ଓଡ଼ିଶାରେ ପ୍ରଥମ ଥର ପାଇଁ ବ୍ଲଡ୍ ଷ୍ଟେମ୍ ସେଲ୍ ନମୁନା ସଂଗ୍ରହ ଅଭିଯାନ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ପୁନେ ସ୍ଥିତ ଅଗ୍ରଣୀ ପ୍ରବାସୀ ଓଡ଼ିଆ ସ୍ଵେଚ୍ଛାସେବୀ ସଂଗଠନ ସ୍ପ୍ରେଡ୍ ହାପିନେସ୍ ଫାଉଣ୍ଡେସନ୍ ସମାଜ ସେବା କ୍ଷେତ୍ରରେ ଆଉ ପାଦେ ଆଗକୁ ବଢିଛି I ଆଜି ବିଶ୍ୱ ଥାଲାସେମିଆ ଦିବସ ଅବସରରେ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ୍ ଏଵଂ ଦାତ୍ରି ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ସଭା ଗୃହରେ ଏକ ବ୍ଲଡ୍ ଷ୍ଟେମ୍ ସେଲ୍ ନମୁନା ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ବ୍ଲଡ଼ କ୍ୟାନ୍ସର ଏବଂ ଥାଲାସେମିଆରେ ପୀଡ଼ିତ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଏହି ବ୍ଲଡ଼ ଷ୍ଟେମ୍ ସେଲ ସଂଗ୍ରହ ଅଭିଯାନ ଓଡ଼ିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ଥିଲା କ୍ୟାନ୍ସର ପୀଡ଼ିତ ଲୋକ ମାନଙ୍କ ପାଇଁ ପୁଣି ଜୀବନର ନୂତନ ଆଶା ସଂଚାର କରିବା। ସ୍ପ୍ରେଡ଼ ହାପିନେସ ଫାଉଣ୍ଡେସନର ଏହି ପଦକ୍ଷେପ ଓଡ଼ିଶା ଇତିହାସରେ ଏକ ନୂତନ ଯୁଗର ଆରମ୍ଭ କରିଛି । ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ୍ ସଂଗଠନ ସଭାପତି ଅଧ୍ୟକ୍ଷ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ବେଲଗୁଣ୍ଠା ପ୍ରେସ୍ କ୍ଲବ୍ ସଭାପତି ତଥା ଉତ୍କଳ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର,ସ୍ଵତନ୍ତ୍ର ଅତିଥି ଭାବେ ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ ପାତ୍ର,ରୋଟାରୀ କ୍ଲବ୍ ସଭାପତି ଭି ଦେବୀ ପ୍ରସାଦ ପାତ୍ର, କାଉନସିଲର୍ ଦିବ୍ୟରଞ୍ଜନ ଦାଶ ଏବଂ ଭାସ୍କର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ I ଅନୁଷ୍ଠାନର ସଭାପତି ସୌମ୍ୟ ରଞ୍ଜନ ମହପାତ୍ର ଏହି ଅଭିଯାନର ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଅଞ୍ଚଳର 70 ରୁ ଊର୍ଦ୍ଧ୍ବ ବୁଦ୍ଧିଜୀବୀ, ବିଜ୍ଞାପିତ ଅଞ୍ଚଳ ପରିଷଦ କର୍ମଚାରୀ,ଯୁବ ସମାଜସେବୀ,ଥାନା କର୍ମଚାରୀ ଏବଂ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀମାନେ ଉପସ୍ଥିତ ରହି ସ୍ଵେଚ୍ଛାକୃତ ଭାବେ ନିଜର ବ୍ଲଡ୍ ଷ୍ଟେମ୍ ସେଲ୍ ନମୁନା ଦେଇ ନିଜ ନାମକୁ ପଞ୍ଜୀକୃତ କରିଥିଲେ। କାର୍ଯ୍ୟକ୍ରମରେ ସ୍ପ୍ରେଡ୍ ହାପିନେସ ଫାଉଣ୍ଡେସନ୍ ସଦସ୍ୟ ଅଖିଳ ଜେନା, ଶୁଭକାନ୍ତ ନାୟକ, ଶୁଭମ୍ ପାତ୍ର ଏବଂ ଗଣେଶ ଦଳାଇ ପ୍ରମୁଖ ଉପସ୍ଥିତ ରହି ନମୁନା ସଂଗ୍ରହରେ ସହଯୋଗ କରିଥିଲେ I ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ ବିଭିନ୍ନ ଗ୍ରାମାଞ୍ଚଳରେ ଆୟୋଜନ କରାଯିବା ସହିତ ଲୋକମାନଙ୍କୁ ସଚେତନ କରାଯିବ ବୋଲି ଅନୁଷ୍ଠାନ ଅଧ୍ୟକ୍ଷ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି I ଅନ୍ୟମାନଙ୍କ ମଧ୍ୟରେ ବେଲଗୁଣ୍ଠା ଥାନା ଏସ୍ଆଇ ନାରାୟଣ ନାୟକ, ଏଏସ୍ଆଇ ଜିବି ଦାସ,ସାମ୍ବାଦିକ ଚନ୍ଦନ ସାହୁ, ସରୋଜ ଶତପଥୀ, ଶିବରାମ ଚୌଧୂରୀ,ଏନ୍ଏସି କର୍ମଚାରୀ ବାବୁଲା ଗୌଡ଼,ମଙ୍ଗୁଳୁ ମୁନି ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପ୍ରକାଶ ଥାଉକି ବ୍ଲଡ୍ ଷ୍ଟେମ୍ ସେଲ୍ କର୍କଟ ରୋଗୀଙ୍କ ଜୀବନ ରକ୍ଷା ପାଇଁ ଅତି ଜରୁରୀ ହୋଇଥିବା ବେଳେ ଭାରତ ବର୍ଷରେ ମାତ୍ର ପାଖାପାଖି ପାଞ୍ଚ ଲକ୍ଷ ଲୋକ ବ୍ଲଡ୍ ଷ୍ଟେମ୍ ସେଲ୍ ନମୁନା ଦେଇ ପଞ୍ଜୀକୃତ ହୋଇଛନ୍ତି I ତେଣୁ ଅନୁଷ୍ଠାନ ପକ୍ଷରୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏହିଭଳି ଅଭିନବ ପ୍ରୟାସକୁ ସ୍ଥାନୀୟ ବୁଦ୍ଧିଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି I ସୂଚନା ପ୍ରକାରେ ସଂଗୃହୀତ ବ୍ଲଡ୍ ଷ୍ଟେମ୍ ସେଲ୍ ଯୁକ୍ତ ରାଷ୍ଟ୍ର ଅମେରିକାର ଏକ ଲବ୍ରୋଟୋରୀକୁ ପଠାଇ ସେଠାରେ ସଂରକ୍ଷିତ କରାଯାଏ I କର୍କଟ ରୋଗୀଙ୍କ ଜୀବନ ରକ୍ଷା ପାଇଁ ସେହି ଲାବ୍ରୋଟୋରୀ ପକ୍ଷରୁ ପଞ୍ଜୀକୃତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରାଯାଇଥାଏ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ