ପୋଖରୀକୁ ଗାଧେଇବାକୁ ଯାଇ ବୃଦ୍ଧା ମୃତ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଥାନା ଅନ୍ତର୍ଗତ କୁମାରବେଗପଲ୍ଲୀ ଗ୍ରାମରେ ପୋଖରୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କୁମାରବେଗପଲ୍ଲୀ ଗ୍ରାମର ମନ୍ଦ ଦାସ (୭୦) । ସେ ଆଜି ପୂର୍ବାହ୍ନରେ ଗ୍ରାମ ନିକଟରେ ଗାଡିଆ ବନ୍ଧକୁ ଗାଧେଇବାକୁ ଯାଇଥିବା ବେଳେ ହଠାତ୍ ତାଙ୍କ ଗୋଡ ଖସି ଯାଇଥିଲା । ଫଳରେ ସେ ପାଣି ଭିତରେ ବୁଡିଯାଇଥିଲେ । ଏହା ଦେଖି ଗ୍ରାମବାସୀ ମାନେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଖବର ପାଇ ଛତ୍ରପୁର ଥାନା ପକ୍ଷରୁ ୫/୨୨ ରେ ଏକ ଅପମୃତ୍ୟୁ ମାମଲା ରଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ମନ୍ଦ ଦାସ ଜଣେ ଗରୀବ ଶ୍ରେଣୀର ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସାହାର୍ଯ୍ୟ ପ୍ରଦାନ କରିବା ନିମନ୍ତେ ପୂର୍ବତନ ସରପଂଚ ପଦିଆ ଦାସ ଓ ଯୁବ ନେତା ମୋହନ ଦାସଙ୍କ ସମେତ ବହୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।


