ରାସ୍ତାରେ ବାଲି ବଦଳରେ ପଡୁଛି ମାଟି : ଧାର୍ଯ୍ୟ ସମୟ ସରିଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସରୁନି
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଓଡଙ୍ଗ ପଞ୍ଚାୟତ ଠାରୁ ଭରସିଂପୁର ଭାୟା ମହିଂଶଡିହ, ସାହାଡାଗଢିଆ, ସୁଆପଦା ରାସ୍ତାରେ ବାଲି ବଦଳରେ ମାଟି ପକାଯାଉଥିବା ବେଳେ ଧାର୍ଯ୍ୟ ସମୟ ଗଡି ଯାଇଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ସରୁନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୮ କିମି ଦୈର୍ଘ୍ୟ ବିଶିଷ୍ଟ ରାସ୍ତାର ଉନ୍ନତିକରଣ ପାଇଁ ୫୮.୮୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିଲା । ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଦାୟୀତ୍ୱ ନେଇଥିବା ସଂପୃକ୍ତ ଠିକାଦାର ମନୋମୁଖୀ ଭାବେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ସାଇଡ୍ ୱାଲ ନିର୍ମାଣ ବେଳେ ବାଲି ବଦଳରେ ମାଟି ପକାଯାଇ ପୂରଣ କରାଯାଉଛି । ଅନେକ ସ୍ଥାନରେ ରାସ୍ତାକୁ ଖୋଳି ଦିଆଯାଇ କାର୍ଯ୍ୟ କରାଯାଉନଥିବାରୁ ସାଧାରଣଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର କଂକ୍ରିଟ୍ କାର୍ଯ୍ୟ ଅତିନିମ୍ନମାନର ହେଉଛି । ଉକ୍ତ କାର୍ଯ୍ୟ ଗତ ୨୧ ଡିସେମ୍ବର ୨୦୨୧ରୁ ଆରମ୍ଭ ହୋଇ ୨୦ ଫେବୃଆରୀ ୨୦୨୨ରେ ଶେଷ ହେବାକୁ ଥିବା ବେଳେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଶେଷ ହୋଇନାହିଁ । କାର୍ଯ୍ୟସ୍ଥଳରେ ବିଭାଗୀୟ ଯନ୍ତ୍ରୀ ଅନୁପସ୍ଥିତ ରହୁଥିବାରୁ ଠିକାଦାର ନିଜ ଇଛାରେ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।


