ତିନି ଦିନିଆ ବୁଦ୍ଧ ଜୟନ୍ତୀ ଉତ୍ସବ ଉଦଘାଟିତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :-କୋଣାର୍କ ନିକଟସ୍ଥ ଐତିହାସିକ ବୌଦ୍ଧପୀଠ, କୁରୁମ ଠାରେ ବୌଦ୍ଧ ବିକାଶ ପରିଷଦ ଆନୁକୂଲ୍ୟରେ ଆୟୋଜିତ ୩ଦିନିଆ ବୁଦ୍ଧ ଜୟନ୍ତୀ ଉତ୍ସବକୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭାରମ୍ଭ କରିଛନ୍ତି । ଖବରରୁ ପ୍ରକାଶ ଯେ ବିଗତ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ବୌଦ୍ଧ ପୂର୍ଣ୍ଣିମା ଅବସରରେ ଉତ୍କଳୀୟ କଳା, ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ ରଖିବା ଲାଗି ବୌଦ୍ଧ ବିକାଶ ପରିଷଦ, ଚାରିଗାଁ ଆନୁକୂଲ୍ୟରେ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଭାବେ ରାଜ୍ୟସରକାରଙ୍କ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ ଯୋଗ ଦେଇ ବିଲୁପ୍ତ କଳା, ସଂସ୍କୃତି ଓ ପରମ୍ପରାକୁ ଜନମାନସରେ ଉଜ୍ଜୀବିତ ରଖିବା ଲାଗି ବୌଦ୍ଧ ବିକାଶ ପରିଷଦର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ପୀଠର ଉନ୍ନତିକରଣ ଓ ଅଧିକରୁ ଅଧିକ ପର୍ଯ୍ୟଟକ ମାନଙ୍କ ଆଗମନ କିଭଳି ଭାବେ ବୃଦ୍ଧି ପାଇବ ଏ ଦିଗରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପଦକ୍ଷେପମାନ ଗ୍ରହଣ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମତବ୍ୟକ୍ତ କରିଥିଲେ । ପରିଷଦ ସଭାପତି ହରିହର ସ୍ୱାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଗବେଷକ ବ୍ରଜବନ୍ଧୁ ଦାସ ଓ କୁରୁଜଙ୍ଗ ଗ୍ରାମପଞ୍ଚାୟତର ସମିତିସଭ୍ୟ କୌଳାସ ଚନ୍ଦ୍ର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମହାବୀର ଭଜନଧାରା ଦ୍ଵାରା ଭଜନ ପରିବେଷଣ କରାଯାଇଥିଲା ବେଳେ ନୃତ୍ୟାଳୟା, ନିମାପଡା ଦ୍ଵାରା ଓଡିଶୀ ନୃତ୍ୟ ପରିବେଷିତ ହୋଇଥିଲା। ପରେ ପରେ କୋଣାର୍କ ନାଟ୍ୟ ମଣ୍ଡପ କଳାକାର ମାନଙ୍କ ଦ୍ଵାରା ଗୋଟିପୁଅ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ କୃଷ୍ଣଲୀଳା ପରିବେଷଣ ଦର୍ଶକ ମାନଙ୍କୁ ବିମୋହିତ କରିଥିଲା । ଏହି କାର୍ଯ୍ୟକ୍ରମକୁ ବୌଦ୍ଧ ବିକାଶ ପରିଷଦର ସଂପାଦକ ମଂଗରାଜ ବିଶ୍ୱାଳ,ପ୍ରତାପ ରାଉତ, ଉପଦେଷ୍ଟା ପ୍ରାକ୍ତନ ଅଧ୍ୟାପକ ସୁଧିର ଚନ୍ଦ୍ର ଭୂୟାଁ, ଗନ୍ଧର୍ବ ସେନାପତି, ନଟବର ସେନାପତି, ପ୍ରଫୁଲ୍ଲ କୁମାର ସେନାପତି, କପିଳ ଭୂୟାଁ ,ମେଘନାଦ ସ୍ୱାଇଁ ,ଅଖୟ ବିଶ୍ୱାଳ ସମେତ ପରିଷଦର କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ