ନ୍ୟାୟ ଦାବିରେ ପୁଣି ଶ୍ୱଶୁର ଘର ଆଗରେ ବୋହୂର ଧାରଣା
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ନ୍ୟାୟ ଦାବିରେ ପୁଣି ଶ୍ୱଶୁର ଘର ଆଗରେ ବୋହୁ ଧାରଣା ଦେଇଥିବାର ଦେଖିବାକୁ ମିଳିଥିଲା । ତେବେ ପ୍ରତିଶ୍ରୁତି ପରେ ଧାରଣାରୁ ନିବୃତ ହୋଇଥିବାର ମଧ୍ୟ ଜଣାପଡିଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଜଣେ ଜଣାଶୁଣା ସ୍ୱେଚ୍ଛାସେବୀଙ୍କ ବୋହୁ ମନିଷା ଏପରି ୨ଥର ଧାରଣାରେ ବସି ଥିବାର ଜଣାପଡିଛି । ଗତ ଫେବୃୟାରୀ ୧୨ତାରିଖରେ ସେ ନ୍ୟାୟ ପାଇଁ ଧାରଣାରେ ବସିଥିଲେ । ସେତେବେଳେ ଶ୍ୱଶୁରଙ୍କ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ପାଇ ଧାରଣାରୁ ଉଠିଥିଲେ । ହେଲେ ପ୍ରତିଶ୍ରୁତିରେ ଶଶୁର ଘର ଲୋକେ ଖିଲାପ କରିଥିବାରୁ ଆଜି ସେ ତାଙ୍କ ମାଙ୍କ ସହିତ ଧାରଣାରେ ବସିଥିଲେ । ତେବେ ଶନିବାର ଦିନ ପୁଣି ପ୍ରତିଶ୍ରୁତି ପାଇ ଧାରଣାରୁ ଉଠିଛନ୍ତି । ପ୍ରକାଶ ଯୋଗ୍ୟ ଯେ, ଗୋଷାଣୀ ବ୍ଲକ ଆର୍.ସୀତାପୁର ଗ୍ରାମର ବିଶ୍ୱନାଥ ରାଜୁଙ୍କ ଝିଅ ମନିଷା ପାରଳାଖେମୁଣ୍ଡି ସହରର ଠାକୁରାଣୀ ମନ୍ଦିର ସାହିରେ ରହୁଥିବା ସ୍ୱେଚ୍ଛାସେବୀ ଏ.ଜଗନ୍ନାଥ ରାଜୁଙ୍କ ପୁଅ ଚୈତନ୍ୟଙ୍କୁ ୨୦୧୬ ମାର୍ଚ୍ଚ ୧୧ରେ ବୈଦିକ ରୀତିରେ ବିବାହ କରିଥିଲେ । ବିବାହ ପର ଠାରୁ ଅଧିକ ଯୌତୁକ ଦାବି କରି ଶଶୁର ଘର ଲୋକେ ବିଶେଷ କରି ଶାଶୁ ପଦ୍ମା ରାଜେଶ୍ୱରୀ ବୋହୁ ମନିଷାଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିବାର ଅଭିଯୋଗ କରିଛନ୍ତି । ଏପରିକି ଅଧିକ ଯୈାତୁକ ନଆଣିଲେ ଘରେ ରଖାଯିବ ନାହିଁ ବୋଲି କହି ଶ୍ୱଶୁରଙ୍କ ପରିବାର ମନିଷାଙ୍କୁ ୨୦୧୭ ଜୁଲାଇ ମାସରେ ତାଙ୍କ ବାପ ଘରେ ଛାଡିଦେଇ ଆସିଥିଲେ । ଏହାରି ମଧ୍ୟରେ ଚୈତନ୍ୟ ରହୁଥିବା ବିଶାଖାପାଟଣା ସ୍ଥିତ ଘରକୁ ମଧ୍ୟ ମନିଷା ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ରହିବା ପାଇଁ ସୁଯୋଗ ଦିଆଯାଇ ନଥିଲା । ବାରମ୍ବାର ସମାଧାନ ପ୍ରୟାସ କରାଯାଇଥିଲେ ମଧ୍ୟ ଶ୍ୱଶୁର ଘର ଲୋକେ କୌଣସି ସହଯୋଗ କରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି । ତେଣୁ ପୁଣି ଧାରଣାରେ ବସିଥିବାର ଜଣାଇଛନ୍ତି । ଅନ୍ୟପକ୍ଷରେ ଏନେଇ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ କୌଣସି ଅଭିଯୋଗ ହୋଇନଥିବାର ଥାନା ସୂତ୍ରରୁ ପ୍ରକାଶ ।


