ସରକାରୀ ପଲିଟେକନିକ କଲେଜର ଛାତ୍ରାବାସ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ ହେଉନି ହସ୍ତାନ୍ତର,ବଢୁଛି ଅସନ୍ତୋଷ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ସରକାରଙ୍କ ପକ୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକୁ ସମ୍ପୂର୍ଣ୍ଣ ଆବାସିକରଣ କରିବା ପାଇଁ ଏକ ଷ୍ଟାଂଣ୍ଡି କମିଟି ଗଠନ କରାଯାଇଛି । କିନ୍ତୁ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ଥିବା ସରକାରୀ ପଲିଟେକନିକ କଲେଜରେ ଛାତ୍ରାବାସ ନିର୍ମାଣ କାର୍ଯ୍ୟ ସରିଥିଲେ ମଧ୍ୟ କଲେଜକୁ ବିଭାଗ ପକ୍ଷରୁ ହସ୍ତାନ୍ତର କରାଯାଉ ନଥିବା ଜଣାଯାଇଛି । ଯାହାକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।ସୂଚନା ମୁତାବକ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଜାମୁଗାଁରେ ସରକାରୀ ପଲିଟେକନିକ କଲେଜ ରହିଛି । ଏହି କଲେଜରେ ସିଭିଲ୍ କେମିକାଲ, ମେକାନିକାଲ ଭଳି ତିନୋଟି ବିଭାଗର ୧୮୦ଟି ସିଟ ରହିଛି । ଏହି ସମସ୍ତ ବିଭାଗରେ ପାଖାପାଖି ୪୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଧୟନ କରୁଛନ୍ତି । କଲେଜ ଆରମ୍ଭ ହେବା ସମୟରେ ଛାତ୍ରମାନେ କଲେଜ ପରିସରରେ ରହିବା ପାଇଁ ସରକାରଙ୍କ ପକ୍ଷରୁ ଛାତ୍ରାବାସ ନିର୍ମାଣ କରାଯାଇଥିଲା । ଉକ୍ତ ଆବାସରେ ୧୦ବଖରା ବିଶିଷ୍ଟ କୋଠରୀ ନିର୍ମାଣ କରାଯାଇଥିଲା । ପ୍ରତି କୋଠରୀରେ ୩ ଜଣ ଛାତ୍ର ରହିବା ପାଇଁ ବ୍ୟବସ୍ଥା ରହିଥିଲା । କିନ୍ତୁ କଲେଜରେ ଅଧିକ ଛାତ୍ରାବାସ କୋଠରୀ ନଥିବାରୁ କଲେଜ କତୃପକ୍ଷ ବାଧ୍ୟ ହୋଇ ପ୍ରତି କୋଠରୀରେ ଆବଶ୍ୟକତା ଠାରୁ ଅଧିକ ଛାତ୍ରଙ୍କୁ ରଖିଥିଲେ । ଫଳରେ ଛାତ୍ରମାନଙ୍କର ପାଠପଢାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପଟରେ ନାଉଗାଁରେ ପଲିଟେକିନିକ କଲେଜ ଖୋଲିବା ପରେ ଏହା ଭିତିଭୂମିର ବିକାଶକୁ କତୃପକ୍ଷ ଗୁରୁତ୍ୱ ଦେଇଥିଲେ । ସରକାରଙ୍କ ପକ୍ଷରୁ ଉକ୍ତ କଲେଜରେ ଛାତ୍ରାବାସ ନିର୍ମାଣ ଉର୍ଦ୍ଦେଶ୍ୟରେ ୧ କୋଟି ୮୯ ଲକ୍ଷ ୬୮ ହଜାର ୩୬୫ ଟଙ୍କାର ଅର୍ଥ ବ୍ୟୟ ବରାଦ କରାଯାଇଥିଲା । ଏହି କାର୍ଯ୍ୟକୁ ପୂର୍ତ ବିଭାଗର ଜଗତସିଂହପୁର ବିଭାଜନ ମାଧ୍ୟମରେ ଟେଣ୍ଡର କରାଯାଇ ଠିକାସଂସ୍ଥାକୁ ଚୟନ କରାଯାଇଥିଲା । ଏହି କାର୍ଯ୍ୟର ପ୍ରଥମ ମହଲା ଓ ଦ୍ୱିତୀୟ ମହଲା କୋଠରୀ ନିର୍ମାଣ କରିବା ପାଇଁ ସଂପୃକ୍ତ ଠିକାସଂସ୍ଥା ପକ୍ଷରୁ ବିଭାଗ ସହିତ ଚୁକ୍ତି କରାଯାଇଥିଲା । ଉକ୍ତ କାର୍ଯ୍ୟ ୨୦୧୮ ଏପ୍ରିଲ ୧୮ ତାରିଖରୁ ଆରମ୍ଭ କରାଯାଇ ୨୦୧୮ ଡିସେମ୍ବର ୧୭ ଶେଷ କରିବା ପାଇଁ ଚୁକ୍ତି କରାଯାଇଥିଲା । କିନ୍ତୁ ସଂପୃକ୍ତ ଠିକାସଂସ୍ଥା ଚୁକ୍ତି ଅନୁ୍ସାରେ କାର୍ଯ୍ୟର ଅବଧି ଶେଷ ହୋଇଥିଲେ ମଧ୍ୟ କାର୍ଯ୍ୟକୁ ଶେଷ କରି ପାରିନଥିଲା । ପରେ ୨୦୧୯ ଅଗଷ୍ଠ ୦୮ରେ କାର୍ଯ୍ୟ ଶେଷ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାରଙ୍କ ପକ୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକ ଉପରେ ଗୁରୁତ୍ୱ ଦିଆଯାଇ ସମ୍ପୂର୍ଣ୍ଣ ଆବାସିକରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି ।କିନ୍ତୁ ନାଉଗାଁରେ ଥିବା ସରକାରୀ ପଲିଟେକନିକ କଲେଜର ଛାତ୍ରାବାସ ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ୩ ମାସ ହେବ ଶେଷ ହୋଇଯାଇଛି । ହେଲେ ବିଭାଗ ପକ୍ଷରୁ ଉକ୍ତ ଛାତ୍ରାବାସକୁ କଲେଜକୁ କ’ଣ ପାଇଁ ହସ୍ତାନ୍ତର କରାଯାଉ ନାହିଁ । ଯାହାକୁ ନେଇ ଛାତ୍ରଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଅସନ୍ତୋଷ ଦେଖାଦେଇଛି ।ଏ ସଂର୍ପକରେ ଜଗତସିଂହପୁର ବିଭାଜନର ବିଭାଗୀୟ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଇଂ.ନିମାଇଁ ଦାଶଙ୍କୁ ପଚାରିବାରୁ ଛାତ୍ରାବାସର କାର୍ଯ୍ୟ ଶେଷ ହୋଇଯାଇଛି ।କିନ୍ତୁ କିଛି ଛୋଟ ମୋଟ କାର୍ଯ୍ୟ ରହିଥିବାରୁ କଲେଜକୁ ହସ୍ତାନ୍ତର କରାଯାଇ ପାରିନାହିଁ । ଆସନ୍ତା ସୋମବାର କନିଷ୍ଠ ଯନ୍ତ୍ରୀଙ୍କୁ ପଠାଇ କଲେଜ କତୃପକ୍ଷଙ୍କୁ ଉକ୍ତ ଛାତ୍ରାବାସକୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ।


