ସମ୍ଭାବ୍ୟ ବାତ୍ୟା ଅସାନି ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ : କଳାବଜାରୀ ଉପରେ କଡା ନଜର
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ଦକ୍ଷିଣ – ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଅସାନିର ମୁକାବିଲା ପାଇଁ ଏସଆରସି ପ୍ରଦୀପ ଜେନା ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । । ଭାରତୀୟ ପାଣିପାଗ ବିଭାଗ ଓ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ସାମୁଦ୍ରିକ ଝଡ ଅସାନି ଭୀଷଣ ବାତ୍ୟାର ରୂପ ନେଇଛି । ବର୍ତ୍ତମାନ ଏହା ପୁରୀ ଠାରୁ ୭୪୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇ ଘଣ୍ଟାକୁ ୨୧କିମି ବେଗରେ ଗତି କରୁଥିବା ସୂଚନା ମିଳିଛି । ସ୍ଥଳଭାଗ ଛୁଇଁବାର ସମ୍ଭାବନା ନଥିଲେ ମଧ୍ୟ ଉପକୂଳ ଜିଲ୍ଲାରେ ମଙ୍ଗଳବାର ସନ୍ଧ୍ୟାରୁ ୧୨ ତାରିଖ ଯାଏଁ ଭୀଷଣ ବର୍ଷା ହେବା ପୂର୍ବାନୁମାନ କରାଯାଇଛି । ମଙ୍ଗଳ ଓ ବୁଧବାର ୨ ଦିନ ଧରି ଗଞ୍ଜାମ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଭାସି ବୈଠକ ମାଧ୍ୟମରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ଓ ଲାଇନ ବିଭାଗର ଅଧିକାରୀ ମାନଙ୍କୁ ସଜାଗ ରହିବା ସକାଶେ ପରାମର୍ଶ ଦେଇଛନ୍ତି । ତଦନୁଯାୟୀ ହିଞ୍ଜିଳିକାଟୁ ପ୍ରଶାସନିକ ଅଧିକାରୀଙ୍କୁ ଜିରୋ ଟଲେରାନ୍ସ ପଦକ୍ଷେପ ଗ୍ରହଣ କରିବା ସକାଶେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କ ନିର୍ଦ୍ଦେଶାନୁଯାୟୀ ତଳିଆ ଅଞ୍ଚଳର ଲୋକ ମାନଙ୍କୁ ଉଚ୍ଚା ପକ୍କାଘର କିମ୍ବା ବାତ୍ୟା ଆଶ୍ରୟସ୍ଥଳୀରେ ରଖାଯିବା ପାଇଁ ପ୍ରସ୍ତୁତ କରାଯାଇଛି । ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଜଳମଗ୍ନ ହେବାକୁ ଥିବା ଖାଲୁଆ ଅଞ୍ଚଳ ଗୁଡିକର ପ୍ରତିକାର ନିମନ୍ତେ ସମସ୍ତ ପ୍ରକାର ଆଶୁ ବ୍ୟବସ୍ଥା କରାଯାଇଛି । ସ୍ଥାନୀୟ ସହରରେ ଖାଦ୍ୟ ସାମଗ୍ରୀ ଗଚ୍ଛିତ ଥିବାରୁ ଆତଙ୍କିତ ନହୋଇ ବହୁ ପରିମାଣର ଅତ୍ୟାବଶ୍ୟକ ସାମଗ୍ରୀ କିଣି ଆଣି ମହଜୁଦ କରି ରଖିବାକୁ ବାରଣ କରାଯାଇଛି । ବାତ୍ୟା ସମୟରେ ରାସ୍ତାଘାଟ ଯେପରି ଯାତାୟତରେ ସମସ୍ୟା ସୃଷ୍ଟି ନହୁଏ, ସେଥିପ୍ରତି ସ୍ଥାନୀୟ ଅଗ୍ନିଶମ ବିଭାଗ ସଜାଗ ରହିଛି । ଗର୍ଭବତୀ, ଶିଶୁ, ବୟସାଧିକ ବୃଦ୍ଧ/ବୃଦ୍ଧା ଆଦିଙ୍କ ସୁରକ୍ଷା ଓ ନିରାପଦ ସକାଶେ ଉପଖଣ୍ଡ ଚିକିତ୍ସାଳୟ ଓ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସ୍ଥାନୀୟ ବ୍ଳକର ବଳରାମପୁର, ବୁରୁପୋଡା, ଖଣ୍ଡରା, ଆଲପୁର, ରାଳବ ଓ ଖରିଡା ପ୍ରମୂଖ ନଦୀକୂଳିଆ ଅଞ୍ଚଳର ବନ୍ୟା /ବାତ୍ୟା ଆଶ୍ରୟସ୍ଥଳୀ ଏବଂ ବିଦ୍ୟାଳୟ ଗୁଡିକୁ ସୁରକ୍ଷିତ ସ୍ଥାନ ଭାବେ ପ୍ରସ୍ତୁତ କରାଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀର କଳାବଜାରୀ ଉପରେ କଡା ଆଭିମୁଖ୍ୟ ଓ ଅନ୍ୟାନ ଆଶୁ ପଦକ୍ଷେପ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ଅସାନି ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି ଗ୍ରହଣ କରାଯାଇଛି ବୋଲି ତହସିଲଦାର ପ୍ରଭାତ କୁମାର ପରିଡା, ବିଡିଓ ସୁବ୍ରତ ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ. ମନୋରଞ୍ଜନ ସାହୁ, ସିଡିପିଓ ଅଂଶୁପା ସାହୁ, ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ, ଅଗ୍ନିଶମ ଅଧିକାରୀ ଗୌତମ ସାହୁ ପ୍ରମୁଖ ସୂଚନା ଦେଇଛନ୍ତି ।


