ବୋଝ ଉପରେ ନଳିତା ବିଡ଼ା : ସମାଜବାଦୀ ପାର୍ଟି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସରକାରଙ୍କର ଭୁଲ୍ ଅର୍ଥନୀତି ଯୋଗୁ ଖାଉଟିଙ୍କ ଉପରେ ଦରଦାମ୍‌ର ବୋଝ ଦିନକୁ ଦିନ ବଢିଚାଲିଛି । ବଜାରରେ ଅଟା, ଡ଼ାଲି, ଚାଉଳ, ଖାଇବା ତେଲ, ଚିନି ଓ ମଇଦା ପ୍ରଭୃତି ଖାଦ୍ୟ ପଦାର୍ଥର ଦାମ୍ ଦିନକୁ ଦିନ ବୃଦ୍ଧି ପାଉଥିଲା ବେଳେ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ହୁ ହୁ ହୋଇ ବଢୁଛି । ବଜାର ଦର ବଢିଚାଲିଥିଲା ବେଳେ ପେଟ୍ରୋଲ, ଡ଼ିଜେଲର ଦର ବୃଦ୍ଧି ଏହାକୁ ଆହୁରି ପ୍ରଭାବିତ କରିବ ଏବଂ ଏହାର ପରୋକ୍ଷ ପ୍ରଭାବ ପରିବହନ ଉପରେ ପଡ଼ିବା ଫଳରେ ଅତ୍ୟାବଶ୍ୟକ ସମାଗ୍ରୀର ପରିବହନ ଖର୍ଚ୍ଚ ଆହୁରି ବଢିଯିବ । ଫଳରେ ଏହା ଦରଦାମ୍‌କୁ ମଧ୍ୟ ପ୍ରଭାବିତ କରିବ । ସେହିଭଳି ରନ୍ଧନ ଗ୍ୟାସ୍‌ର ଦାମ ଅକ୍ଟୋବର ୬ ତାରିଖ ପରେ ୫୦ ଟଙ୍କା ବଢି ଆଜି ଭୁବନେଶ୍ୱରରେ ୯୭୬ ଟଙ୍କା ୫୦ ପଇସାରେ ପହଞ୍ôଚଛି । ଏହା କେନ୍ଦ୍ର ସରକାରଙ୍କର ରୋଷେଇଘର ଉପରେ ସିଧାସଳଖ ଆକ୍ରମଣ ବୋଲି ସମାଜବାଦୀ ପାର୍ଟି ରାଜ୍ୟ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏହି ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନଗ୍ୟାସ୍ ଦର ବୃଦ୍ଧିକୁ ବୋଝ ଉପରେ ନଳିତା ବିଡ଼ା ସଦୃଶ ବୋଲି ଅଭିହିତ କରିବା ସହିତ ଏହା କେନ୍ଦ୍ର ସରକାରଙ୍କ କଣ ଦେଶବାସୀଙ୍କ ହୋଲି ଉପହାର ବୋଲି ଶ୍ରୀ ବେହେରା ପ୍ରଶ୍ନ କରିଛନ୍ତି । ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପୂର୍ବରୁ ଭାରତବର୍ଷକୁ ଯେଉଁ ଆଚ୍ଛାଦିନର ସ୍ୱପ୍ନ ଦେଖାଇଥିଲେ, ଖାଉଟି ସାମଗ୍ରୀ ସମେତ ପେଟ୍ରୋଲ, ଡ଼ିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର ବୃଦ୍ଧି କଣ ‘ନୂଆ ଭାରତ’ର ‘ଆଚ୍ଛାଦିନ’? ବୋଲି ଶ୍ରୀ ବେହେରା ପ୍ରଶ୍ନ କରିବା ସହିତ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି । ସମସ୍ତ ବିରୋଧୀ ଦଳ ଦରଦାମ ଓ ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ସେ ଆହ୍ୱାନ କରିଛନ୍ତି । ଆଜି ଯେତେବେଳେ ଆମେ ଡକ୍ଟର ରାମ ମନୋହର ଲୋହିଆଙ୍କର ୧୧୨ତମ ଜୟନ୍ତୀ ପାଳନ କରିବାକୁ ଯାଉଛେ ‘ଦାମ୍ ବାନ୍ଧୋ’ ଥିଲା ଡଃ ରାମ ମନୋହର ଲୋହିଆଙ୍କର ଜନ ଆନ୍ଦୋଳନର ଏକ ପ୍ରମୁଖ ଅଂଶ । ତେଣୁ ଦରଦାମ୍ ଆନ୍ଦୋଳନକୁ ସାଧାରଣ ଖାଉଟିର ସୁରକ୍ଷାକୁ ସକ୍ରିୟ କରିବା ହିଁ ହେବ ଡ଼ଃ ଲୋହିଆଙ୍କ ପ୍ରତି ତାଙ୍କ ୧୧୨ତମ ଜନ୍ମଜୟନ୍ତୀରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ