ଟିୟୁଏସିସି ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ସମାବେଶ
ବାଲେଶ୍ୱର, (ସରୋଜ ପଣ୍ଡା) :-ବାଲେଶ୍ୱରର ସର୍ବ ପୁରାତନ ଶ୍ରମିକ ସଂଗଠନ ମିଳିତ ମଞ୍ଚ (ଟିୟୁଏସିସି) (ଟ୍ରେଡ୍ ୟୁନିୟନ୍ ଆସୋସିଏସନ୍ କୋଡ଼ିନେସନ କମିଟି) ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ରବିବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧିସ୍ମୃତି ଭବନ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଟିୟୁଏସିସିର ଅଧ୍ୟକ୍ଷ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା ସଭାପତିତ୍ୱ କରିଥିଲେ । କମିଟିର ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଏଆଇଟିୟୁସିର ଜିଲା ସଭାପତି ଭାଗବତ ପ୍ରତିହାରୀ ଓ ଜୟନ୍ତ ଦାସ, ସିଆଇଟିୟୁର ନେତା ଶିଶିର ହୁଇ, ଏଆଇୟୁଟିୟୁସିର ଜିଲା ନେତା ଉମାକାନ୍ତ ଦାସ, କୃଷକ ଏକତା ମଞ୍ଚର ସଭାପତି ଅରୁଣ ଜେନା, ରୂପସା ଝୋଟ କାରଖାନା ଶ୍ରମିକ ସଂଘର ସଭାପତି ଶାନ୍ତନୁ ଦାସ ଏବଂ ଜେଏନ୍ୟୁର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅଜୟ ପଟ୍ଟନାୟକ ପ୍ରମୁଖ ଏଥିରେ ଯୋଗଦେଇ ଦେଶର ଶ୍ରମିକଙ୍କ ସମସ୍ୟା ଓ ଏହାର ସମାଧାନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଶିଳ୍ପଉଦ୍ୟୋଗୀଙ୍କ ସ୍ୱାର୍ଥରକ୍ଷାରେ ଶ୍ରମ ଆଇନ ସଂଶୋଧନ, ରାଷ୍ଟ୍ରାୟାତ୍ତ ଉଦ୍ୟୋଗୀ ପୁଞ୍ଜିପତିମାନଙ୍କୁ ବିକ୍ରି, ପ୍ରତିରକ୍ଷା କର୍ମଚାରୀଙ୍କ ଧର୍ମଘଟ ଅଧିକାର ଉଚ୍ଛେଦ, ଦରଦାମ ବୃଦ୍ଧି, ବ୍ୟାଙ୍କ୍, ବୀମା, ରେଳ ପ୍ରଭୃତି ସରକାରୀ ସଂସ୍ଥାକୁ ଘରୋଇକରଣ, ସ୍ଥାୟୀ କାମରେ ଠିକାଶ୍ରମିକ ନିଯୁକ୍ତି, ସ୍କିମ୍ ୱାର୍କର୍ସଙ୍କୁ ଶ୍ରମ ଶୋଷଣ ପ୍ରଭୃତି ନୀତିକୁ ସୋନଙ୍କ ବକ୍ତବ୍ୟରେ ଦୃଢ଼ ବିରୋଧ କରିଥିଲେ । ସମ୍ବିଧାନର ସୁରକ୍ଷା, ସାମ୍ପ୍ରଦାୟିକ ସଦଭାବ ଓ ଦେଶର ଅଖଣ୍ଡତା ରକ୍ଷା ଦିଗରେ ଶ୍ରମିକ ଶ୍ରେଣୀର ଗୁରୁଦାୟିତ୍ୱ ସମ୍ପର୍କରେ ବକ୍ତାମାନେ ଆଲୋଚନା କରିଥିଲେ । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଓ ଜନବିରୋଧୀ ନୀତିକୁ ରାଜ୍ୟ ସରକାରଙ୍କ ଅକୁଣ୍ଠ ସମର୍ଥନକୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ । ତେବେ ଜିଲାରେ ବନ୍ଦଥିବା ଶିଳ୍ପାନୁଷ୍ଠାନ କାର୍ଯ୍ୟକ୍ଷମ କରିବା, ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟିପାଇଁ ସେମାନେ ଦାବି ଦୃଢ଼ କରିଥିଲେ । ଶ୍ରମିକମାନେ ରାଜନୈତିକ ଭାବେ ସଚେତନ ଓ ଅଧିକ ସଂଗଠିତ ହେବାକୁ ବକ୍ତାମାନେ ଆହ୍ୱାନ ଦେଇଥିଲେ ।ଏହି ଅବସରରେ ବାଲେଶ୍ୱର ରେଳ ଷ୍ଟେସନରୁ ଏକ ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶ୍ରମିକମାନେ ସହର ପରିକ୍ରମା ସହ ସମାବେଶ ସ୍ଥଳରେ ପହଂଚି ଥିଲେ । ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଶ୍ୟାମସୁନ୍ଦର ଜେନା, ବିଜୟ ପାତ୍ର, ଜଗଦୀଶ ବାରିକ, ଗୌରୀ ଦାସ, ବନ୍ଦନା ପାତ୍ର, ଭରତ ଚନ୍ଦ୍ର ସେଠୀ, ନିରଞ୍ଜନ ଦାସ, ଶରତ ଚନ୍ଦ୍ର ଦଳାଇ, କୈଳାସ ଚନ୍ଦ୍ର ନାୟକ, ନିର୍ମଳ ନାୟକ, ପ୍ରେମରଂଜନ ପାତ୍ର, ପ୍ରଶାନ୍ତ ଦାସ, ଯତୀନ୍ ପାତ୍ର, ଉମାକାନ୍ତ ପାତ୍ର, ବେଣୁଧର ବାରିକ, ଅକ୍ଷୟ କୁମାର ତ୍ରିପାଠୀ, ବଂଶୀଧର ବେହେରା, ସୁବ୍ରତ ପଣ୍ଡା, ଜ୍ୟୋତିରଂଜନ ବାରିକ, ସୁଶାନ୍ତ ଜେନା, ପୂର୍ଣ୍ଣିମା ବେହେରା ପ୍ରମୁଖ ଶୋଭାଯାତ୍ରା ପରିଚାଳନା କରିଥିଲେ । ରବିନାରାୟଣ ମିଶ୍ର ଶେଷରେ ଧନ୍ୟବାଦ ଦେଇଥିଲେ । ସକାଳେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସେମାନଙ୍କ ପ୍ରତିଷ୍ଠାନ ସମ୍ମୁଖରେ ଲାଲ ପତାକା ଉତ୍ତୋଳନ କରିଥିବାର ଦେଖାଯାଇଥିଲା ।


