ବାଜିଲା ପୌର ନିର୍ବାଚନ ବିଗୁଲ୍‌ : ବଢିଲା ରାଜନୈତିକ ଉଷ୍ମତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ପୌର ନିର୍ବାଚନ ବିଗୁଲ୍ ବାଜିଛି । ମାର୍ଚ୍ଚ ୨୪ ତାରିଖ ଦିନ ଭୋଟ୍ ଗ୍ରହଣ ପାଇଁ ନିର୍ବାଚନ କମିଶନ ସମୟ ଧାର୍ଯ୍ୟ କରିଛନ୍ତି । ଫଳାଫଳ ୨୬ ତାରିଖରେ ପ୍ରକାଶ ପାଇବ । ଗଜପତି ଜିଲ୍ଲାରେ ଗୋଟିଏ ପୌରପରିଷଦ ଏବଂ ଗୋଟିଏ ଏନ୍‌ଏସି ରହିଛି । କେବେ ପୌରପରିଷଦ, ବିଜ୍ଞାପିତ ପରିଷଦ ଅଞ୍ଚଳ ଓ ମହାନଗର ନିର୍ବାଚନ ନିଗମ ଗୁଡିକ ପାଇଁ ନିର୍ବାଚନ ହେବ ବୋଲି ଯେଉଁ ଉତ୍ସୁକତା ଥିଲା ତାର ଅବସାନ ଘଟିଛି । ଏଥର ପ୍ରଥମ କରି ପୌର ପରିଷଦ ଓ ଏନ୍‌ଏସିରେ ଅଧ୍ୟକ୍ଷ ଆସନ ସକାଶେ ପ୍ରତ୍ୟକ୍ଷ ନିର୍ବାଚନ ହେବାକୁ ଥିବା ଯୋଗୁଁ ବହୁ ରାଜନୈତିକ ବ୍ୟକ୍ତି ଆଶାୟୀ ଅଛନ୍ତି । ସ୍ୱାଧୀନ ଭାବେ ବି ବହୁ ପ୍ରାର୍ଥୀ ଲଢିବା ସକାଶେ ମାନସିକ ପ୍ରସ୍ତୁତ ଥିବା ବ୍ୟକ୍ତି ବିଶେଷମାନେ ଉଭୟ ପାରଳାଖେମୁଣ୍ଡି ଓ ପୌରପରିଷଦ ଓ କାଶୀନଗର ଏନ୍‌ଏସିରେ ସକ୍ରିୟ ହୋଇ ପଡିଥିବା ଜଣାପଡିଛି । ବଜାର ହାଟ, ରାସ୍ତାଘାଟରେ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ତେବେ ପୂର୍ବରୁ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ସଂରକ୍ଷଣ ତାଲିକା ଅନୁଯାୟୀ ଏଥର କାଶୀନଗର ଏନ୍‌ଏସିରେ ଜଣେ ଅଧ୍ୟକ୍ଷାଙ୍କୁ ଏବଂ ପାରଳାଖେମୁଣ୍ଡି ପୌରପରିଷଦରେ ଏସ୍‌ସି ଅଧ୍ୟକ୍ଷାଙ୍କ ପାଇଁ ସଂରକ୍ଷଣ ହୋଇଛି । ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ପୌରପାଳିକା ଓ କାଶିନଗର ବିଜ୍ଞାପିତ ଅଞ୍ଚଳଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି । ଏନେଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ -୧ ଠାରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ପୌର ନିର୍ବାଚନଓ ବିଜ୍ଞପିତ ଅଞ୍ଚଳ ପରିଷଦ ନେଇ ପ୍ରକାଶ ପାଇଁଥିବା ବେଳେ ଗଜପତି ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି l ଗଜପତି ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡା ପୌରପାଳିକାର ଚୂଡାନ୍ତ ଭୋଟର ତାଲିକା ଏବଂ ସିଡି ମାଧ୍ୟମରେ ଭୋଟର ତାଲିକା ଉନ୍ମୋଚନ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ପୌର ନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମାଝୀ, କାଶୀନଗର ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ଓସମସ୍ତ ରାଜନୈତିକ ଦଳର ପ୍ରତିନିଧମାନେ ମଧ୍ୟ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ