ଦୁର୍ଗନ୍ଧରେ ନାକ ଫାଟୁଛି : ଅତ୍ୟାଧୁନିକ ଆମିଷ ବଜାରରେ ଅବ୍ୟବସ୍ଥା : ପ୍ରଶାସନର ଦୃଷ୍ଟି ପଡିବ କେବେ ?
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ରାଜ୍ୟର ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା ମୁଖ୍ୟମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସଦା ସର୍ବଦା ଗୁରୁତ୍ୱ ପ୍ରଦାନ କରିଛନ୍ତି।ସାଧାରଣ ଜନତାଙ୍କ ଆବଶ୍ୟକତା ଅନୁଯାୟୀ ହିଞ୍ଜିଳିରେ ବିକାଶ ପ୍ରକ୍ରିୟାକୁ ଅଗ୍ରାଧିକାର ପ୍ରଦାନ କରାଯାଇଛି ଓ ବହୁ ଉନ୍ନୟନ ପ୍ରକଳ୍ପ ଗୁଡିକୁ ମଧ୍ୟ ସମ୍ପାଦିତ କରାଯାଇଛି। ସହରାଞ୍ଚଳ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ମଧ୍ୟରେ ସ୍ଥାନୀୟ ପୋୖରାଞ୍ଚଳର ନିୟନ୍ତ୍ରିତ ବଜାର କମିଟିକୁ ଲାଗି ନିର୍ମିତ ହୋଇଛି ଅତ୍ୟାଧୁନିକ ମାଛ ଓ ମାଂସ ବଜାର।ଉକ୍ତ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ରେ ୧ କୋଟି ୧୩ଲକ୍ଷ ୧୨ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଛି ବୋଲି ପୌର ପରିଷଦ ପକ୍ଷରୁ ଦର୍ଶା ଯାଇଛି।କରୋନା ମହାମାରୀ କଟକଣା ବଳବତ୍ତର ଥିବା ସମୟରେ ଗତ ବର୍ଷ ଫେବୃୟାରୀ ୧୧ ତାରିଖରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫେରେନ୍ସ ମାଧ୍ୟମରେ ଅତ୍ୟାଧୁନିକ ମାଛ ମାଂସ ବଜାର ସମେତ ୧୪ଟି ପ୍ରକଳ୍ପକୁ ଲୋକାର୍ପଣ କରିଥିଲେ।ଉଦଘାଟନ ସମୟରେ ମାଛ ମାଂସ ବଜାରର ଚିକ୍କଣିଆ ଚିତ୍ର ଏବେ ସାଧାରଣଙ୍କ ପାଇଁ ବଦଳି ଯାଇଛି।ପୌର ପରିଷଦ ପକ୍ଷରୁ ବ୍ୟବସାୟୀ ମାନଙ୍କୁ ଦୋକାନ ଗୃହ ଯୋଗାଇ ଦିଆଯାଇଛି।ମାଂସ ଓ ମାଛ ବ୍ୟବସାୟ ନିମନ୍ତେ ସ୍ୱତନ୍ତ୍ର ଦୋକାନ ଗୃହ ନକ୍ସା ଅନୁଯାୟୀ ନିର୍ମିତ ହୋଇଛି । ବଜାରର ସମ୍ମୁଖ ଅଂଶ ମାଂସ ବ୍ୟବସାୟୀଙ୍କୁ ଦିଆଯାଇଛି। ଦୁଇ ପାର୍ଶ୍ୱରେ ଥିବା ଦୋକାନ ଗୃହ ଗୁଡିକୁ ମାଛ ବ୍ୟବସାୟୀଙ୍କୁ ଆବଣ୍ଟନ କରାଯାଇଛି।ଦୀର୍ଘ ଦିନ ହେଲା ଆମିଷ ବ୍ୟବସାୟୀଙ୍କ ତରିକା ବଦଳି ଯାଇଛି।କିଛି ମାଂସ ଓ ମାଛ ବ୍ୟବସାୟୀ ଗ୍ରାହକଙ୍କ ଲାଗି ଉଦ୍ଧିଷ୍ଟ ସ୍ଥାନକୁ ଅବରୋଧ କରି ଦୈନନ୍ଦିନ ଏଭଳି ବେଫିକର ଢଙ୍ଗରେ ନିଜ ନିଜ ବ୍ୟବସାୟ ଚଳାଉ ଥିବା ଦେଖାଯାଇଛି।ସବୁଠାରୁ ଉଦବେଗର ବିଷୟ ହେଲା, ମାଛ ଓ ମାଂସର ଅଦରକାରୀ ଅଂଶ ଏଣେ ତେଣେ ଫୋପାଡ଼ି ଦିଆ ଯାଉ ଥିବା ଦେଖାଯାଇଛି।ଆମିଷର ପଚାସଢା ଆବର୍ଜନା ଅଂଶ କୃଷି କାର୍ଯ୍ୟାଳୟ ରାସ୍ତା ଓ ଏହାର ନିକଟବର୍ତ୍ତୀ ସ୍ଥାନ ଗୁଡ଼ିକରେ ଏଣେତେଣେ ପଡିରହୁଛି । ସଂପୃକ୍ତ ରାସ୍ତା ନିକଟରେ କୃଷି କାର୍ଯ୍ୟାଳୟ, କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର, ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବାସଗୃହ ସମେତ ଉପଖଣ୍ଡ ଚିକିତ୍ସାଳୟ ଅବସ୍ଥିତ । ଉପଖଣ୍ଡ ଚିକିତ୍ସାଳୟ ଉପରେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ୪୦ରୁ ଉର୍ଦ୍ଧ୍ବ ଗ୍ରାମର ଲୋକେ ଚିକିତ୍ସା ସେବା ସକାଶେ ନିର୍ଭର କରିଥାନ୍ତି । ଦୈନିକ ହଜାର ରୋଗୀ ଓ ସର୍ମ୍ପକୀୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଲୋକେ ନିକରେ ରୁମାଲ ଦେଇ ଯାତାୟତ କରୁଥିବାର ଦେଖିବାକୁ ମିଳିଛି । ପରିସ୍ଥିତି ଏଭଳି ହୋଇଛି କିଛି ଦିନ ପରେ ସ୍ଥାନୀୟ ଅଞ୍ଚଳରେ ମହାମାରୀ ରୋଗକୁ ଆମନ୍ତ୍ରଣ କରାଯାଉଛି । ଏଭଳି ଭାବେ ଏକ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟରେ ବ୍ୟବସାୟୀ ମାନେ ବ୍ୟବସାୟ ଚଳାଇ ଥିଲା ବେଳେ ସ୍ଥାନ ଅଭାବ ଯୋଗୁଁ ଅସୁରକ୍ଷିତ ଭାବେ ଗ୍ରାହକ ମାନେ ମାଛ,ମାଂସ କିଣା କିଣି କରୁଥିବା ନିତିଦିନିଆ ଘଟଣା ପାଲଟିଛି । ସ୍ୱଚ୍ଛତା ସହ ସ୍ୱାସ୍ଥ୍ୟ ସୁରକ୍ଷା ଭଳି ଜଡିତ ଉକ୍ତ ସମ୍ବେଦନଶୀଳ ପ୍ରସଙ୍ଗରେ ମନୁଷ୍ୟକୃତ ପ୍ରତିକୂଳ ପରିସ୍ଥିତି ସୃଷ୍ଟି ଉପରେ ନିୟନ୍ତ୍ରଣ କରିବା କାହା ଦାୟିତ୍ୱରେ ନ୍ୟସ୍ତ ରହିଛି ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।ଏହାର ସ୍ଥାୟୀ ପ୍ରତିକାର ନିମନ୍ତେ ସବୁ ମହଲରେ ଦାବି ଉଠିଛି।ଏଥିପାଇଁ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଛି ।


