ଆସେକା କାର୍ଯ୍ୟାଳୟରେ ସାନ୍ତାଳି ଲିପି ଅଲଚିକିର ସ୍ରଷ୍ଠା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୧୭ ତମ ଜନ୍ମ ଜୟନ୍ତି ପାଳିତ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଆଦିବାସୀ ସାନ୍ତାଳି ସଂମ୍ପ୍ରଦାୟର ଲିଖିତ ଭାଷା ଅଲଚିକିର ସ୍ରଷ୍ଟା ହେଉଛନ୍ତି ସ୍ଵର୍ଗତ ପଣ୍ଡିତ ରଘୁନାଥ ମୁର୍ମୁ ।ସେ ଜଣେ ସମାଜ ସଂସ୍କାରକ, କବି, ଲେଖକ ଓ ସାରସ୍ଵତ ସାଧକ ଥିଲେ । ତାଙ୍କର ଲିପି ଅଲଚିକି ଏବେ ସରକାରୀ ମାନ୍ୟତା ପ୍ରାପ୍ତ । ଏହି ଅଲଚିକି ଲିପି ୧୯୨୫ ମସିହାରେ ପଣ୍ଡିତ ରଘୁନାଥ ମୁର୍ମୁ ସୃଷ୍ଟି କରିଥିଲେ । ତାଙ୍କ ଜନ୍ମ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଲକର ପୁରୁଣା ପାଣି ପଞ୍ଚାୟତର ଦାଣ୍ଡବୋଷ ଗ୍ରାମରେ ୧୯୦୫ ମସିହା ବୈଶାଖ ମାସ ପୂର୍ଣ୍ଣିମା ତିଥିରେ ହୋଇଥିଲା । ତାଙ୍କର ଆଜୀବନ ଭାଷା ସାଧନା ପ୍ରଚେଷ୍ଟା ଯୋଗୁଁ । କେନ୍ଦ୍ର ସରକାର ୨୦୦୩ ମସିହା ଡିସେମ୍ବର ୨୨ ତାରିଖ ଦିନ ସାମ୍ବିଧାନିକ ସ୍ଵିକୃତି ପ୍ରଦାନ କରିଥିଲେ । ଜନ୍ମଦିନକୁ ଭାରତର ବିଭିନ୍ନ ରାଜ୍ୟରେ ବାସକରୁଥିବା ସାନ୍ତାଳି ମାନେ ଅତି ଆନନ୍ଦ ଓ ଉଲ୍ଲାସର ସହ ପାଳନ କରୁଛନ୍ତି । ଏହି ଅବସରରେ ଆସେକା କାର୍ଯ୍ୟାଳୟ ପରିସରରେ କର୍ମକର୍ତ୍ତାଙ୍କ ଦ୍ବାରା ପତାକା ଉତ୍ତୋଳନ କରାଯାଇଥିଲା । କେନ୍ଦ୍ର ଜଳ ମନ୍ତ୍ରୀ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଇଂବିଶେଶ୍ବର ଟୁଡୁ ଯୋଗଦେଇ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସମସ୍ତ ସଦସ୍ୟ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରି ଗୁରୁଜୀଙ୍କ ଆଶୀର୍ବାଦ ନେଇଥିଲେ । ପରେ ସାନ୍ତାଳୀ ରୀତିନୀତି ଅନୁସାରେ ଗୁରୁଜୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ପୂର୍ବତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ଆସେକା ସଭାପତି ମନୋରଂଜନ ମୁର୍ମୁ, ସଂପାଦକ ଜୀତେନ୍ଦ୍ର ନାଥ ବାସ୍କେ, ସାଂସ୍କୃତିକ ସଂପାଦକ ରବୀନ୍ଦ୍ର ନାଥ ହେମ୍ବ୍ରମ, ଶିକ୍ଷା ସଂପାଦକ ସମାନ ହାଁସଦା, ଶାହଙ୍କ ମାଝୀ, ସାହିତ୍ୟ ଏକାଡେମୀ ଉପଦେଷ୍ଟା(ସାନ୍ତାଳୀ)ଆସେକା ଆଡଭୋକେଟ ଲକ୍ଷ୍ମଣ ମାର୍ଣ୍ଡୀ, ମେଘରାୟ ମୁର୍ମୁ, ସହଦେବ ଟୁଡୁ, ଭାଗବତ ମାଝୀ, ଆସେକା କୋଅର୍ଡିନେଟର ପରେଶ ନାଥ ସୋରେନ୍ ଏବଂ ବହୁ ଆସେକା ସଦସ୍ୟ ସାମିଲ ହୋଇଥିଲେ ।


