ସ୍କାଉଟ୍ସ୍ ଓ ଗାଇଡ଼୍ସ୍ ସଂଗଠନ ଦ୍ୱାରା : ବେସିକ୍ ତାଲିମ ଶିବିର
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ସଂଗଠନ ଆନୁକୂଲ୍ୟରେ ବେସିକ୍ ତାଲିମ ଶିବିରସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନ (ଉଚ୍ଚବିଦ୍ୟାଳୟ ଶିକ୍ଷକ ଏବଂ ଶିକ୍ଷୟିତ୍ରୀ) ମାନଙ୍କ ପାଇଁ ଏକାଦିକ୍ରମେ ୯ ଗୋଟି ତାଲିମ ଶିବିର ରାଜ୍ୟ ମୁଖ୍ୟାଳୟରେ ତା୧୬ା୪ା୨୨ରିଖ ଠାରୁ ଆରମ୍ଭ ହୋଇଅଛି । ଉକ୍ତ ଶିବିରରେ ବାଲେଶ୍ୱର, ବରଗଡ, ଭଦ୍ରକ, ଭୁବନେଶ୍ୱର, ବଲାଙ୍ଗୀର, କଟକ, ଢ଼େଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କେଉଁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ, ପୁରୀ, ରାୟଗଡା, ସମ୍ବଲପୁର, ସୋନପୁର, ସୁନ୍ଦରଗଡ ଆଦି ଜିଲ୍ଲାରୁ ୨୦୫ ଜଣ ସ୍କାଉଟ ମାଷ୍ଟର ଏବଂ ୮୭ ଜଣ ଗାଇଡ୍ କ୍ୟାପଟେନ ତାଲିମ ନେବାପାଇଁ ଯୋଗଦାନ କରିଛନ୍ତି । ତା୧୬ା୪ା୨୨ରିଖ ଦିନ ରାଜ୍ୟ ମୁଖ୍ୟ କମିଶନର ଶ୍ରୀ କାଳିପ୍ରସାଦ ମିଶ୍ର ଉକ୍ତ ତାଲିମ ଶିବିରକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ତାଲିମ ନେବାକୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ବିଦ୍ୟାଳୟରେ ସ୍କାଉଟ ଓ ଗାଇଡ୍ ଶିକ୍ଷା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଭଲ ସୁନାଗରିକ ଭାବେ ଗଢ଼ିତୋଳିବା ସହିତ ସେମାନଙ୍କୁ ରାଜ୍ୟ ପୁରସ୍କାର ପାଇବା ଲାଗି ଠିକ୍ ଭାବେ ତିଆରି କରିବାକୁ ପରାମର୍ଶ ଦେଇଥିଲେ । ସମ୍ମାନୀତ ଅତିଥିଭାବେ ରାଜ୍ୟ ସମ୍ପାଦକ ଶ୍ରୀ ଶରତ ଚନ୍ଦ୍ର ପାଇକରାୟ ଛାତ୍ରଛାତ୍ରୀମାନଙ୍କୁ ଭାଇ ଭଉଣୀର ସ୍ନେହ ଦେଇ ସ୍କାଉଟ ଓ ଗାଇଡ୍ର ମୂଳ ତତ୍ୱଭାବେ ଶିକ୍ଷାଦାନ କରି ସେମାନଙ୍କ ଚରିତ୍ର ସୁଧାରିବା ସକାଶେ ଉଦ୍ୟମ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ତା୨୧ା୪ା୨୦୨୨ରିଖ ଉଦ୍ଯାପନୀ ଉତ୍ସବରେ ରାଜ୍ୟ ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ତାଲିମ ସମାପ୍ତ ହେବା ପରେ ନିଜ ବିଦ୍ୟାଳୟରେ କିପରି ପିଲାମାନଙ୍କୁ ସ୍କାଉଟ ଗାଇଡ୍ରେ ମିଶି ଜଣେ ଜଣେ ଭଲ ସୁନାଗରିକ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ସ୍କାଉଟ ମାଷ୍ଟର ଏବଂ ଗାଇଡ୍ କ୍ୟାପଟେନମାନଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ ତାଲିମ କମିଶନର (ସ୍କାଉଟ) ଶ୍ରୀ ସୁରଜିତ୍ ସେନ୍ଙ୍କ ତତ୍ୱାବଧାନରେ ସ୍କାଉଟ ବିଭାଗ ଏବଂ ରାଜ୍ୟ ତାଲିମ କମିଶନର (ଗାଇଡ୍) ପ୍ରିୟଦର୍ଶିନୀ ମହାପାତ୍ରଙ୍କ ତତ୍ୱାବଧାନରେ ଗାଇଡ୍ ବିଭାଗର ତାଲିମ ପରିଚାଳିତ ହେଉଅଛି ।


