ଜଙ୍ଗଲରୁ ଆସିକା ଅଗ୍ନିଶମ ବିଭାଗ ଡ୍ରାଇଭରଙ୍କ ଝୁଲନ୍ତା ଶବ ଉଦ୍ଧାର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଗାଙ୍ଗପୁର ଥାନା କ୍ଷତ୍ରିୟବରପୁର ଠାରୁ କୁଲାଙ୍ଗୀ ରାସ୍ତାରେ ମାଆ ବୁଢ଼ା କେନ୍ଦୁ ମନ୍ଦିର ଠାରୁ ମାତ୍ର 500 ମିଟର ଦୂରରେ ଏକ ବର ଗଛରେ ଜଣେ ଯୁବକଙ୍କ ଶବ ଝୁଲୁଥିବା ଦେଖି ଆଜି ସକାଳୁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା I ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ନିର୍ଦ୍ଦେଶକ୍ରମେ ଏସ୍ଆଇ ସୁଶାନ୍ତ ପ୍ରଧାନ ଏବଂ ଏଏସ୍ଆଇ ଉମା ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ I ଶବ ନିକଟରେ ଆସିକା ଦମକଳ ବିଭାଗର ଏକ ଗାଡ଼ି ଥୁଆ ହୋଇଥିବା ବେଳେ ଗୋଟିଏ ବ୍ୟାଗ୍ ରୁ କିଛି ପୋଷାକ,କାଗଜ ପତ୍ର, ଗାଡ଼ି ଚାବି ସମେତ ଏକ ସୁଇସାଇଡ଼ ନୋଟ୍ ମଧ୍ୟ ମିଳିଥିଲା I ଏନେଇ ଆସିକା ଦମକଳ କାର୍ଯ୍ୟାଳୟକୁ ଖବର ଦେବା ପରେ ସେଠାରୁ କର୍ମଚାରୀ ଆସି ଥିଲେ I ଖବର ନେବାରୁ ଜଣା ପଡ଼ିଛି ଯୁବକ ଜଣଙ୍କ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ତୁରୁମୁ ଥାନା ଅନ୍ତର୍ଗତ ପୁଟୁ ଗ୍ରାମର ଦୟାନିଧି ମହନ୍ତ (40) I ସେ ଗଞ୍ଜାମ ଜିଲ୍ଲାର ଆସ୍କା ଅଗ୍ନିଶମ ବିଭାଗ ରେ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲେ । ଆସିକା ଦମକଳ କେନ୍ଦ୍ରରୁ ଆସିଥିବା କର୍ମଚାରୀଙ୍କ କହିବା ପ୍ରକାରେ ଦୟାନିଧି କିଛି ଦିନ ହେବ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ I ଗତକାଲି ରାତି 9 ଘଣ୍ଟା 15 ମିନିଟ୍ ସମୟରେ ସେ ଅଗ୍ନିଶମ ବିଭାଗର ଏକ ଗାଡ଼ି ଧରି କାହାକୁ କିଛି ନଜଣାଇ ବାହାରି ଆସି ଥିଲେ I କିନ୍ତୁ ବହୁ ସମୟ ଧରି ସେ ନ ଫେରିବାରୁ ବିଭାଗୀୟ କର୍ମଚାରୀ ମାନେ ତାଙ୍କୁ ଫୋନ୍ କରିଥିଲେ ମଧ୍ୟ କୌଣସି ପ୍ରକାର ଯୋଗାଯୋଗ ହୋଇପାରିନଥିଲା I ତେଣୁ ଆସିକା ଦମକଳ ବାହିନୀର କର୍ମଚାରୀ ମାନେ ସାରା ରାତି ବ୍ୟସ୍ତ ବିବ୍ରତ ହୋଇ ଦୟାନିଧିଙ୍କୁ ଅପେକ୍ଷା କରିଥିବା ବେଳେ ଆଜି ସକାଳୁ ଦୟାନିଧିଙ୍କ ମୃତ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲେ I ପୋଲିସ୍ ଦୟାନିଧିଙ୍କ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ମେଡିକାଲ୍ କୁ ପଠାଇଦେଇଛି I ମୃତ୍ୟୁର ପ୍ରକୃତ ରହସ୍ୟ ଜଣାପଡ଼ିନଥିଲେ ମଧ୍ୟ ସେଠାରୁ ମିଳିଥିବା ଏକ ସୁଇସାଇଡ଼ ନୋଟ୍ ରୁ ବିଭାଗୀୟ ଅବହେଳା ଯୋଗୁଁ ଦୟାନିଧି ଅତ୍ମହତ୍ୟା କରିଥିବା ସୂଚନା ମିଳିଛି I ଏଥିରେ ତାଙ୍କର ବାରମ୍ବାର ଅନୁରୋଧ ସତ୍ତ୍ୱେ ତାଙ୍କୁ ଘରକୁ ଯିବା ପାଇଁ ଅନୁମତି ମିଳି ନ ଥିଲା ଯାହା ଫଳରେ କି ସେ ମାନସିକ ଚାପରେ ଥିଲେ ବୋଲି ଉଲ୍ଲେଖ କରିଛନ୍ତି । ଆହୁରି ମଧ୍ୟ ବିଭାଗୀୟ ଅଧିକାରୀ ଜାଣିଶୁଣି ତାଙ୍କୁ ଘର ଠାରୁ 500 କିଲୋମିଟର୍ ରୁ ଉର୍ଦ୍ଧ୍ୱ ଦୂରକୁ ବଦଳି କରିବା ନେଇ ମଧ୍ୟ ସୁଇସାଇଡ୍ ନୋଟ୍ ରେ ଲେଖା ହୋଇଛି । ତାଙ୍କର ଅନୁପସ୍ଥିତିରେ ପିତା ମାତାଙ୍କ ମୃତ୍ୟୁ ଏବଂ ତାଙ୍କ ସ୍ତ୍ରୀଙ୍କର ଅନ୍ୟଜଣେ ଯୁବକଙ୍କ ସହ ଅନୈତିକ ସମ୍ପର୍କ ତାଙ୍କୁ ଅଧିକ ଆଘାତ ଦେଇଥିବା ନେଇ ସୁଇସାଇଡ୍ ନୋଟ୍ ରେ ଲେଖା ହୋଇଛି I ଏହା ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନାମରେ ଦେଖାଯାଇଥିବା ବେଳେ ଏଥିରେ ତାଙ୍କର ଝିଅ ଜ୍ୟୋତିର୍ମୟୀ ମହାନ୍ତ ଏବଂ ପୁଅ ନିହାର ରଞ୍ଜନ ମହାନ୍ତ ତାଙ୍କୁ ଲାଗିଲେ ବୋଲି ଲେଖା ହୋଇଛି I ତେବେ ଦୟାନିଧି ଜଣେ ଓଡ଼ିଆ ହୋଇ ଏବଂ ଓଡ଼ିଶାରେ ଚାକିରି କରି ଉତ୍ତରପ୍ରଦେଶ ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ଚିଠିଟି ଲେଖିଥିବାରୁ ଚିଠିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଘଟଣା ନେଇ ଗାଙ୍ଗପୁର ଥାନାରେ କେଶ୍ ନମ୍ବର୍ 10/22 ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ୍ ଆସିବା ପରେ ଘଟଣା ଉପରୁ କିଛି ମାତ୍ରାରେ ପରଦା ଉଠିବ ବୋଲି ଗାଙ୍ଗପୁର ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I ସନ୍ଧ୍ୟା ସୁଦ୍ଧା ଶବ ବ୍ୟବଚ୍ଛେଦ ସରିଥିବା ବେଳେ ତାଙ୍କ ପରିବାର ଲୋକ ଆସିଲେ ତାଙ୍କୁ ହସ୍ତାନ୍ତର କରାଯିବ I ସ୍ଵର୍ଗତ ମହାନ୍ତଙ୍କ ଶବକୁ କେନ୍ଦୁଝରରେ ପହଞ୍ଚାଇବା ବ୍ୟାବସ୍ଥା କରିବା ପାଇଁ ଡିଏଫ୍ଓଙ୍କ ସହ ଯୋଗାଯୋଗ କରାଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ