ପମ୍ପଘରେ ମଦ ଗୋଦାମ କୁ ନେଇ ଉତ୍ତେଜନା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :-ନିର୍ବାଚନ ଚାଲିଥିବା ବେଳେ ଚୋରା ମଦ ବେପାର ବି ଜୋର ଧରିଛି। ଗାଁ ଗାଁରେ ମଦ ମାଂସ ଆସର। ଗତ କାଲି ସାନଖେମୁଣ୍ଡି ବ୍ଲକ କଲରାପଦର ପଂଚାୟତର ମାଟିଆବୋରେଇ ଗାଁରେ ଲୋକଙ୍କ ଅଭିଯୋଗ ପରେ ପାଟପୁର ପୋଲିସ ଜବତ କରିଛି ବସ୍ତା ବସ୍ତା ମଦ। ନିର୍ବାଚନକୁ ନେଇ ଗାଁର ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ମଦ ଆଣି ବସୁଧା ପମ୍ପ ହାଉସରେ ରଖିଥିବା ଜାଣିବାକୁ ପାଇଲେ ଗାଁ ଲୋକେ । ଏହା ପରେ ପମ୍ପ ଘରେ ତାଲା ପକାଇ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ଓ ପୋଲିସକୁ ଖବର ଦେଇଥିଲେ।ପୋଲିସ ପ୍ରଶାସନ ଜଣାଇ ଗାଁବାସୀ ଘେରାଉ କରି ବସି ରହିଥିଲେ ହେଁ କେହି ଆସିନଥିଲେ । ତେବେ ପ୍ରବଳ ଥଣ୍ଡାରେ ଗ୍ରାମବାସୀ ସେମିତି ସେହି ପମ୍ପ ଗୃହକୁ ଜଗିବସିଥିବା ସୂଚନା ପାଇ ଶେଷରେ ପୋଲିସ, ପ୍ରଶାସନ ପହଂଚି ସେଠାରୁ ମଦ ଜବତ କରିଥିଲା । ତେବେ ଏହି ସରକାରୀ ପମ୍ପ ହାଉସ ଭିତରେ କିଏ ମଦ ରଖିଥିଲା, ତାହା ବିରୋଧରେ ଲୋକେ ଅଭିଯୋଗ ଦେଇଥିବା ବେଳେ ପୋଲିସ, ବ୍ଲକ ପ୍ରଶାସନ ଏତେ ବିଳମ୍ବରେ କାହିଁକି ପହଁଚିଲେ ତାକୁ ନେଇ ଲୋକେ ପ୍ରଶ୍ନ କରିଥିବା ବେଳେ । ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ତାହା ଦେଖିବାକୁ ବାକି ରହିଲା।ଏ ନେଇ ପାଟପୁର ପୋଲିସ କେଶ ନଂ ୫୨/୨୨ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଜବତ ମଦ ର ପରିମାଣ ୩୦୦ ଲିଟର।୧୫ ଟି ଅଖା ରେ ଦେଶୀ ମଦ ପ୍ୟାକେଟ ପାଉଚ ରହିଥିଲା । ଜବତ ବେଳେ ପାଟପୁର ଆଇଆଇସି ସବ୍ୟସାଚୀ ମଲ୍ଲ, ଏସଆଇ ଟୁନା ପିଡ଼ିକା, ମିଲନ ପ୍ରଧାନ, ସାନଖେମୁଣ୍ଡି ବିଡିଓ ଗାୟତ୍ରୀ ଦତ୍ତ ନାୟକ ଉପସ୍ଥିତ ଥିଲେ ।