ଦୁର୍ଘଟଣାରେ ଆଇନଜୀବୀଙ୍କ ମୃତ୍ୟୁ
ବାଲେଶ୍ୱର, (ସରୋଜ ପଣ୍ଡା) :-‘ଦଳିତ ବାର୍ତ୍ତା’ର ସମ୍ପାଦକ ବରିଷ୍ଠ ଆଇନଜୀବୀ ପଞ୍ଚାନନ ପରିଡ଼ାଙ୍କର ସଡ଼କ ଦୁର୍ଘଟଣାରେ ସୋମବାର ସକାଳେ ପରଲୋକ ହୋଇଯାଇଛି । ସବୁଦିନ ଭଳି ଆଜି ସକାଳ ପ୍ରାୟ ୫ଟା ବେଳେ ସେ ଅଙ୍ଗାରଗଡ଼ିଆ ବାସଭବନରୁ ବାହାରି ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ସମଲପୁର ଛକଠାରେ ଦ୍ରୁତଗତିରେ ଆସୁଥିବା ଏକ କାର ତାଙ୍କୁ ପଛପଟରୁ ଧକ୍କା ଦେଇଥିଲା । ସେ ତଳେ ପଡ଼ିଯିବା ସହ ପିଚୁରେ ତାଙ୍କର ମୁଣ୍ଡ ଓ ଛାତିରେ ଶକ୍ତ ଆଘାତ ଲାଗିବା ସହ ପ୍ରବଳ ରକ୍ତଶ୍ରାବ ହୋଇଥିଲା ।ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ବି ଡାକ୍ତର ଏଠାରେ ଶ୍ରୀ ପରିଡ଼ାଙ୍କୁ ମୃତ ଘୋଷଣା କରିଥିଲେ । ଶିଳ୍ପାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁର୍ଘଟଣା ଘଟାଇଥିବା କାର ସେଠାରୁ ଉଭାନ ହୋଇଯାଇଥିଲା । ଅନ୍ୟପକ୍ଷରେ ବ୍ୟବଚ୍ଛେଦ ପରେ ମୃତଶରୀରକୁ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ତାଙ୍କର ଅକାଳ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି ।


