ବିଜେଡିରେ ଆରମ୍ଭ ହୋଇଯାଇଛି ରାଜ୍ୟସଭା ରେସ୍ : କିଏ ଯିବେ ରାଜ୍ୟସଭା ?

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ବିଜେଡିରେ ଆରମ୍ଭ ହୋଇଯାଇଛି ରାଜ୍ୟସଭା ରେସ୍ । ଆସନ୍ତା ଜୁଲାଇରେ ସରୁଛି ସସ୍ମିତ ପାତ୍ର, ପ୍ରସନ୍ନ ଆଚାର୍ଯ୍ୟ ଓ ଏନ ଭାସ୍କର ରାଓଙ୍କ କାର୍ଯ୍ୟକାଳ। ଖାଲି ହେବ ଓଡିଶାର ୩ଟି ରାଜ୍ୟସଭା ଆସନ । ତାହା ସହିତ କଟକ ମେୟର ଭାବେ ନିର୍ବାଚିତ ହୋଇଥିବା ସୁବାସ ସିଂଙ୍କ ଆସନ ବି ଖାଲି ହେବାକୁ ଯାଉଛି।ତେବେ ଏହି ୪ଟି ଆସନ ଲାଗି କିଏ ଯିବେ ରାଜ୍ୟସଭା ? କାହାକୁ ବାଛିବେ ବିଜେଡି ସୁପ୍ରିମୋ। କିଏ ହେବ ନବୀନଙ୍କ ଭରସା ଯୋଗ୍ୟ ନେତା? ତାକୁ ନେଇ କିଛି ଦିନ ହେବ ପାଓ୍ବାର କରିଡରରେ ଚାଲିଛି ନାନା କଳ୍ପନା ଜଳ୍ପନା ? ସଂଖ୍ୟା ଦୃଷ୍ଟିରୁ ବିଜେଡି ଖାତାକୁ ୩ଟି ଆସନ ଯିବା ସୁନିଶ୍ଚିତ । ତେବେ ଚତୁର୍ଥ ଆସନ ପାଇଁ ଆବଶ୍ୟକ ହେଉଥିବା ୩୭ ଖଣ୍ଡ ଭୋଟକୁ ଶାସକ ଦଳ ପ୍ରଥମ ଓ ଦ୍ଵିତୀୟ ପସନ୍ଦ ଭୋଟର ସାହାର ହାତେଇପାରେ । ସେପଟେ ଦିନକୁ ଦିନ ବିଜେଡି ଭିତରେ ଆଶାୟୀଙ୍କ ସଂଖ୍ୟା ଲମ୍ବୁଥିବାରୁ ୪ ରାଜ୍ୟସଭା ଆସନ ଲାଗି କେଉଁମାନେ ଦାବିଦାର ତାକୁ ନେଇ ସୃଷ୍ଟି ହୋଇଛି ସସପେନ୍ସ। ନେତାଙ୍କ ଭିତରେ ଚାଲିଲାଣି ଛକା ପଞ୍ଝା । ଅସନ୍ତୁଷ୍ଟ ଓ ଆମଦାନୀ ନେତା, ସରକାରୀ ଅଧିକାରୀ, ଶିଳ୍ପଦ୍ୟୋଗୀ ଏବଂ ସିନେ ତାରକା ପାଓ୍ବାର କରିଡରେ ଆରମ୍ଭ କରି ଦେଇଛନ୍ତି ଜୋରଦାର ଲବି । ତେବେ ଗୋଟିଏ ଆସନ ଅର୍ଥାତ ସୁବାସ ସିଂଙ୍କ ସ୍ଥାନରେ ସସ୍ମୀତ ପାତ୍ର ରିପିଟ୍ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ଏହା ପରେ ଆଉ ତିନି ଆସନ ପାଇଁ କଂଗ୍ରେସ କ୍ୟାମ୍ପ ଛାଡି ବିଜେଡିରେ ମିଶିଥିବା ପ୍ରଦୀପ ମାଝୀ, ସୁବ୍ରତ ବାଗଚିଙ୍କ ପତ୍ନୀ ସୁସ୍ମୀତା ବାଗଚି, ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର, କଳିକେଶ ସିଂ ଦେଓ, ପୁସ୍ପେନ୍ଦ୍ର ସିଂ ଦେଓ, ସିନେ ତାରକା ଅରିନ୍ଦମ ଦାସ, ବର୍ଷା ପ୍ରିୟଦର୍ଶନୀଙ୍କ ସମେତ ଜଣେ ଶିଳ୍ପଦ୍ୟୋଗୀଙ୍କ ନାଁ ବି ବେଶ ଚର୍ଚ୍ଚା ହେଉଛି ।ସେହିଭଳି ପୂର୍ବରୁ ଭୁବନେଶ୍ବରର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇସାରିବା ପରେ ବି ତାଙ୍କୁ ନିରାଶ ହେବାକୁ ପଡିଥିଲା । ତେଣୁ ହାଇକମାଣ୍ଡ ଏଥର ତାଙ୍କ ପ୍ରତିଶ୍ରୁତି ରଖିବେ କି ନାହିଁ ଏହାକୁ ନେଇ ଆରମ୍ଭ ହୋଇ ଯାଇଛି ଚର୍ଚ୍ଚା । ଏହା ଭିତରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛନ୍ତି ସିନେ ତାରକା ବର୍ଷା ପ୍ରୀୟଦର୍ଶନୀ । ଚର୍ଚ୍ଚା ହେଉଛି ବାଳୁଙ୍ଗା ଟୋକା ଅର୍ଥାତ ଅନୁଭବ ମହାନ୍ତିଙ୍କ ପ୍ରସଙ୍ଗ ଦଳର ମହିଳା ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଉଛି ଏବଂ ଅନୁଭବଙ୍କର ବି ଲୋକପ୍ରିୟତା କମିବାରେ ଲାଗିଛି । ଆଉ ବିଜେଡି ବାଳୁଙ୍ଗା ଟୋକାଙ୍କୁ ଯେତିକି ବ୍ୟବହାର କରିବା କଥା ସେତିକି କରି ବି ସାରିଛି । ତେଣୁ ବିଜେଡିରେ ଆଉ ବାଳୁଙ୍ଗା ଟୋକାଙ୍କର କୌଣସି ଆବଶ୍ୟକତା ନାହିଁ । ତେଣୁ ବର୍ଷାଙ୍କୁ ସାମ୍ନାକୁ ଆଣି ଅନୁଭବଙ୍କୁ ନେଇ ମହିଳା ମାମଲାରେ ଭାବମୂର୍ତ୍ତି ହାନିକୁ ପୁରାଣ କରିବାକୁ ଚେଷ୍ଟା କରିପାରେ। ଦଳ ତରଫରୁ ଏହା ଭିତରେ ଅପରାଜିତାଙ୍କ ଟୁଇଟକୁ କାଉଣ୍ଟର ପାଇଁ ବର୍ଷାଙ୍କୁ ବ୍ୟବହାର କରାଯାଇଥିବା ଚର୍ଚ୍ଚା ହେଉଛି। ତେବେ ବିଜେଡି କହିଛି କିଏ ଯିବ କିଏ ଯିବ ନାହିଁ ତାହା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ସିଟ କମ୍ ଆଶାୟୀ ଅନେକ । ତେବେ ବିଜେଡି ସୁପ୍ରିମୋ ଅସନ୍ତୁଷ୍ଟ ଆଶାୟୀଙ୍କୁ ପ୍ରାର୍ଥୀ କରୁଛନ୍ତି ନା ପୁଣି କେଉଁ ନୂଆ ଚେହେରାକୁ ବାଛୁଛନ୍ତି ତାହା ସମୟ ହିଁ କହିବ । କିନ୍ତୁ ବିଜେଡିର ପୂର୍ବ ଇତିହାସକୁ ଦେଖିଲେ ଚର୍ଚ୍ଚା ଓ ଇତିହାସ ଭିତରେ ବଡ ଫରକ ରହିଥାଏ । ରେସରେ ଥିବା ଅନେକ ନେତାଙ୍କୁ ବି ନିରାଶ ହେବାକୁ ପଡିଛି । ଏମିତି କି କିଛି ଲୋକଙ୍କୁ ରାଜ୍ୟସଭା ସିଟ୍ ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛନ୍ତି ନବୀନ । ତେଣୁ ଆନୁଗତ୍ୟ, ଦକ୍ଷତା, ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ବାଦ ଦେଇ ସାମ୍ପ୍ରତିକ ସ୍ଥିତିକୁ ନବୀନ ମାପଦଣ୍ଡ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ