ପାରଳା ପୌରପାଳିକା ନିର୍ବାଚନ-୨୦୨୨ : ଏଥର ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ସମ୍ଭାବନା
ପାରଳାଖମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପାଳିକା ନିର୍ବାଚନ-୨୦୨୨ରେ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ସମ୍ଭାବନା ରହିଛି । ଚଳିତ ମାସ ୨୪ତାରିଖରେ ହେବାକୁ ଥିବା ପୌରନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ନାମାଙ୍କନ ପତ୍ର ଦାଖଲ, ନାମାଙ୍କ ପତ୍ର ଯାଞ୍ଚ ଆଦି ସମାପ୍ତ ହୋଇଯାଇଥିବା ବେଳେ ଆଜି ଠାରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏପରି ୧୪ତାରିଖରେ ଏହି ପ୍ରକ୍ରିୟା ସମାପ୍ତ ହେବ । ହେଲେ ମୁଖ୍ୟତଃ ୩ଗୋଟି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସର ଅଧ୍ୟକ୍ଷା ପ୍ରାର୍ଥୀନୀ ମାନେ ଦୃଢ ଆତ୍ମବିଶ୍ୱାସର ସହ ନିର୍ବାଚନ ଜିତିବା ଲକ୍ଷ୍ୟରେ ରହିଛନ୍ତି । ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟାରେ ସମସ୍ତଙ୍କ ପ୍ରାର୍ଥୀପତ୍ର କାଏମ ରହିଥିବାରୁ ଏକ ପ୍ରକାର ନିର୍ବାଚନ ପ୍ରଚାର ବା ଉଷ୍ମତା ବୃଦ୍ଧିପାଇଛି । ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଏକତରଫା ବିଜୟୀ ହାସଲ ପରେ ଏବେ ପାରଳାଖେମୁଣ୍ଡି ପୌରପାଳିକାରେ ଦଖଲ କରିବା ପାଇଁ ତୃଣମୂଳସ୍ତରରେ କର୍ମୀଯୋଗାଡ ଠାରୁ ସ୍ଥାନୀୟ ନେତାମାନଙ୍କୁ ଏକାଠି କରି ଚାଲିଛି । ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକଙ୍କ ନେତୃବୃନ୍ଦ ଏଥିଲାଗି ଦିନରାତି ଏକ କରି କ୍ଷମତା ଦଖଲ ପାଇଁ ଭୋଟରଙ୍କୁ କିଭଳି ଆପଣାଇପାରିବେ ସେ ନେଇ ପଦକ୍ଷେପମାନ ଆରମ୍ଭ କରିଦେଇଛନ୍ତି । ସେହିଭଳି ଡ.ତିରୁପତି ପାଣିଗ୍ରାହୀଙ୍କ ଟିମ୍ ବିଜେଡି ପାଇଁ ରାଜନୈତିକ ରଣନୀତୀ ପ୍ରସ୍ତୁତ କରିଚାଲିଛନ୍ତି । ଏଭଳି ପରିସ୍ଥିତିକୁ ଦେଖିଲେ ପାରଳାଖେମୁଣ୍ଡି ପୌରପରିଷଦ ନିର୍ବାଚନରେ ବିଜେଡିର ପଲ୍ଲାଭାରି ରହିବ ବୋଲି ଆକଳନ କରାଯାଉଛି । ଏହାସହ ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ଜଣେ ଉଚ୍ଚଶିକ୍ଷିତା ମହିଳା ସହ ମେଳାପୀ ବ୍ୟକ୍ତିତ୍ୱ ତାଙ୍କୁ ସୁହାଇବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ଅନ୍ୟପଟେ ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମଧ୍ୟ ନିର୍ବାଚନ ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି । ସହରାଞ୍ଚଳରେ ବିଜେପିର ଦବ୍ଦବା ରହିଥିବା ବେଳେ ଶ୍ରୀ ରାଓଙ୍କ ବହୁ ସଂଖ୍ୟକ ସମର୍ଥକ ମଧ୍ୟ ରହିଛନ୍ତି । ଏପରି ରଣନୀତି ଆପଣାଇ ବିଜେପି ଅଧ୍ୟକ୍ଷା ପ୍ରାର୍ଥିନୀ ମାମିଡି ରାଜେଶ୍ୱରୀ ଜିତିବା ଆଶା ରଖିଛନ୍ତି । ସେହିପରି କଂଗ୍ରେସ ଦଳ ପୂର୍ବତନ କାଉନସିଲର ଖଗେଶ୍ୱରୀ ବେହେରାଙ୍କୁ ପ୍ରାର୍ଥିନୀ କରି ନିର୍ବାଚନ ଜିତିବାର ଲକ୍ଷ୍ୟରେ ରହିଛି । ହେଲେ ଦଳୀୟ ନେତୃବୃନ୍ଦଙ୍କ ଦେଖା ନାହିଁ । ତେବେ ଖଗେଶ୍ୱରୀ ସମାଜସେବା ଠାରୁ ଆରମ୍ଭ କରି କାଉନସିଲର ପଦବୀର ଅଭିଜ୍ଞତା ରହିଛି । ଏତଦ୍ ବ୍ୟତୀତ କଂଗ୍ରେସର ବହୁ ପକେଟ ଭୋଟର ରହିଛନ୍ତି । ଏପରି ହିସାବ କିତାବ କରି ନିର୍ବାଚନ ବଇତୋରଣୀ ପାରହେବା ଲକ୍ଷ୍ୟ ରଖିଛନ୍ତି ଖଗେଶ୍ୱରୀ । ଦିନେ ପାରଳାଖେମୁଣ୍ଡି ପୌରପରିଷଦ କଂଗ୍ରେସର ଦୁର୍ଗ ଭାବେ ପରିଚିତ ଥିଲା । ୧୯୮୦ ମସିହାରୁ ପ୍ରାୟ ୨୦ବର୍ଷ ଧରି କଂଗ୍ରେସ ଅକ୍ତିଆରରେ ରହିଥିବା ବେଳେ ଥରେ ବିଜେପି-ବିଜେଡି ମେଣ୍ଟ ଓ ଥରେ ବିଜେଡି ଶାସନ କରିଥିଲା । ଶେଷ ପୌରପରିଷଦ ନିର୍ବାଚନ ୨୦୧୩ରେ କଂଗ୍ରେସ କାଉନସିଲ ଗଠନ କରିଥିଲା । ହେଲେ କଂଗ୍ରେସର ଛାମୁଆ ନେତାଙ୍କ ଦଳ ପରିବର୍ତ୍ତନ କରି ବିଜେଡିରେ ଯୋଗଦାନ ସହ ଜିଲ୍ଲାରେ ବିଜେଡିର ବିସ୍ତାରକୁ ଦେଖିଲେ ଟକ୍କର ଦେଇପାରିବ କି ନାହିଁ ନିହାତି କାଠିକର ପାଠ ହେବ । ସେପଟେ ବିଜେପିର ମଧ୍ୟ ଛାମୁଆ ନେତାମାନେ ଦଳପ୍ରତି ଆନ୍ତରିକତା ଦେଖାଉ ନାହାନ୍ତି ବୋଲି ରାଜନୈତିକ ବିଶେଷଜ୍ଞ ମାନେ କହିଛନ୍ତି । ତେବେ ୩ଦଳର ଏପରି ପରିସଂଖ୍ୟନ ମଧ୍ୟରେ ରହିଥିବା ବେଳେ ଭୋଟର କାହାକୁ ମୁକୁଟ ପିନ୍ଧାଇ ରାଜନୈତିକ ସମୀକରଣ ବଦଳାଇବେ ତାହା ସମୟହିଁ କହିବ ।


