ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ଗଠିତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଲକ ଅନ୍ତର୍ଗତ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ ଆରୋଗ୍ୟ ସମିତି ଗଠନ କରାଯାଇଛି । ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଅଧିକ୍ଷକ ଡାକ୍ତର ମାନସ ମହାପାତ୍ର ନିର୍ଦ୍ଦେଶକ୍ରମେ ଡେରିକି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ ଡାକ୍ତର ଓମ୍ପ୍ରକାଶ ଲେଙ୍କାଙ୍କ ଅଧ୍ୟକ୍ଷତାରେ ମେଡିକାଲ ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ନାଉଗାଁ ବ୍ଲକ ଜୋନ୍ ନମ୍ବର-୨ର ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡା, ଡାକ୍ତର ଅନୁଭବ ଦାଶ, ବିପିଏମ ବନବିହାରୀ ମହାରଣା, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ.ରଶ୍ମୀରଂଜନ ଦାସଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ଜନ ଆରୋଗ୍ୟ ସମିତି ଗଠନ କରାଯିବା ପାଇଁ ପ୍ରସ୍ତାବ ଆଗତ କରାଯାଇଥିଲା । ସର୍ବସମ୍ମତିକ୍ରମେ ଜିଲ୍ଲା ପରିଷଦ ସଭ୍ୟା ମମତା ପରିଡାଙ୍କୁ ସମିତିର ଅଧ୍ୟକ୍ଷା ଭାବେ ମନୋନିତ କରାଯାଇଥିବା ବେଳେ ମେଡିକାଲ ଅଧିକାରୀ ଡାକ୍ତର ଲେଙ୍କାଙ୍କୁ ସଂପାଦକ ଭାବେ ମନୋନିତ କରାଯାଇଥିଲା । ସମିତିରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ଇଂ. ଶ୍ରୀ ଦାସ, ସ୍ୱେଛାସେବୀ ଅନୁଷ୍ଠାନ ସୋସିଆଲ ମିଶନ ୱାର୍ଲଡର ସଂପାଦକ ସର୍ବେଶ୍ୱର ମହାରଣା, ନେହେରୁ ଯୁବ ସଂଗଠନର ବ୍ଲକ ସଂଯୋଜକ ତପନ ବେହେରା, ବିଭୁତି ଭୂଷଣ ତ୍ରିପାଠୀଙ୍କ ସମେତ ସରପଂଚ, ଅଙ୍ଗନୱାର୍ଡି କର୍ମୀ, ଆଶାକର୍ମୀ ଆଦି ସଭ୍ୟ ଭାବେ ମନୋନିତ ହୋଇଥିଲେ । ସମିତି ମାଧ୍ୟମରେ ସ୍ୱାସ୍ଥ୍ୟ କେନ୍ଦ୍ରର ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ କରାଯିବ ବୋଲି ମେଡିକାଲ ଅଧିକାରୀ ଡାକ୍ତର ଲେଙ୍କା କହିଛନ୍ତି ।


