ସମାଜବାଦୀ ପାର୍ଟିର ଗଣବିକ୍ଷୋଭ ଓ ସ୍ମାରକ ପତ୍ର ପ୍ରଦାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ପ୍ରସ୍ତାବିତ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ବିରୋଧ କରି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଆଜି ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ନିୟାମଗ ଆୟୋଗ (ଓ.ଇ.ଆର.ସି.) ଅଫିସ୍ ସମ୍ମୁଖରେ ଏକ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଗତ ୧୫ ତାରିଖ ଠାରୁ ଓ.ଇ.ଆର.ସି. ପକ୍ଷରୁ ବିଭିନ୍ନ ବିଜୁଳି କମ୍ପାନୀମାନଙ୍କର ଜନଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଆଜି ଗ୍ରୀଡ୍‌କୋ ପକ୍ଷରୁ ଓ.ଇ.ଆର.ସି. ସମ୍ମୁଖରେ ବିଦ୍ୟୁତ୍ ଶୁଳ୍କକୁ ୨୯୬.୨୦ ପଇସାରୁ ୩୮୩.୨୧ ପଇସାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ରଖାଯାଇ ଜନଶୁଣାଣି କରାଯାଇଥିଲା । ଗ୍ରୀଡ୍‌କୋର ଏହି ଜନବିରୋଧୀ ଜନଶୁଣାଣି ବିରୁଦ୍ଧରେ ସମାଜବାଦୀ ପାର୍ଟି ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ସହିତ ଆଗାମୀ ଦିନରେ ଟାଟା ଜନଶୁଣାଣିକୁ ମଧ୍ୟ ବିରୋଧ କରାଯିବ ବୋଲି ପାର୍ଟି ପକ୍ଷରୁ ଘୋଷଣା କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଶତାଧିକ ଦଳୀୟ କର୍ମୀ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ବନ୍ଦ କର, ଟ୍ରାନ୍ସମିଶନ କ୍ଷତିକୁ ଗ୍ରାହକଙ୍କ ଉପରେ ଲଦିଦେବା ଚଳିବ ନାହିଁ, ବିପିଏଲ୍ ପରିବାରକୁ ୩୦୦ ୟୁନିଟ୍ ବିଜୁଳି ଛାଡ଼ ଆମର ଦାବି, ବିଜୁଳି କମ୍ପାନୀର ବାର୍ଷିକ ଆୟ ବ୍ୟୟ ଉପରେ ଶ୍ୱେତପତ୍ର ପ୍ରକାଶ ଆମର ଦାବି ଆଦି ସ୍ଲୋଗାନ ଦିଆଯାଇ ଏକ ଶୋଭାଯାତ୍ରା ଓ.ଇ.ଆର.ସି ଅଫିସ୍ ସମ୍ମୁଖରେ ପହଞ୍ôଚ ଆୟୋଗର ସମ୍ପାଦକଙ୍କ ଜରିଆରେ କାର୍ଯ୍ୟକାରୀ ଅଧ୍ୟକ୍ଷଙ୍କୁ ଏକ ସ୍ମାରପତ୍ର ପ୍ରଦାନ କରାଯାଇଛି । ଯଦି ଏହି ଗଣବିକ୍ଷୋଭକୁ ବେଖାତିର କରି ଓଇଆରସି କର୍ତ୍ତୃପକ୍ଷ ଏବଂ ରାଜ୍ୟ ସରକାର ବିଦ୍ୟୁତ୍ ଶୁଳ୍କ ବୃଦ୍ଧି କରନ୍ତି, ତେବେ ରାଜ୍ୟସ୍ତର ଠାରୁ ଆରମ୍ଭ କରି ଗାଁ ଗଣ୍ଡା ପର୍ଯ୍ୟନ୍ତ ଏହା ବିରୁଦ୍ଧରେ ଗଣଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଘୋଷଣା କରାଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ କି, ୧୯୯୪-୯୫ ମସିହାରେ, ଆଜିକୁ ୨୭ବର୍ଷ ତଳେ ଓଡ଼ିଶାରେ ବିଦ୍ୟୁତ୍ ସଂସ୍କାର / ବିଦ୍ୟୁତ୍‌ର ଘରୋଇକରଣ ଆରମ୍ଭ ହୋଇଥିଲା । ସେତେବେଳେ ରାଜ୍ୟବାସୀଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା କି, ଏହି ସଂସ୍କାର ଫଳରେ ରାଜ୍ୟବାସୀ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଗୁଣାତ୍ମକ ବିଜୁଳି ସେବା ପାଇପାରିବେ । ବିଦ୍ୟୁତ୍ ସରବରାହ ଜନିତ କ୍ଷତି / ବିଦ୍ୟୁତ୍ ଚୋରି ରୋକାଯାଇ ପାରିଲେ ଶହ ଶହ କୋଟି ଟଙ୍କାର ରାଜସ୍ୱ ବଞ୍ଚାଯାଇ ପାରିବ । କିନ୍ତୁ ଦୁଃଖ ଓ କ୍ଷୋଭର ବିଷୟ, ବିଦ୍ୟୁତ୍ ସଂସ୍କାର ହେବାର ୨୭ ବର୍ଷ ପରେ ମଧ୍ୟ ପ୍ରତିବର୍ଷ ବିଜୁଳି ମହଙ୍ଗା ହେବାରେ ଲାଗିଛି । ବିଦ୍ୟୁତ୍ ସେବା ନିରବଚ୍ଛିନ୍ନ ଓ ଗୁଣାତ୍ମକ ହେବା ପରିବର୍ତ୍ତେ ଅଘୋଷିତ ବିଜୁଳି କାଟ ଓ ମିଞ୍ଜି ମିଞ୍ଜି ଆଲୁଅ ଯୋଗୁ ବିଦ୍ୟୁତ୍ ସେବା ବ୍ୟାହାତ ହେଉଛି । ରାଜ୍ୟର ଗ୍ରାମାଞ୍ଚଳ କଥା ନକହିବା ଭଲ, ଭାରତର ୧ ନମ୍ବର ସ୍ମାର୍ଟସିଟି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଘନ ଘନ ବିଜୁଳି କାଟ ହେଉଛି । ମିଟର ବଦଳାଇବା ନାମରେ ଟାଟା କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଶୋଷଣ କରାଯାଉଛି । ସରବରାହ ଜନିତ କ୍ଷତିକୁ ଭରଣା କରିବା ପାଇଁ ବିଦ୍ୟୁତ୍ କମ୍ପାନୀମାନେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିର ବୋଝକୁ ରାଜ୍ୟବାସୀଙ୍କ ଉପରେ କ୍ରମାଗତ ଭାବରେ ପ୍ରତିବର୍ଷ ଲଦି ଚାଲିଛନ୍ତି । ତେଣୁ ଏଭଳି ଏକ ପରିସ୍ଥିତି ଭିତର ଦେଇ ଓଡ଼ିଶା ଗତି କରୁଥିବା ବେଳେ ବିଦ୍ୟୁତ୍ ଆବଣ୍ଟନ କ୍ଷେତ୍ରରେ ପାଦ ଦେଇଥିବା କମ୍ପାନୀମାନେ ବିଜୁଳି କ୍ଷତି ନ କମାଇ, ଭିତ୍ତିଭୂମିର ବିକାଶରେ ଟଙ୍କାଟିଏ ଖର୍ଚ୍ଚ ନକରି ନିଜର ଚୋରି ରୋକିବାର ବ୍ୟର୍ଥତା, ଅପରାଗତା ଓ ଦୁର୍ନୀତି ଯୋଗୁ ସମ୍ମୁଖୀନ ହେଉଥିବା କ୍ଷତିକୁ ରାଜ୍ୟର ୯୨ଲକ୍ଷ ବିଦ୍ୟୁତ୍ ଉପଭୋକ୍ତାଙ୍କ ମୁଣ୍ଡ ଉପରେ ଲଦି ଦେଉଛନ୍ତି । ଓଡ଼ିଶା ପଛରେ ଯେଉଁ ବିଦ୍ୟୁତ୍ ସଂସ୍କାର ଗ୍ରହଣ କରିଥିବା ରାଜ୍ୟମାନେ ତାଙ୍କର ସରବରାହ ଜନିତ କ୍ଷତି (ଟ୍ରାନ୍ସମିଶନ ଲସ୍‌)କୁ ଶତକଡ଼ା ୧୫ ତଳକୁ କମାଇ ଦେଇଛନ୍ତି । କିନ୍ତୁ ଓଡ଼ିଶାରେ ଆଜି ଟ୍ରାନ୍ସମିଶନ ଲସ୍ ୨୮.୭୫ ବା ୨୯ ପ୍ରତିଶତରେ ରହିଛି । ୧ ପ୍ରତିଶତ ଏହି କ୍ଷତିକୁ ଆମେ ଯଦି କମାଇ ଦେଇପାରନ୍ତେ, ତେବେ ବର୍ଷକୁ ୭୫ରୁ ୮୦ କୋଟି ଟଙ୍କା ରାଜସ୍ୱ ସଞ୍ଚୟ କରିପାରନ୍ତେ । କିନ୍ତୁ ତାହା ନକରି ନିଜ ଅପରାଗତାକୁ ଲୁଚାଇବା ପାଇଁ ଆମେ ଉପଭୋକ୍ତାଙ୍କ ଉପରକୁ ଏହି କ୍ଷତିକୁ ଠେଲିଦେଉଛେ ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନବିରୋଧୀ । ସମଗ୍ର ବିଶ୍ୱ କରୋନା ସଂକ୍ରମଣ ଯୋଗୁ ଜୀବନ ଜୀବିକା ସଙ୍କଟ ଭିତରେ ଗତି କରୁଥିବା ବେଳେ ଓ.ଇ.ଆର.ସି. କର୍ତ୍ତୃପକ୍ଷ ଓ ବିଜୁଳି କମ୍ପାନୀମାନେ ନିଜର ମାନବିକତାକୁ ବଳି ଦେଇ ବିଗତ ଆର୍ଥିକ ବର୍ଷରେ ୟୁନିଟ୍ ପିଛା ବିଦ୍ୟୁତ୍ ଶୁଳ୍କ ଦୁଇଥରରେ ୫୦ ପଇସା ବୃଦ୍ଧି କରିଛନ୍ତି । ଫଳରେ ସର୍ବନିମ୍ନ ୨.୫୦ ପଇସା ୟୁନିଟ୍ ପିଛା ଥିବା ବିଜୁଳି ଆଜି ମହଙ୍ଗା ହୋଇ ୟୁନିଟ୍ ପିଛା ୩ ଟଙ୍କାରେ ବିକ୍ରି ହେଉଛି । ଓଡ଼ିଶା ଭଳି ଏକ ବିଦ୍ୟୁତ୍ ବଳକା ରାଜ୍ୟରେ ବିଜୁଳି ଶକ୍ତି ମହଙ୍ଗା ହେବା କେବଳ ଜନବିରୋଧୀ ନୁହେଁ, ଏହା ଅଗଣତାନ୍ତ୍ରିକ ମଧ୍ୟ । ଏହି ପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ବିଦ୍ୟୁତ୍ କମ୍ପାନୀମାନେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ପାଇଁ ଯେଉଁ ଆବେଦନ କରିଛନ୍ତି, ତାହାକୁ ବିରୋଧ କରିବା ସଙ୍ଗେ ସଙ୍ଗେ ସେମାନଙ୍କର ଦରଖାସ୍ତକୁ ବିଚାରକୁ ନନେଇ ତୁରନ୍ତ ଖାରଜ କରିବାକୁ ଦାବି କରାଯାଇଛି । ଏହି ଗଣବିକ୍ଷୋଭରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ସଞ୍ଜୟ ନାୟକ, ବରିଷ୍ଠ ନେତା ବିଜୟ ବେହେରା, ହୃଷିକେଶ ଷଡ଼ଙ୍ଗୀ, ବିଶ୍ୱଜିତ ମଲ୍ଲିକ, ସୌମ୍ୟରଞ୍ଜନ ଦାସ, ସଞ୍ଜୟ କୁମାର ପ୍ରଧାନ, ସୁରେନ୍ଦ୍ର ସୋରେନ ପ୍ରମୁଖ ଯୁବନେତାମାନେ ଅଂଶଗ୍ରହଣ କରି ଆଗାମୀ ଦିନରେ ବିକ୍ଷୋଭ ଜୋରଦାର ହେବ ବୋଲି ଓଇଆରସି କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ