ଡାକ୍ତର ନିଯୁକ୍ତି ଓ ବର୍ଣ ୟୁନିଟ ଦାବିନେଇ ସାମ୍ବାଦିକଙ୍କ ଆନ୍ଦୋଳନକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ସମର୍ଥନ

ବ୍ରହ୍ମପୁର, (ଯୁଗାବ୍ଦ ନ୍ୟୁଜ) :-ଏମକେସିଜି ମେଡିକାଲରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ତୁରନ୍ତ ପୂରଣ ଓ ବର୍ଣ ୟୁନିଟ ସ୍ଥାପନ ପାଇଁ ଆଜି ସାମ୍ବାଦିକଙ୍କ ମୌନ ବ୍ରତ ମାଧ୍ୟମରେ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବୀ ଅବନୀ ଗୟା ସମର୍ଥନ କରିଛନ୍ତି l ବର୍ଣ ୟୁନିଟ ସ୍ଥାପନ ପାଇଁ ଦୀର୍ଘ ବର୍ଷରୁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ସ୍ଥାନୀୟ ଲୋକ ପ୍ରତିନିଧି ମାନେ ଲୋକଙ୍କୁ ମିଛ ପ୍ରତିଶୃତି ଦେଇ କେବଳ ଠକିଛନ୍ତି l ଉକ୍ତ ଦାବିନେଇ ଜିଲ୍ଲାର ବିଭିନ୍ନ ଗଣ ସଂଗଠନଙ୍କ ପକ୍ଷରୁ ଅନେକ ଥର ଆନ୍ଦୋଳନ ଚାଲିବା ମଧ୍ୟରେ ଆଜି ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଏମକେସିଜି ମେଡିକାଲ ରେ ସ୍ୱାସ୍ଥ୍ୟ ଚିକିତ୍ସା ପ୍ରତି ରାଜ୍ୟ ସରକାରଙ୍କ ଅବହେଳା ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇଛନ୍ତି l ସୂଚନା ଯୋଗ୍ୟଯେ,ଦୀର୍ଘ ବର୍ଷରୁ ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ଏମକେସିଜି ମେଡିକାଲରେ ସ୍ୱାସ୍ଥ୍ୟ ସେବା ଅତ୍ୟନ୍ତ ସଂକଟlପନ୍ନ ଅବସ୍ଥାରେ ପହଁଚିଛି l ଦୈନିକ ହଜାର ହଜାର ରୋଗୀ ଚିକିତ୍ସା ସେବା ପାଇବାପାଇଁ ଏଠାକୁ ଆସୁଥିଲେ ବି ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ଅଧିକାଂଶ ସମୟରେ ଏଠାରେ କାର୍ଯ୍ୟ କରୁନାହିଁ l ଦୀର୍ଘ ବର୍ଷରୁ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାକୁ ସଜାଡ଼ିବା ଦାବୀ ନେଇ ବ୍ରହ୍ମପୁର ସହରରେ ନିୟମିତ ଭାବେ ଜନ ଆନ୍ଦୋଳନ ଦେଖାଦେଇଛି l ଅନେକ ସମସ୍ୟାର ସମାଧାନ ହୋଇଥିଲେ ବି ସ୍ଥାୟୀ ପ୍ରତିକାର କରାଯାଇନାହିଁ l ସୁପର ସ୍ପେସିଆଲିଟି ହସ୍ପିଟାଲ ନିର୍ମାଣ ହୋଇଥିଲେ ବି ରୋଗୀ ସେବାରେ ଚରମ ଅବହେଳା ଦେଖାଦେଉଛି l ବହୁ ଅଭିଜ୍ଞତା ସମ୍ପନ୍ନ ବରିଷ୍ଠ ଡାକ୍ତର ମାନଙ୍କୁ ଏଠାରୁ ନିୟମିତ ପ୍ରକ୍ରିୟାରେ ଅନ୍ୟତ୍ର ବଦଳି କରାଯାଉଛି l ଏମକେସିଜି ମେଡିକାଲରେ ବର୍ତମାନ 60ପ୍ରତିଶତରୁ ଉର୍ଦ୍ଧ ଡାକ୍ତର ପଦବୀ ଖାଲି ପଡ଼ିଥିଲେ ବି ନୂତନ ଡାକ୍ତର ନିଯୁକ୍ତି ଦିଆଯାଉନାହିଁ l ଏହା ଦୀର୍ଘ ଦିନର ସମସ୍ୟା, ଏଥି ମଧ୍ୟରେ ଡାକ୍ତରୀ ସେବା ନ ପାଇ ଅନେକ ରୋଗୀ ଅକାଳ ମୃତ୍ୟୁର ଶିକାର ହୋଇଛନ୍ତି l ଏମକେସିଜି ମେଡିକାଲ ବର୍ତମାନ ମୃତ୍ୟୁର ତାଣ୍ଡବଲୀଳାର କ୍ଷେତ୍ର ପାଲଟିଛି l ଯାହା ପାଇଁ ସିଧା ସଳଖ ଭାବେ ରାଜ୍ୟ ସରକାର ହିଁ ଦାୟୀ l କେବଳ ମେଡିକାଲ ଛାତ୍ର ଛାତ୍ରୀଙ୍କ ଉପରେ ଦକ୍ଷିଣ ଓଡିଶାର ଏହି ମୁଖ୍ୟ ଚିକିଛାନୁଷ୍ଠାନର ସ୍ୱାସ୍ଥ୍ୟ ଚିକିତ୍ସା ଓ ରୋଗୀଙ୍କ ଜୀବନ କେତେଦୂର ସୁରକ୍ଷିତ ! ସୁପର ସ୍ପେସିଆଲିଟି ବ୍ଲକରେ ସୁପର ସ୍ପେସିଆଲିଷ୍ଟ ଡାକ୍ତର ଯେ ଆବଶ୍ୟକ, ଏହା ସରକାର ଜାଣି ମଧ୍ୟ ଡାକ୍ତର ନିଯୁକ୍ତି ଦେଉନାହାଁନ୍ତି l ଅନ୍ୟ ପକ୍ଷରେ ଏଠାରେ ନିୟୋଜିତ କିଛି ବରିଷ୍ଠ ଡାକ୍ତର ରୋଗୀ ଦେଖା ସମୟରେ ହସ୍ପିଟାଲକୁ ନ ଆସିବା ଆଉ ଏକ ଚିନ୍ତାର କାରଣ ହୋଇଛି l ସେମାନଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ l ନିଜ ନିଜ ଘରୋଇ କ୍ଲିନିକରେ ବ୍ୟସ୍ତ ରହି ବ୍ୟବସାୟ ଚଳାଇଥିବା କିଛି ଅସାଧୁ ଡାକ୍ତର ମାସ ପୁରିଲା ବେଳକୁ ଲକ୍ଷ ଲକ୍ଷ ଟଙ୍କା ଦରମା ନେଇଯିବା ଅତ୍ୟନ୍ତ ନିର୍ଲଜ ଓ ଲୋକଙ୍କ ରାଜସ୍ବ ଲୁଟ ପ୍ରକ୍ରିୟା ଅଟେ l ଏଣୁ ଏ ପ୍ରକାର ଦୁର୍ନୀତିକୁ ବନ୍ଦ କରିବାସହ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ଅବିଳମ୍ବେ ପୂରଣ କରିବା ନିହାତି ଆବଶ୍ୟକ ରହିଛି, ତୁରନ୍ତ ଏହି ଦାବୀ ପ୍ରତି ଦୃଷ୍ଟି ଓ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କରିଲେ ରାଜ୍ୟ ସରକାର ଜନ ଆନ୍ଦୋଳନର ସମ୍ମୁଖୀନ ହେବେ ବୋଲି ଆବାହକ ଆଇନଜୀବି ଅବନୀ ଗୟା ମତ ବ୍ୟକ୍ତ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ