୯ଂ ୱାର୍ଡ଼ର ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ପୌରାଧ୍ୟକ୍ଷା
ବାଲେଶ୍ୱର, (ସରୋଜ ପଣ୍ଡା) :-ନବନିର୍ବାଚିତ ବାଲେଶ୍ୱର ପୌର ପରିଷଦ ଦାୟିତ୍ୱ ଗ୍ରହଣ ପରେ ସମ୍ପ୍ରତି ସହର ବିକାଶ ଓ ଉନ୍ନୟନମୂଳକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏନେଇ କାଉନସିଲରଙ୍କ ସମେତ ପୌରାଧ୍ୟକ୍ଷା ସବିତା ସାହୁ ପୌରାଞ୍ଚଳର ବିଭିନ୍ନ ୱାର୍ଡ଼କୁ ଯାଇ ସେଠାରେ ଚାଲିଥିବା ଉନ୍ନୟନମୂଳକ ନିର୍ମାଣ କାର୍ଯ୍ୟସ୍ଥଳ ପରିଦର୍ଶନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ସେ ରବିବାର ୯ ନ ୱାର୍ଡ଼ର ଅଙ୍ଗାରଗଡ଼ିଆ ଅଞ୍ଚଳ ପରିଦର୍ଶନରେ ଯାଇ ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ତିଆରି ହେଉଥିବା ପକ୍କାନାଳ ଓ ରାସ୍ତା କାମର ଗୁଣାତ୍ମକ ମାନ ପରଖିବା ସହ ଧାର୍ଯ୍ୟ ସମୟ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ପୌରାଧ୍ୟକ୍ଷା ଶ୍ରୀମତୀ ସାହୁ ଠିକାଦାରଙ୍କ ସମେତ ତଦାରଖକାରୀ ପୌର ଯନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି । ଏଥି ସହିତ ୯ ନଂ ୱାର୍ଡ଼ରେ ଥିବା ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ କାଉନସିଲର ସଞ୍ଜୀବ ଦାସଙ୍କ ଉପସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ସେ ପଚାରି ବୁଝିଥିଲେ । ଅଗ୍ରାଧିକାର ଭିତ୍ତିରେ ସ୍ଥାନୀୟ ସମସ୍ୟା ସମାଧାନ କରାଯିବ ବୋଲି ଶ୍ରୀମତୀ ସାହୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପୌରାଧ୍ୟକ୍ଷାଙ୍କ ଏତାଦୃଶ ପଦକ୍ଷେପକୁ ନେଇ କାଉନସିଲର ଶ୍ରୀ ଦାସଙ୍କ ସମେତ ସ୍ଥାନୀୟ ବାସିନ୍ଦାମାନେ ଭୂୟସୀ ପ୍ରଶଂସା କରିଛନ୍ତି ।


