କତା ଓ ସଂହତିର ସେତୁ ଉତ୍କଳ ସମ୍ମିଳନୀର ରଜତ ଜୟନ୍ତୀ ସମାରୋହ ସମାହିିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିବିଧତା ମଧ୍ୟରେ ଏକତା ଆମ ସର୍ବ ଭାରତୀୟ ଜାତୀୟତାର ମୂଳଭିତ୍ତି ହୋଇଥିବାରୁ ହିନ୍ଦୀ ଓ ଇଂରାଜୀ ଭାଷାର ପ୍ରାର୍ଦୁଭାବରୁ ଓଡିଆ ଭାଷାକୁ ରକ୍ଷା କରିବା ସବୁ ଓଡିଆଙ୍କ ପାଇଁ ଏକ ଜାତୀୟ କର୍ତ୍ତବ୍ୟ । ଏହି କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ଓଡିଆ ଭାଷାର ବହୁଳ ବ୍ୟବହାର କରାଯିବା ଦରକାର । କାରଣ ଭାଷା ହେଉଛି ଗୋଟିଏ ସମୃଦ୍ଧ ଜାତିର ଆତ୍ମା ସଦୃଶ୍ୟ । ଉତ୍କଳ ସମ୍ମିଳନୀର ପ୍ରାଣ ପ୍ରତିଷ୍ଠାତା ଉତ୍କଳ ଗୌରବ ମଧୁସୂଦନ ଥିଲେ ଓଡିଆ ଅସ୍ମିତାର ମନ୍ତ୍ରଦାତା ଏବଂ ଓଡିଆ ଜାତି ତାଙ୍କ ପାଖରେ ସବୁଦିନ ପାଇଁ କୃତଜ୍ଞ ରହିବ ବୋଲି ଉତ୍କଳ ସମ୍ମିଳନୀ କେନ୍ଦ୍ରାପଡା ଜିଲ୍ଲା ଶାଖାର ରଜତ ଜୟନ୍ତୀ ଉଦ୍‌ଯାପନୀ ଉତ୍ସବର ପ୍ରଥମ ଅଧିବେଶନରେ ଯୋଗଦେଇ ବିଶିଷ୍ଟ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର ସଭାଗୃହରେ ସଙ୍ଗଠନର ଜିଲ୍ଲା ଶାଖା ସଭାପତି ପ୍ରାଧ୍ୟାପକ ନନ୍ଦକିଶୋର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରୀୟ କମିଟିର ଉପସଭାପତି ପ୍ରାଧ୍ୟାପକ ଡଃ. ସୁରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଓ ଦିଲ୍ଲିପ ଦାସଶର୍ମା ଏବଂ ବିଭୁତି ଭୂଷଣ ମିଶ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସଙ୍ଗଠନର ସମ୍ପାଦକ ଡଃ. ବାସୁଦେବ ଦାସ ଅତିଥି ପରିଚୟ ପ୍ରଦାନ, ଅଭ୍ୟର୍ଥନା ସମିତିର ଉପାଧ୍ୟକ୍ଷ ପ୍ରାଧ୍ୟାପକ ଗୋପାଳ ଚନ୍ଦ୍ର ବେହେରା ସ୍ୱାଗତ ସମ୍ଭାଷଣ, ଅଧ୍ୟାପକ ବିପିନ ବିହାରୀ ବାରିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ନିରଞ୍ଜନ ମେକାପ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷାବିତ୍ ଭଜକୃଷ୍ଣ ରାଉତ, ଅଧ୍ୟାପକ ଅଜୟ ସାମଲ ପ୍ରମୁଖ ଜିଲ୍ଲାର ଉପକୂଳବର୍ତ୍ତୀ ଭାଷାର ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଗୋପାଳ କୃଷ୍ଣ ଜେନା, ଆଦିକନ୍ଦ ରାଉଳ, କାକୁଲି ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଗୋଲଖ ସେଠୀ ଉଦ୍‌ଯାପନୀ ସଂଗୀତ ଗାନ କରିଥିଲେ । ଉତ୍ସବର ଦ୍ୱିତୀୟ ଅଧିବେଶନରେ କବି ଚାରୁଲତା ଭୂୟାଁ, ଶୁଭାଂଶୁ କୁମାର ଦାସ, ମେଜର ଭରତ ଚନ୍ଦ୍ର ଜେନା ଓ ସାରଦା ସାମନ୍ତରାୟଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ କବି ନୃସିଂହ ତ୍ରିପାଠୀ, ଶରତ କୁମାର ରାଉତ, ଅଭୟ ରାଉତ, ଶ୍ରୀଧର ଭୋଳ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ସଂଗଠନ ପକ୍ଷରୁ ଅଧ୍ୟାପକ ଅଜୟ ସାମଲ, ବିପିନ ବିହାରୀ ବାରିକ, ଗୋପାଳକୃଷ୍ଣ ଜେନା ଓ ଆଦିକନ୍ଦ ରାଉଳ ଓ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ