ସଠିକ୍ ସମ୍ପତ୍ତି ତାଲିକା ଦେବାକୁ କୁଣ୍ଠିତ ସରକାରୀ କର୍ମଚାରୀ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ଚିଠି ନଂ-୦୨/ଏସ୍.ଇ/ତା-୧-୧-୨୦୨୨ ରିଖରେ ସମସ୍ତ ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କୁ ଗ୍ରୁପ୍-ଏ ରୁ ଗ୍ରୁପ୍-ଡି ସମସ୍ତ କର୍ମଚାରୀ ନିଜର ଗତ ତା-୧-୧-୨୦୨୧ ଠାରୁ ତା-୩୧-୧୨-୨୦୨୧ର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ନିଜ ଏଚ୍.ଆର୍.ଏମ୍.ଏସ ପୋର୍ଟାଲ ମାଧ୍ୟମରେ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ । ପରବର୍ତ୍ତୀ ସମୟରେ ସରକାରୀ କର୍ମଚାରୀ ମାନେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇ ବ୍ୟସ୍ତତା ଭିତରେ ନିର୍ଦ୍ଧାରିତ ସମୟରେ ସମ୍ପତ୍ତି ତାଲିକା ଦାଖଲ କରିପାରିନଥିବାରୁ ପୁନର୍ବାର ସମ୍ପତ୍ତି ତାଲିକା ଦାଖଲ ପାଇଁ ମାର୍ଚ୍ଚ ୩୧, ୨୦୨୨କୁ ବର୍ଦ୍ଧିତ ହୋଇଥିଲା । ଏହା ପରେ ମଧ୍ୟ ଅଧିକାଂଶ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନଥିବା ସରକାରଙ୍କ ଦୃଷ୍ଟିଗୋଚର ହୋଇଥିଲା । ସହରାଞ୍ଚଳ ସ୍ୱାୟତ ଶାସନ ନିର୍ବାଚନରେ ସରକାରୀ କର୍ମଚାରୀ ମାନେ ବ୍ୟସ୍ତ ରହି ବର୍ଦ୍ଧିତ ଓ ନିର୍ଦ୍ଧାରିତ ତାରିଖ ସୁଧା ମଧ୍ୟ ସମ୍ପତ୍ତି ତାଲିକା ଦାଖଲ ନକରିବାରୁ ସମ୍ପତ୍ତି ତାଲିକା ଦାଖଲ ନିମନ୍ତେ ସର୍ବଶେଷ ବର୍ଦ୍ଧିତ ତାରିଖ ଏପ୍ରିଲ ୩୦କୁ ଧାର୍ଯ୍ୟ କରାଯାଇଥିଲା । ସର୍ବଶେଷ ନିର୍ଦ୍ଧାରିତ ତାରିଖ ମଧ୍ୟରେ କେତେକ ସରକାରୀ କର୍ମଚାରୀ ସମ୍ପତ୍ତି ତାଲିକା ଦାଖଲ କରିନଥିବା ଜଣାଯାଇଛି । ବିଶେଷକରି ଅନେକ ଶିକ୍ଷକ ସମ୍ପତ୍ତି ତାଲିକା ଦାଖଲ କରିନଥିବାରୁ ଏହା ସରକାରୀ ନିର୍ଦ୍ଦେଶନାମାକୁ ବାଟବଣା କରିଛି । ଅପରପକ୍ଷେ ସରକାରୀ କର୍ମଚାରୀ ମାନେ ସରକାରଙ୍କୁ ଆୟକର ଫାଙ୍କିବାକୁ ସଠିକ୍ ସମ୍ପତ୍ତି ତାଲିକା ନଦେଇ ଯଥେଷ୍ଟ କମ୍ ସମ୍ପତ୍ତି ତାଲିକା ଦେଉଥିବା ଅଭିଯୋଗ ହୋଇଛି । ସରକାର ନିଜ ତରଫରୁ ଚାହିଁଲେ କର୍ମଚାରୀ ମାନଙ୍କର ପ୍ରକୃତ ସମ୍ପତ୍ତିର ହିସାବ ପାଇ ପାରିବେ । ସରକାରୀ କର୍ମଚାରୀ ମାନଙ୍କ ଆଧାର ଓ ପାନକାର୍ଡ ନମ୍ବର ବ୍ୟବହାର କରି ସରକାର ସେମାନଙ୍କର ବ୍ୟାଙ୍କ ଜମା ସହିତ ଭୂସମ୍ପତ୍ତି, ମଟରଯାନ ସମ୍ପତ୍ତିର ହିସାବ ବାହାର କରିପାରିବେ । ଏହାଦ୍ୱାରା ସରକାରଙ୍କୁ ଟ୍ୟାକ୍ସ ଫାଙ୍କୁ ଥିବା ଓ ଦୁର୍ନୀତିଖୋର କର୍ମଚାରୀ ମାନେ ସାବାଡ ହେବା ସହିତ ରାଜକୋଷ ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବି ମାନେ କହିଛନ୍ତି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ ହୋଇଛି ।


