ଧାନ କିଣିବା ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା) : ଟୋକେନ୍ ଆସିଥିବା ଚାଷୀଙ୍କ ଧାନ ତୁରନ୍ତ କିଣିବା ଦାବୀ ନେଇ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଛତ୍ରପୁର, ଖଲ୍ଲିକୋ. ଗଞ୍ଜାମ ଓ ବେଗୁନିଆପଡା ବ୍ଲକର ବହୁ ଚାଷୀ ସୋମବାର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଭେଟି ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି । ଏହା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମଧ୍ୟ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ଚଳିତ ବର୍ଷ ଜିଲ୍ଲାର ୧ ଲକ୍ଷ ୨୨ ହଜାର ୪୮୦ ଜଣ ଚାଷୀ ଧାନ କିଣିବା ପାଇଁ ପଞ୍ଜୀକରଣ କରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୫ ହଜାର ଚାଷୀଙ୍କର ଧାନ କିଣାଯାଇନାହିଁ । ସେଥି ମଧ୍ୟରୁ ୧୦ ହଜାର ଚାଷୀଙ୍କ ଟୋକେନ୍ ର ଅବଧି ମଧ୍ୟ ଶେଷ ହେବାକୁ ବସିଲାଣି । ଆସନ୍ତା ୧୭ ତାରିଖରେ ବଳକା ଥିବା ଚାଷୀ ମାନଙ୍କ ଟୋକେନ୍ ର ଅବଧି ଶେଷ ହୋଇଯିବ । ଚାଷୀ ମାନେ ଦୀର୍ଘ ୩ ମାସ ଧରି ଅମଳ କରିଥିବା ଧାନ ବିକ୍ରି ନ କରିପାରି ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି ବୋଲି ଏହି ଦାବି ପତ୍ର ରେ ସେମାନେ ଦର୍ଶାଇଛନ୍ତି । ସେହିପରି ଧାନ ବିକ୍ରି କରିଥିବା ପ୍ରାୟ ୫ ହଜାରରୁ ଅଧିକ ଚାଷୀ ଏପର୍ଯ୍ୟନ୍ତ ସେମାନଙ୍କ ଟଙ୍କା ପାଇନାହାନ୍ତି । ଶହ ଶହ ଚାଷୀ ତାଙ୍କ ଧାନ ନିଜେ ଗାଡି ଭଡା କରି କେତେକ ମିଲ୍ ରେ ୨ ମାସ ହେଲା ଦେଇଛନ୍ତି, ହେଲେ ତାଙ୍କର ଟୋକେନର ଅବଧି ସରିଯାଇଥିବା କହି ତାଙ୍କୁ ଧାନ ଟଙ୍କା ନ ଦେଇ ହଇରାଣ କରାଯାଉଥିବା ସେମାନେ ଏହି ଦାବି ପତ୍ର ରେ ଦର୍ଶାଇଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ସିମାଞ୍ଚଳ ନାହାକଙ୍କ ସମେତ ଚାଷୀ କେଦାର ପ୍ରଧାନ, ବିଦ୍ୟାଧର ପ୍ରଧାନ, ଜୟନ୍ତି ପଲେଇ, ରାଜେନ୍ଦ୍ର ମହାନ୍ତି, ସୁରେଶ ସାହୁ, ଦିଲ୍ଲୀପ କୁମାର ସାହୁ, କାମେଶ୍ୱର ସାହୁ ଓ ସୁରେନ୍ଦ୍ର ସାହୁଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ