ଅସାନି ପରେ ଅଗ୍ନିବର୍ଷା ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳି ଜନଜୀବନ ଅସ୍ତବ୍ୟସ୍ତ
ହିଞ୍ଜିିଳିକାଟୁ, (ଶେଷଦେବ ସାହୁ) : ଚଳିତ ମାସ ୧୦ ତାରିଖରେ ପ୍ରଭାବ ଦେଖାଇଥିବା ସାମୁଦ୍ରିକ ଝଡ’ ଅସାନି’ ପରେ ହିଞ୍ଜିଳିକାଟୁ ସହରରେ ଆରମ୍ଭ ହୋଇଛି ଅଗ୍ନିବର୍ଷା । ସକାଳ ୯ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଖରା ଓ ଗୁଳୁଗୁଳିର ପ୍ରକୋପ ଏମିତି ଥିଲା ଯେ ଘରୁ ବାହାରକୁ ବାହାରିବା ସମ୍ଭବ ହୋଇପାରୁନାହିଁ । ଏପରିକର ଅଂଶୁଘାତର ଭୟ ମଧ୍ୟ ସୃଷ୍ଟି ହୋଇଥିଲା । ଏହି ସମୟ ମଧ୍ୟରେ ବଜାର ଘାଟ ଶୁନଶାନ ହୋଇପଡ଼ୁଛି । ଅସାନି ପ୍ରଭାବରେ ଏଠାରେ ସେମିତି କିଛି କ୍ଷୟକ୍ଷତି ହୋଇନଥିଲେ ବି ସାମାନ୍ୟ ବର୍ଷା ଓ ପବନ ହୋଇଥିଲା । ଏହାର ପ୍ରଭାରେ ଗ୍ରୀଷ୍ମ ପ୍ରବାହ ଦାଉରୁ ଟିକେ ତ୍ରାହି ମିଳିଥିଲା । ୧୨ ତାରିଖ ଠାରୁ ସହରର ତାପମାତ୍ରା ୪୦ଂ ରୁ ଉର୍ଦ୍ଧ୍ୱ ରହିଛି । ଆଗକୁ ଆହୁରି ତାପମାତ୍ରା ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ଏହାକୁ ନେଇ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି । ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ମୁକାବିଲା ନିମନ୍ତେ ପ୍ରଶାସନ ପ୍ରସ୍ତୁତ ବୋଲି କହୁଛି । ହେଲେ ଅଧିକାଂଶ ସ୍ଥାନରେ ଧୂ ଧୂ ଖରାରେ ଶ୍ରମିକ ମାନେ କାମ କରୁଥିବାର ଦେଖିବାକୁ ମିଳୁଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଆଳ କରି ସରକାରୀ ଅଧିକାରୀ ଓ କର୍ମଚାରୀ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟାଳୟ ଛାଡ଼ି ଚାଲି ଯାଉଥିବା ଦେଖିବାକୁ ମିଳୁଛି । ଯାହା ଫଳରେ ଖରାକୁ ଖାତିର ନକରି ବହୁ ଖର୍ଚ୍ଚାନ୍ତ ହୋଇ ଦୁରଦୂରାନ୍ତରରୁ ଆସୁଥିବା ଲୋକମାନେ ନିରାଶ ହୋଇ ଫେରୁଥିବାର ଦେଖିବାକୁ ମିଳୁଛି ।


