ଦୋକାନୀମାନଙ୍କ ମନମାନୀ, ବିପର୍ଯ୍ୟସ୍ତ ହେଉଛି ଟ୍ରାଫିକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦୋକାନୀମାନଙ୍କ ମନମୁଖୀ ଦେଖିବାକୁ ମିଳୁଛି । ଆଉ ଏମାନଙ୍କ ମନମୁଖୀ ଯୋଗୁଁ ଅସଜଡା ଟ୍ରାଫିକ ବ୍ୟବସ୍ଥାକୁ ଆହୁରି ବିପର୍ଯ୍ୟସ୍ତ କରି ଦେଉଥିବାର ଦେଖିବାକୁ ମିଳୁଛି । ସହରରେ ପୌରକର୍ତ୍ତୃପକ୍ଷଙ୍କ କତୃତ୍ୱ ନଥିବା ବେଳେ ଟ୍ରାଫିକ ବ୍ୟବସ୍ଥା କଥା ନ କହିଲେ ଭଲ । ଏପରି ଏକ ନମୁନା ଦେଖିବାକୁ ମିଳୁଛି ସହରର ମଧ୍ୟସ୍ଥ କୁହାଯାଉଥିବା ମୁଖ୍ୟବଜାରଛକ ଉପରେ । ଏଠାରେ ଦୈନିକ ପ୍ରବଳ ଜନ ଗହଳି ରହିଥାଏ । ଏପରି ସ୍ଥଳରେ ଦୋକାନୀ ମାନେ ପ୍ରାୟ ବଡ ବଡ ପାଣି ଡ୍ରମ ଗୁଡିକୁ ରାସ୍ତା କଡ ତଥା ଜନଗହଳି ହେଉଥିବା ସ୍ଥାନରେ ରଖି ତା ମଧ୍ୟରେ ପ୍ଲାଷ୍ଟିକ ପାଇପ ରଖିଥିବାର ଦୃଶ୍ୟମାନ ହେଉଛି । ଏହି ପ୍ଲାଷ୍ଟିକ ପାଇପ ଗୁଡାକ ରାସ୍ତା ପଟେ ଢଳିଥିବା ଯୋଗୁଁ ଯାନବାହାନ ସେପଟ ଦେଇ ଯାଇପାରୁନଥିବା ବେଳେ ଅନ୍ୟପଟେ ଲୋକଙ୍କ ଗହଳି ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଚିତ୍ରରେ ଦେଖାଯାଉଥିବା ଏଭଳି ଗୋଟିଏ ଦୋକାନ ନୁହେଁ ଏହାର ଆଖା ପାଖରେ ଥିବା କିଛି ଟ୍ରଙ୍କପେଢି, ଷ୍ଟିଲ ସାମାନ, ପିତଳ ସାମାନ ଦୋକାନୀ ଗୁଡିକ ମଧ୍ୟ ଏପରି ମୁଖ୍ୟରାସ୍ତା କଡରେ ରଖିଦେଉଥିବାରୁ ଯାତାୟତରେ ନାହିଁ ନଥିବା ଅସୁବିଧା ହେଉଛି । ଅପରପକ୍ଷରେ ଉକ୍ତ ମୁଖ୍ୟରାସ୍ତାଟି ଅଣଓସାରିଆ ହୋଇଥିବା ଏବଂ ଏପରି ଦୋକାନୀ ମାନେ ନିଜ ନିଜ ସାମାନ ଥୋଇଦେଉଥିବାରୁ ବେଳେ ବେଳେ କିଛି କ୍ଷଣପାଇଁ ଯାତାୟତ ଠପ୍ ହୋଇଯାଉଥିବାର ଲକ୍ଷ୍ୟ ମଧ୍ୟ କରାଯାଉଛି । ସୂଚନା ଯୋଗ୍ୟ ଯେ, ପାରଳା ସହରରେ ଦିନକୁ ଦିନ ଜନସଂଖ୍ୟା ସହ ଯାନବାହାନ ସଂଖ୍ୟା ବଢି ଚାଲିଥିବା ବେଳେ ସେହିଭଳି ଟ୍ରାଫିକ ବ୍ୟବସ୍ଥା ହୋଇପାରିନି । ଟ୍ରାଫିକ ବ୍ୟବସ୍ଥା ପାଇଁ ବିଭିନ୍ନ ଛକମାନରେ ଟ୍ରାଫିକ ପୋଲିସ ମୁତୟନ ହେଉଥିଲେ ମଧ୍ୟ ନିୟନ୍ତ୍ରିତ କରିପାରୁନଥିବାର ଅଭିଯୋଗ ହେଉଛି । ସେହିଭଳି ପୂର୍ବପରି ପୁରୁଣା ତଥା ଅଣଓସାରିଆ ରାସ୍ତାଘାଟ ରହିଥିବା ବେଳେ ଦୋକାନୀ ମାନେ ପାର୍କିଂ ବ୍ୟବସ୍ଥା ନକରିବା, ଜବରଦଖଲ ନ ହଟାଇବା ଆଦି ପ୍ରମୁଖ କାରଣ ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି ବୋଲି ସାଧାରଣରେ ଆଲୋଚନା ହେଉଛି ।