ବିଜେପି ପକ୍ଷରୁ ୧ ନଂ ୱାର୍ଡ଼ରେ ନିର୍ବାଚନୀ ପ୍ରଚାର
ବାଲେଶ୍ୱର, (ସରୋଜ ପଣ୍ଡା) :ଚଳିତ ପୌର ନିର୍ବାଚନ ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଦଳୀୟ ପୌରାଧ୍ୟକ୍ଷା ପ୍ରାର୍ଥୀନୀ ରଶ୍ମିରେଖା ଦେବ ଓ ୧ ନଂ ୱାର୍ଡ଼ର କାଉନସିଲର ପ୍ରାର୍ଥୀନୀ ସସ୍ମିତା ନାଥଙ୍କ ସମର୍ଥନରେ ବିଶାଳ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଗତ ଉପ ନିର୍ବାଚନରେ ବିଜୁ ଜନତା ଦଳ ସହରବାସୀଙ୍କୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏବେ ମିଥ୍ୟା ବୋଲି ପ୍ରମାଣିତ ହୋଇଥିବା ଶ୍ରୀ ଦତ୍ତ କହିଛନ୍ତି । ସରକାରୀ କଳ ବଳ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରି ନିର୍ବାଚନ ହାତେଇବାକୁ ଶାସକ ବିଜେଡି ଅପପ୍ରୟାସ ଜାରି ରଖିଛି ଓ ଚଳିତ ପୌର ନିର୍ବାଚନରେ ଜନତା ଏହାର ଉଚିତ ଜବାବ ଦେବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ଏକମାତ୍ର ବିକଳ୍ପ ଭାବେ ବିଜେପିର ପୌରାଧ୍ୟକ୍ଷା ପ୍ରାର୍ଥିନୀଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଶ୍ରୀ ଦତ୍ତ ନିବଦେନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୱାର୍ଡ ସଭାପତି ଦିଲୀପ ତରେଇ, ଉପ ସଭାପତି ଭାଗ୍ୟରଞ୍ଜନ ନାୟକ, ପୂର୍ବତନ କାଉନସିଲର ଅଜିତ ମିଶ୍ର, ବରିଷ୍ଠ ନେତା ମନ୍ମଥ ପାତ୍ର, ଦିଲୀପ ମାଝୀ, ଆଶିଷ ମିଶ୍ର, ଦେବେନ୍ଦ୍ର ମାଝୀ, ମିହିର ମାଝୀ, ଜାନକୀ ମାହାର୍ଣ୍ଣା, ସୁକାନ୍ତି ମାଝୀ ପ୍ରମୁଖ ଏହି ପଦଯାତ୍ରା ଓ ନିର୍ବାଚନୀ ସଭାରେ ଉପସ୍ଥିତ ଥିଲେ ।


