ଆଜି ବିଶ୍ୱ ଧରିତ୍ରୀ ଦିବସ : ପୃଥିବୀ ଜଳୁଛି, ସୁରକ୍ଷା ଲୋଡୁଛି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଆଜି ବିଶ୍ୱ ଧରିତ୍ରୀ ଦିବସ । ଧରିତ୍ରୀ ମାଆକୁ ସମ୍ମାନ ଓ ସୁରକ୍ଷା ଦେବା ପାଇଁ ପ୍ରତିବର୍ଷ ଏପ୍ରିଲ୍ ୨୨ ତାରିଖଟିକୁ ବିଶ୍ୱ ଧରିତ୍ରୀ ଦିବସ ରୂପେ ପାଳିତ ହୋଇଥାଏ । ସଂପ୍ରତି ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଓ ମଣିଷର ଅମାନୁଷିକ କାର୍ଯ୍ୟକଳାପ ଯୋଗୁଁ ଜୈବ ବିବିଧତା ବିପର୍ଯ୍ୟସ୍ତ । ସର୍ବୋପରି ମଣିଷର ସ୍ୱେଚ୍ଛାଚାରୀ କାର୍ଯ୍ୟକଳାପ ଯୋଗୁଁ ଧରିତ୍ରୀ ମାଆର ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ସଙ୍କଟ ଆଣିଦେଇଛି । ଏହି ପରିପ୍ରେକ୍ଷୀରେ ସ୍ମାର୍ଟନଗରୀ ଭୁବନେଶ୍ୱରର ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ରଙ୍ଗ, ବେରଙ୍ଗ ମୁରୁଜକୁ ବ୍ୟବହାର କରି ପୃଥିବୀ ଜଳୁଛି, ସୁରକ୍ଷା ଲୋଡୁୁଛି ଉପରେ ଆଧାରିତ ଚିତ୍ର ଆଙ୍କି ସମଗ୍ର ବିଶ୍ୱକୁ ଏକ ବଳିଷ୍ଠ ବାର୍ତ୍ତା ଦେବା ପାଇଁ ପ୍ରୟାସ କରିବା ସହ ପୃଥିବୀର ସୁରକ୍ଷା ପାଇଁ ଇଂରାଜୀ ଭାଷାରେ ‘ସେଭ୍ ଦି ଆର୍ଥ’ର ଏକ ସ୍ଲୋଗାନକୁ ସ୍ଥାନିତ କରି ଜନସାଧାରଣଙ୍କ ସହଯୋଗ ଲୋଡ଼ିଛନ୍ତି । ଶ୍ରୀ ସାହୁ ଏ ସମ୍ପର୍କରେ କୁହନ୍ତି ଆଜି ଆମେ ବିକାଶ ଓ ବିନାଶର ଦୋଛକିରେ ପହଂଚି ଗଲୁଣି । ବିଶ୍ୱତାପନକୁ ଆମେ ଇଂରାଜୀ ଭାଷାରେ ଗ୍ଲୋବାଲ୍ ୱାର୍ମିଂ ବୋଲି କହୁଛେ । ବର୍ତ୍ତମାନ ମେରୁ, ତରୁ, ମରୁ ସବୁ ତତଲା । ଦେଖିବାକୁ ଗଲେ ଗୋଟିଏ ପଟେ ମେରୁ ତରଳିବାରେ ଲାଗିଛି । ଅନ୍ୟପଟେ ସମୁଦ୍ରର ଜଳପତନ ବଢିଚାଲିଛି । ଆଉ କିଛିବର୍ଷ ପରେ ସମୁଦ୍ର ଗର୍ଭରେ ଲୀନ ହୋଇଯିବ ଅନେକ ଜନବସତି ଯାହା ଏବେଠୁ ପରିବେଶ ବିଜ୍ଞାନୀମାନେ ସତର୍କ କରାଇ ସାରିଲେଣି । ମରୁଭୂମି ପାଲଟିଯିବ ଶସ୍ୟ, ଶ୍ୟାମଳାପୂର୍ଣ୍ଣ ଧରିତ୍ରୀ, ଶୁଖିଯିବ ଭୂତଳଜଳ । ଶୁଦ୍ଧ ବାୟୁ ଓ ଶୁଦ୍ଧ ପାନୀୟ ଜଳ ମିଳିବନି । ସର୍ବଗ୍ରାସୀ କରାଳ ଗ୍ରାସରେ ଆମେ ବିଲୀନ ହୋଇଯିବା ସୁନିଶ୍ଚିତ ହୋଇପଡ଼ିଲାଣି । ଏଣୁ ଧରିତ୍ରୀ ମାଆର ସୁରକ୍ଷା ପାଇଁ ପ୍ରତିଟି ସନ୍ତାନ ଏବେଠାରୁ ତା’ର ସେବା ଓ ସୁରକ୍ଷାରେ ନିଜକୁ ସମର୍ପିତ କରନ୍ତୁ ବୋଲି ସୁଶାନ୍ତ ଏହି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ