ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଗଜପତି ପ୍ରଶାସନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରସ୍ତୁତି ଆରମ୍ଭ କରିଛି ଗଜପତି ଜିଲ୍ଲା ପ୍ରଶାସନ । ଏନେଇ ଅତିରିକ୍ତ ଜିଲ୍ଲାପାଳ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାର ସମସ୍ତ ବିଡିଓ ଏବଂ ତହସିଲଦାରମାନଙ୍କୁ ନେଇ ବାତ୍ୟା ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ସହ ଏହାର ମୁକବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସପି ଜୟରାମ ଶତପଥୀ, ଉପଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ପ୍ରଭାସ ବେହୁରାଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । ଶୁଖୁଲା ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯେଭଳି ପ୍ରତି ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ପହଞ୍ଚିବ । ସେନେଇ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ କୁହାଯାଇଛି । ବାତ୍ୟା ସମ୍ପର୍କରେ ସୂଚନା ଆଦାନ ପ୍ରଦାନ ପାଇଁ ମୋବାଇଲ ସେବାର ଆବଶ୍ୟକତା ରହିଛି । ତେଣୁ ଏହି ସେବା ଯେଭଳି ସଠିକ ଭାବେ କାର୍ଯ୍ୟ କରିବ ସେଦିଗରେ ଧ୍ୟାନ ଦେବାକୁ ବିଏସଏନଏଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ଜିଲ୍ଲାରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସମସ୍ତ ସ୍କୁଲ ଘର ଖୋଲା ରଖୁବା ସହ ସେଠାରେ ଶିକ୍ଷକମାନେ ଯେଭଳି ଉପସ୍ଥିତ ରହିଥିବେ ସେଥିପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟୁତ ସରବରାହ ଯେଭଳି ଅସୁବିଧା ନକରେ ସେଥିପ୍ରତି ଧ୍ୟାନଦେବା ସହ ସଜାଗ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି । ବାତ୍ୟା କିମ୍ବା ବର୍ଷା ଯୋଗୁଁ କୌଣସି ସ୍ଥାନରେ ରାସ୍ତା ଧୋଇଗଲେ ଏହାର ମରାମତି ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଉଭୟ ପୂର୍ତ୍ତ ଏବଂ ଗ୍ରାମ୍ୟ ନିର୍ମାଣ ବିଭାଗ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ବିଡିଓ ଏବଂ ତହସିଲଦାର ଲୋକ ପ୍ରତିନିଧୀମାନଙ୍କ ସହ ଆଲୋଚନା କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ କୁହାଯାଇଛି । ସେହିଭଳି ଅଗ୍ନିଶମ ବିଭାଗକୁ ବାତ୍ୟାର ମୁକାବିଲା ପାଇଁ ସଜାଗ ରହିବା ସହ ସେମାନଙ୍କ ଯନ୍ତ୍ରପାତିକୁ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ମାଟି ଅତଡା ଧସିବା ସମ୍ଭାବନା ଥିବା ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ କିଭଳି ସୁରୁଖୁରେ ସ୍ଥାନାନ୍ତର କରାଯିବ ଏବଂ ଜିରୋ କାଜୁଆଲଟି ରହିବ ସେଥିପ୍ରତି ସମସ୍ତେ ସଚେତନ ରହିବାକୁ କୁହାଯାଇଛି । ସେହିପରି ସମ୍ଭାବ୍ୟ ବାତ୍ୟାକୁ ନେଇ କାଶୀନଗର ବ୍ଲକ ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଏନେଇ କାଶୀନଗର ବ୍ଲକ ସଭାଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ.ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ କାଶୀନଗର ବ୍ଲକ ଉପାଧ୍ୟକ୍ଷ, ସମସ୍ତ ଜନପ୍ରତିନିଧି,ବ୍ଲକ ଅଧିକାରୀ, ଅଗ୍ନିଶମ ବିଭାଗ, ଯନ୍ତ୍ରୀ ମାନେ ଯୋଗଦେଇ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆଲୋଚନା କରିଥିଲେ । ଏହାସହ ବାତ୍ୟା ସମ୍ପର୍କିତ ତଥ୍ୟ ପ୍ରଦାନ କରିବା ସହ ଏହାର ମୁକବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଶୁଖିଲା ଖାଦ୍ୟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯେଭଳି ପଞ୍ଚାୟତ ସ୍ତରରେ ପହଞ୍ଚିବା, ବ୍ଲକରେ ଥିବା ବାତ୍ୟା ଆଶ୍ରୟସ୍ଥଳୀ ଓ ସମସ୍ତ ସ୍କୁଲ ଘର ଖୋଲା ରଖିବା ସହ ସେଠାରେ ଶିକ୍ଷକମାନେ ଯେଭଳି ଉପସ୍ଥିତ ରହିଥିବେ ସେଥିପ୍ରତି ଧ୍ୟାନ ଦେବାକୁ କୁହାଯାଇଛି । ଏହା ସହ ସମସ୍ତ ବିଭାଗକୁ ସଜାଗ ରହି ଦାୟିତ୍ବ ସମ୍ପାଦନା କରିବାକୁ ବିଭାଗୀୟ ଅଧିକାରୀଙ୍କୁ କୁହାଯାଇଛି ।