ସରକାରୀ ଅନୁଦାନ ନିମନ୍ତେ ଅସ୍ଥାୟୀ କର୍ମଚାରୀଙ୍କ ଦାବିପତ୍ର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀରେ ଅବସ୍ଥିତ ଥିବା ହିଞ୍ଜିଳିକାଟୁ ବିଜ୍ଞାନ ମହାବିଦ୍ୟାଳୟ(ସ୍ୱୟଂ ଶାସିତ)ରେ ଗତ ୨୨ ବର୍ଷ ତୃତୀୟ ଓ ଚତୁର୍ଥ ଶ୍ରେଣୀରେ ଅନ୍ତର୍ଭୁକ୍ତ ଥିବା ଶିକ୍ଷକ ଓ ଅଣଶିକ୍ଷକ ଭିନ୍ନ ଭିନ୍ନ ପଦବୀରେ ନିୟୋଜିତ ରହି ନିରବିଛିନ୍ନ ଭାବେ ସମସ୍ତ ଦାୟିତ୍ୱ ସମ୍ପାଦନ କରି ଆସୁଛନ୍ତି।କିନ୍ତୁ ଓଡିଶା ସରକାରଙ୍କ ବିଭିନ୍ନ ଅନୁଦାନ ନିୟମ ୨୦୦୪,୨୦୦୯ ଓ ୨୦୧୪ ସରକାରୀ ଆଦେଶ ଅନୁସାରେ ସେମାନଙ୍କ କୌଣସି ପଦବୀ ସରକାରୀ ସ୍ତରରେ ମଞ୍ଜୁର ହୋଇ ପାରୁନାହିଁ।ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ୱାରା ମିଳୁଥିବା ସ୍ୱଳ୍ପ ବେତନରେ ସେମାନେ ଜୀବିକା ନିର୍ବାହ କରି ଆସୁଛନ୍ତି।ଇତି ମଧ୍ୟରେ ସରକାରୀ ଅନୁଦାନକୁ ଚାହିଁ ସମ୍ପୃକ୍ତ ମହାବିଦ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଗନ୍ନାଥ ପଣ୍ଡିତ ଦହନୀୟ ଅବସ୍ଥାରେ ଚିକିତ୍ସା ଅଭାବରୁ ମଧ୍ୟ ମୃତ୍ୟୁବରଣ କରି ସାରିଲେଣି।ଏହି ପରିପ୍ରେକ୍ଷୀରେ ୨୦୧୪ ସରକାରୀ ଆଦେଶକୁ ଆଧାର କରି ସମ୍ପୃକ୍ତ ମହାବିଦ୍ୟାଳୟରେ କାର୍ଯ୍ୟରତ ୪୮ ଜଣ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପକ୍ଷରୁ ଗୁରୁବାର ଏକ ଦାବିପତ୍ର ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।ସେମାନେ ଅଧ୍ୟକ୍ଷଙ୍କ ଜରିଆରେ ସ୍ଵାକ୍ଷର ସମ୍ବଳିତ ଏହି ଦାବିପତ୍ର ସ୍ଥାନୀୟ ତହସିଲଦାର ପ୍ରଭାତ କୁମାର ପରିଡା,ବିଡିଓ ସୁବ୍ରତ କୁମାର ଜେନା ଓ ପୌର ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁଙ୍କୁ ପ୍ରଦାନ କରିଛନ୍ତି । ଏନେଇ ସେମାନେ ଗଞ୍ଜାମ ଜିଲ୍ଲାପାଳ,ବିଭାଗୀୟ ମନ୍ତ୍ରୀ, ଶିକ୍ଷ ସଚିବଙ୍କ ସମେତ ୫ଟି ସଚିବଙ୍କୁ ଦାବିପତ୍ର ପ୍ରେରଣ କରି ଏଥିପ୍ରତି ଦୃଷ୍ଟି ଦେବା ପାଇଁ ନିବେଦନ କରିଥିବା ଜଣାପଡ଼ିଛି ।