୨ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ
ନୂଆଦିଲ୍ଲୀ(ଏଜେନ୍ସି): ଚଳିତ ଲୋକସଭା ନିର୍ବାଚନରେ ହେଉଥିବା ବେଧଡକ ଅର୍ଥ କାରବାର ଓ ରାଜନୈତିକ ଦଳଗୁଡିକ ପକ୍ଷରୁ ହେଉଥିବା ଖର୍ଚ୍ଚ ପରିମାଣ ଉପରେ ସତର୍କ ଦୃଷ୍ଟି ରଖିବା ଲକ୍ଷ୍ୟରେ ନିର୍ବାଚନ କମିଶନ ଆଜି ଆୟକର ବିଭାଗର ୨ଜଣ ଅବସରପ୍ରାପ୍ତ ଅଧିକାରୀଙ୍କୁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଏହି ଦୁଇ ଅଧିକାରୀ ହେଉଛନ୍ତି ଗୋପାଳ ମୁଖାର୍ଜୀ ଏବଂ ଡି. ଡି. ଗୋୟଲ । କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ, ୧୯୮ଠ ବ୍ୟାଚର ରାଜସ୍ୱ ଅଧିକାରୀ ଗୋପାଳ ମୁଖାର୍ଜୀଙ୍କୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଏବଂ ୧୯୮୨ ବ୍ୟାଚ୍ର ରାଜସ୍ୱ ଅଧିକାରୀ ଡି. ଡି. ଗୋୟଲଙ୍କୁ ଅରୁଣାଚଳ ପ୍ରଦେଶ ଓ ନାଗାଲାଣ୍ଡର ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ଉଭୟ ମୁଖାର୍ଜୀ ଓ ଗୋୟଲଙ୍କର ଆୟକର ବିଭାଗ ଦ୍ୱାରା ଟିକସ ଠକେଇ ମାମଲାରେ ଚଢ଼ାଉ କରିବା ଏବଂ ଖାନତଲାସୀ କରିବା କ୍ଷେତ୍ରରେ ପର୍ଯ୍ୟାପ୍ତ ଅଭିଜ୍ଞତା ରହିଥିବା କମିଶନ କହିଛନ୍ତି । ପୂର୍ବରୁ କମିଶନ ଶୈଳେନ୍ଦ୍ର ହାଣ୍ଡା ଏବଂ ମଧୁ ମହାଜନଙ୍କୁ ଗୁଜୁରାଟ ଓ କର୍ଣ୍ଣାଟକ ପାଇଁ ସ୍ୱତନ୍ତ୍ର ଖର୍ଚ୍ଚ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଥିଲେ । ନିର୍ବାଚନ କମିଶନଙ୍କ ଏହି ନିଷ୍ପତ୍ତି ପରେ ଦେଶରେ ଚାଲିଥିବା ଅର୍ଥକାରବାର (ନିର୍ବାଚନୀ ଖର୍ଚ୍ଚ) ଉପରେ ଅଙ୍କୁଶ ଲାଗିବ ବୋଲଇ ଅନୁମାନ କରାଯାଉଛି ।


