ହତ୍ୟା ଅଭିଯୁକ୍ତଙ୍କୁ ଜିଲ୍ଲାଜଜଙ୍କ ଆଜୀବନ କାରାଦଣ୍ଡାଦେଶ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ଏକ ହତ୍ୟା ମାମଲାର ବିଚାର କରି ଦୋଷୀକୁ ଆଜୀବନ କରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏଥିସହିତ ୧୦ହଜାର ଟଙ୍କା ଜୋରିମାନାରେ ମଧ୍ୟ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ ନିକିରାଇ ଥାନା ଅନ୍ତର୍ଗତ ପଳସିଂହା ପଞ୍ଚାୟତର ମିର୍ଜାପୁର ଗ୍ରାମର ଶ୍ରୀକାନ୍ତ ସ୍ୱାଇଁଙ୍କ ପତ୍ନୀ ମୀତା ସ୍ୱାଇଁ ଗତ ୨୦୧୪ ମସିହା ଫେବୃୟାରୀମାସ ୨୮ ତାରିଖ ବିଳମ୍ବିତ ରାତିରେ ଉଠି ପରିସ୍ରା କରିବାକୁ ଘର ବାହରକୁ ଯାଇଥିଲେ । ସେ ପରିସ୍ରା କରୁଥିବା ବେଳେ ସେହି ଗ୍ରାମର ରଙ୍ଗାଧର ବିଶ୍ୱାଳ ତାଙ୍କୁ ମାଡିବସି ଅସଦାଚରଣ କରିବାରେ ମୀତା ପାଟି କରିଥିଲେ । ଫଳରେ ମୀତାଙ୍କ ସ୍ୱାମୀ ଶ୍ରୀକାନ୍ତ ଉଠିପଡି ସେଠାକୁ ଆସି ଘଟଣାର ପ୍ରତିବାଦ କରିଥିଲେ । ଶ୍ରୀକାନ୍ତ ଏଥିରେ ଉତକ୍ଷିପ୍ତ ହୋଇ ଏକ ଭୂଜାଲିରେ ଶ୍ରୀକାନ୍ତଙ୍କୁ ଗୋଟିଏ ପରେ ଗୋଟିଏ ଚୋଟ ମାରିଥିଲେ । ଶ୍ରୀକାନ୍ତଙ୍କୁ ଗୁରୁତ୍ତର ଅବସ୍ଥାରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଶ୍ରୀକାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ଏସମ୍ପର୍କରେ ନିକିରାଇ ଥାନାରେ ଅଭିଯୋଗକ୍ରମେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ରଙ୍ଗାଧରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଭିଯୋଗଫର୍ଦ୍ଦ କୋର୍ଟରେ ଦାଖଲ କରିଥିଲା । ଏସ.ଟି. କେଶ ନମ୍ବର -୧୮୬/୨୦୧୪ରେ ଏହି ମାମଲାର ବିଚାର କରି କେନ୍ଦ୍ରାପଡା ଜିଲ୍ଲା ଦୈାରାଜଜ ଗୋପାଳ ଚନ୍ଦ୍ର ବେହେରା ଭାରତୀୟ ଦଣ୍ଡବିଧି ଆଇନର ୩୨୪, ୩୫୪, ୫୦୬ ଓ ୩୦୨ ଦଫାରେ ଅଭିଯୁକ୍ତ ରଙ୍ଗାଧର ବିଶ୍ୱାଳଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ୧୦ ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ଏକବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ପକ୍ଷରୁ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ମାନସରଞ୍ଜନ ବେହେରା କୋର୍ଟରେ ଏହି ମାମଲାର ପରିଚାଳନା କରୁଥିଲେ ।