବିଦ୍ୟାଳୟର ଛାତ୍ର ଅର୍ଣ୍ଣଭ କୁମାର ସେନାପତି ସପ୍ତମ ସ୍ଥାନରେ ଅଛନ୍ତି । ବିଦ୍ୟାଳୟର ଏହି ସଫଳତା ସମସ୍ତ ଅଭିଭାବକ , ଛାତ୍ରଛାତ୍ରୀ ଓ ଗୁରୁଜୀ ଗୁରୁମାଙ୍କ ପାଇଁ ଏକ ସ୍ମରଣୀୟ ସଫଳତା ଭାବେ ବିବେଚିତ ହୋଇଛି । ବିଦ୍ୟାଳୟର ପ୍ରଧାନ ଗୁରୁଜୀ କୃତି ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।


