କାଳିଆ ଯୋଜନାରେ ଫର୍ମ ଗ୍ରହଣ କରିବାକୁ ନେଇ ଉତ୍ତେଜନା
ହାଟଡିହି, (ବିକାଶ ବିଶ୍ୱାଳ) :-ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଦ୍ଧି ଲାଗିରହିଥିବା ବେଳେ ଜଣେ କୃଷି କର୍ମଚାରୀ ହିତାଧିକାରୀଙ୍କ ଠାରୁ କାଳିଆ ଯୋଜନାର ଆବେଦନ ଫର୍ମ ଗ୍ରହଣ କରି ହଟହଟା ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଜଣେ ଗ୍ରାମ୍ୟ କୃଷି କର୍ମଚାରୀ ଆଜି ଶାଳଣିଆଁ ଅଞ୍ଚଳରେ କିଛି ହିତାଧିକାରୀଙ୍କ ଠାରୁ କାଳିଆ ଯୋଜନାରେ ସାମିଲ କରାଇ ଦେବାକୁ ଆବେଦନ ପତ୍ର ଆଣୁଥିବାବେଳେ ବିଜେପି କର୍ମୀମାନେ ଏହାର ବିରୋଧ କରିଥିଲେ । ଆଚରଣ ବିଦ୍ଧି ଲାଗୁଥିବା ସମୟରେ ଏପରି କାଳିଆ ଯୋଜନା ଆବେଦନ ଫର୍ମ ଗ୍ରହଣ କରିବାକୁ କିଏ ନିର୍ଦ୍ଦେଶ ଦେଲା ବୋଲି କହି ପାଟିକରିବାରୁ କୃଷି କର୍ମଚାରୀ ଜଣକ ଆମ ଉଚ୍ଚ କର୍ତ୍ତୁପକ୍ଷଙ୍କ ନିର୍ଦ୍ଦେଶରେ କରୁଛୁ କହି ଅତି ତରବରରେ ସେ ସ୍ଥାନ ଛାଡି ଚାଲି ଯାଇଥିଲେ । ଖବର ପାଇବାପରେ ବିଜେପି ନେତା ଆଲୋକ ସେଠୀ, ହରମୋହନ ଶାସିନି, ଯୁଦ୍ଧିଷ୍ଠିର ମଲ୍ଲିକ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ମଧୁସୁଦନ ରାଉତ ପ୍ରମୁଖ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ସହକାରୀ କୃଷି ଅଧିକାରୀ ଚନ୍ଦ୍ର ମୋହନ ପାତ୍ର ଓ ସୁମିତ ସେଠୀଙ୍କୁ ଏବାବଦରେ ପଚାରିବାରୁ ସେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ଫଳରେ ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ପରେ କୃଷି ଅଧିକାରୀ ଉକ୍ତ କୃଷି କର୍ମଚାରୀଙ୍କୁ ପଚାରି ବୁଝିବାପରେ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ବିଜେପି ନେତା ଆଲୋକ ସେଠୀ କହିଛନ୍ତି । ଏ ସମ୍ପର୍କରେ ବ୍ଲକ ସହକାରୀ କୃଷି ଅଧିକାରୀ ଚନ୍ଦ୍ର ମୋହନ ପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ଯେ କିଛି ଲୋକ କାଳିଆ ଯୋଜନାରୁ ବାଦ ପଡିଯାଇଛନ୍ତି । ତେଣୁ ସେମାନଙ୍କ ଠାରୁ ନୁତନ ଫର୍ମ ସଂଗ୍ରହ ସହ ଆବଶ୍ୟକ କାଗଜପତ୍ର ସଂଗ୍ରହ କରାଯାଉଛି । କିନ୍ତୁ ଅନ୍ୟ ବ୍ଲକରେ ହେଉଥିବାବେଳେ ଆମ ବ୍ଲକରେ ଏହାକୁ ନିର୍ବାଚନ ପାଇଁ ବନ୍ଦ ରଖିଛୁ । ସଂପୃକ୍ତ କୃଷି କର୍ମଚାରୀ କଣ କହିଛନ୍ତି ତାହା ଆମେ ଜାଣିନୁ । ତାଙ୍କଠାରୁ ଘଟଣା ସମ୍ପର୍କରେ ଜାଣିବାପରେ ଯାହା ପଦକ୍ଷେପ ନେବୁ ବୋଲି କହିଛନ୍ତି ।


