‘ଆମ ପରମ୍ପରା ଟ୍ରଷ୍ଟ’ଓ ରୋଟାରୀ କ୍ଲବ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ‘ଆମ ପରମ୍ପରା ଟ୍ରଷ୍ଟ’ ଓ ରୋଟାରୀ କ୍ଲବର ମିଳିତ ସହଯୋଗରେ ଏକ ନିଃଶୁଳ୍କ ଚକ୍ଷୁ ପରୀକ୍ଷା ଶିବିର ଶ୍ରୀକୋଣା ପଞ୍ଚାୟତର ଖଣ୍ଡକାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ କମଳ ଲୋଚନ ସାହୁ ଓ ଆମ ପରମ୍ପରା ଟ୍ରଷ୍ଟର ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ହରେକୃଷ୍ଣ ଦାଶ ଏହି ଶିବିରକୁ ମିଳିତ ଭାବେ ଉଦଘାଟନ କରିଥିଲେ । ଏହି ଶିବିର ଶ୍ରୀକୋଣା ସମେତ ଆଖପାଖ ପଞ୍ଚାୟତର ଚକ୍ଷୁରୋଗୀଙ୍କ ପାଇଁ ବେଶ ଉପାଦେୟ ହେବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ଆମ ପରମ୍ପରା ଟ୍ରଷ୍ଟର ସଭାପତି ବିକର୍ତ୍ତନ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ସମ୍ପାଦକ ମୁରଲୀଧର ନାୟକ, ସଦର ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନ, ମନ୍ମଥ ମିଶ୍ର, ହରିହର ନାୟକ, ଡ. ବିଥିକା ପଟ୍ଟନାୟକ, ସୁରେଶ ଚନ୍ଦ୍ର ଜେନା ପ୍ରମୁଖ ଏଥିରେ ଯୋଗଦେଇ ଶିବିର ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା ସହ ସଫଳତା କାମନା କରିଥିଲେ । ରୋଟାରୀ କ୍ଲବ ସମ୍ପାଦକ ପଦାରବିନ୍ଦ ମହାପାତ୍ର ସଂଗଠନର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ଆମ ପରମ୍ପରା ଟ୍ରଷ୍ଟର ସଭ୍ୟା ସତ୍ୟଭାମା ମୁଦୁଲି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅମରେନ୍ଦ୍ର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭ୍ୟ ମହେନ୍ଦ୍ର ବେହେରା, ଚନ୍ଦ୍ରକାନ୍ତ ବେହେରା, ବିଜୟଲକ୍ଷ୍ମୀ ମିଶ୍ର, ରଣଜିତ ପରିଡ଼ା, କାଞ୍ଜମଣି ସ୍ୱାଇଁ, ଲୋକନାଥ ପିରି, କଳ୍ପନା ନାୟକଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟି ଏହି ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ । ଏହି ଶିବିରରେ ୯୦ରୁ ଊର୍ଦ୍ଧ୍ୱ ଚକ୍ଷୁରୋଗୀଙ୍କ ଆଖି ପରୀକ୍ଷା କରାଯାଇଥିଲା । ତନ୍ମଧ୍ୟରୁ ଚିହ୍ନଟ ୧୫ଜଣ ମୋତିଆ ବିନ୍ଦୁ ରୋଗୀଙ୍କ ନିକଟ ଭବିଷ୍ୟତରେ ନିଃଶୁଳ୍କ ଅସ୍ତ୍ରୋପଚାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି ।


