ପୁଲିସ ଛାଉଣୀରେ ହେଲା ଜମ୍ଭରା ବାଲିଘାଟର ଜନ ଶୁଣାଣି
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ତହସିଲ ଅଧିନସ୍ଥ ହାବଳେଶ୍ୱର ପଞ୍ଚାୟତର ଜମ୍ଭରା ବୈତରଣୀ ବାଲିଘାଟର ପରିବେଶ ମଞ୍ଜୁର ପାଇଁ ଜନଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ଆଞ୍ଚଳିକ ପ୍ରଦୁ୍ୟଷଣ ବୋର୍ଡ ଅଧିକାରୀ ପୁଷ୍କର ଚରଣ ବେହେରାଙ୍କ ସଂଯୋଜନାରେ ଆୟୋଜିତ ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମାହାଲା ଯୋଗଦେଇ ବାଲିଘାଟ ଚାଲିବାପାଇଁ ସରକାରଙ୍କ ଥିବା ନୀତି ନିୟମ ସମ୍ପର୍କରେ ସୁଚନା ଦେଇଥିଲେ । ପରିବେଶ ମଞ୍ଜୁରୀ ପାଇଁ କୌଣସି ଅଭିଯୋଗ କିମ୍ବା ପରାମର୍ଶ ଉପସ୍ଥାପନ କରିବାକୁ ପ୍ରଦୁ୍ୟଷଣ ଅଧିକାରୀ ଉପସ୍ଥିତ ଜନସାଧାରଣଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଲିଜଧାରୀଙ୍କ ପ୍ରତିନିଧି ସରକାରଙ୍କ ସମସ୍ତ ନୀତି ନିୟମାନୁଯାୟୀ ବାଲିଘାଟ ଚଳାଇବାକୁ ଘୋଷଣା କରିଥିଲେ । ବାଲିଘାଟ ଦ୍ୱାରା ଅଞ୍ଚଳର ଅନେକ ଶ୍ରମିକ ନିଯୁକ୍ତି ପାଇବା ସହ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ, ରାସ୍ତା ଘାଟ ମରାମତି, ପାଲ ଘୋଡାଇ ବାଲିପରିବହନ ଭଳି ପଦକ୍ଷେପ ନେବାକୁ ମତ ରଖିଥିଲେ । ବାଲିଘାଟ ସପକ୍ଷବାଦୀ ଲୋକମାନେ ବାଲିଘାଟ ଚାଲିଲେ ଏ ଅଞ୍ଚଳର ଶ୍ରମିକମାନେ ଦୁଇପଇସା ରୋଜଗାର କରି ସେମାନଙ୍କ ପରିବାର ପ୍ରତିପୋଷଣ କରିପାରିବେ ବୋଲି କହିବାସହ ଅନେକ ଦିନ ହେଲା ଏ ଅଞ୍ଚଳର କିଛି ବେକାର ଯୁବକ ବାଲିଘାଟ ନିଲାମପାଇଁ ଲକ୍ଷ ଲକ୍ଷ ଟଙ୍କା ଧାର କରଜ କରିଥିବା ଅଭିଯୋଗ କରିବା ସହ କିପରି ଅତିଶୀଘ୍ର ବାଲିଘାଟ ଚାଲିବ ସେନେଇ ସୁ ବ୍ୟବସ୍ଥା କରିବାକୁ ପ୍ରଶାସନିକ ଅଧିକାରୀଙ୍କୁ ନିବେଦନ କରିଥିଲେ । ଅନ୍ୟପକ୍ଷରେ ବାଲିଘାଟ ବିପକ୍ଷବାଦୀ ଲୋକମାନେ ବାଲିଘାଟ ପର୍ଯ୍ୟନ୍ତ ରାସ୍ତା ନଥିବାରୁ ବାଲିଘାଟକୁ ନିଲାମ ଦେବା ଏକ ପ୍ରହସନ ବୋଲି ମତବ୍ୟକ୍ତ କରିବା ସହିତ ବାଲିଗାଡି ଚାଲିବାଦ୍ୱାରା ଗାଁ ଗହଳିର ସାଧାରଣ ରାସ୍ତାଘାଟ ନଷ୍ଟ ହେବାସହ ସ୍କୁଲ କଲେଜ ଛାତ୍ରଛାତ୍ରୀମାନେ ଯାତାୟତରେ ଘୋର ଅସୁବିଧା ଭୋଗିବେ ବୋଲି ମତ ରଖିଥିଲେ । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ତହସିଲଦାର ଦିଲ୍ଲିପ କୁମାର ସାହୁ, ଅତିରିକ୍ତ ତହସିଲଦାର ରଶ୍ମୀ ରଞ୍ଜନ ଦାସ, ଆରକୁ୍ୟପି ପବିତ୍ର ମୋହନ ସ୍ୱାଇଁ, ଆର.ଆଇ ସୌମ୍ୟା ବଳ, ମାନସ କୁମାର ପାଢ଼ୀ, ସ୍ଥାନୀୟ ସରପଞ୍ଚ ରମାକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ଆଖପାଖ ଗ୍ରାମର ଶତାଧିକ ଲୋକ ଶିବିରରେ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆନନ୍ଦପୁର ଏସଡିପିଓ ଅନିଲ ବେଉରିଆଙ୍କ ସହ ୮ଜର ଇନସପେକ୍ଟରଙ୍କ ସହ ତିନି ପ୍ଲାଟୁନ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା ।