ମାସିକ ଅଧିବେଶନରେ ଗ୍ରାମ ଉନ୍ନୟନ ଆଲୋଚନା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ଚଳିତ ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ ହେଲା ପରେ ପଞ୍ଚାୟତରେ ମାସିକ ଅଧିବେଶନ ଅନୁଷ୍ଠିତ ହୋଇଛି।ସ୍ଥାନୀୟ ବ୍ଲକ ରାଳବ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବୁଧବାର ଅନୁଷ୍ଠିତ ପଞ୍ଚାୟତ ମାସିକ ଅଧିବେଶନରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚିତ ହୋଇଛି।ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁଶାନ୍ତ କୁମାର ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ନୂବ ନିର୍ବାଚିତ ସରପଞ୍ଚ ରଶ୍ମିତା ପ୍ରଧାନ ସଭାପତିତ୍ୱ କରିଥିଲେ। ଅନ୍ୟତମ ଅତିଥି ଭାବେ ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ,ଆୟୁର୍ବେଦିକ ଚିକିତ୍ସକ ଡ. ପ୍ରଦୀପ କୁମାର ପାତ୍ର, କନିଷ୍ଠ ଯନ୍ତ୍ରୀ ଡଃ ହର୍ଷ ମାଧବ କର ପ୍ରମୁଖ ଉପସ୍ଥିତ ଥିଲେ।କେନ୍ଦ୍ର ଅର୍ଥ ଆୟୋଗ ଓ ରାଜ୍ୟ ଅର୍ଥ ଆୟୋଗ ଅନୁଦାନ ଅର୍ଥରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ, କୃଷି, ସ୍ୱାସ୍ଥ୍ୟ,ଶିକ୍ଷା,ବର୍ଜ୍ୟବସ୍ତୁ ସୁପରିଚାଳନା ଓ ଗ୍ରାମ୍ୟ ପାନୀୟ ଜଳଯୋଗାଣ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚିତ ହୋଇଥିଲା।ମୁଖ୍ୟତଃ ଏକ ଆଦର୍ଶ ପଞ୍ଚାୟତ ଗଠନ ଦିଗରେ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାକୁ ତୃଣ ମୂଳ ସ୍ତରରେ କ୍ରିୟାଶୀଳ କରିବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଥିଲା।ଏହି ଅବସରରେ ପଞ୍ଚାୟତରେ ବିକାଶ ଓ ଲୋକଙ୍କ ଅଭାବ ଅସୁବିଧା ସମାଧାନ କରିବା ନିମନ୍ତେ ନବ ନିର୍ବାଚିତ ସରପଞ୍ଚ ବିଭାଗୀୟ ଅଧିକାରୀ ଓ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା,ଅଙ୍ଗନବାଡି, ଜିଆରଏସ,ସେମ, ଗାଁ ସାଥି, ଶିକ୍ଷକ ଓ ସ୍ୱାସ୍ଥ୍ୟ କର୍ମୀ ଅଂଶ ଗ୍ରହଣ କରିଥିଲେ ।