ଶ୍ରୀମନ୍ଦିର ଚତୁର୍ପାଶ୍ୱର୍ରେ ଅବୈଧ ଖନନ ଓ ନିର୍ମାଣକାର୍ଯ୍ୟ ତୁରନ୍ତ ବନ୍ଦ ହେଉ : ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ‘ମହାପ୍ରଭୁ ଶ୍ରୀଜଗନ୍ନାଥ’ ହେଉଛନ୍ତି ଓଡ଼ିଆଙ୍କ ପରିଚୟ ଓ ପରମ ଆରାଧ୍ୟ । ‘ଶ୍ରୀମନ୍ଦିର’ ହେଉଛି ସମଗ୍ର ହିନ୍ଦୁ ସମାଜର ଆସ୍ଥା, ବିଶ୍ୱାସ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । ଚାରିଧାମ ମଧ୍ୟରେ ଶ୍ରେଷ୍ଠ ଧାମ ‘ଶ୍ରୀକ୍ଷେତ୍ର’ ପୁରୀ । ୧୦୦୦ ବର୍ଷରୁ ଉର୍ଦ୍ଧ୍ୱ ପ୍ରାଚୀନ ଐତିହ୍ୟ ସମ୍ପନ୍ନ କୀର୍ତ୍ତି ‘ଶ୍ରୀମନ୍ଦିର’ ଆମ ଓଡ଼ିଆଙ୍କ ଗର୍ବ ଓ ଗୌରବ । ଶ୍ରୀମନ୍ଦିର ଚତୁର୍ପାଶ୍ୱର୍ର ସୌନ୍ଦର୍ଯ୍ୟୀକରଣ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ ମାଧ୍ୟମରେ ବିଭିନ୍ନ ପ୍ରକାରର ଖନନ ଓ ନର୍ମାଣ କାର୍ଯ୍ୟ କରାଯାଉଛି । ଏହା ସମ୍ପୂର୍ଣ୍ଣ ରୂପେ ଅବୈଧ, ଅନୈତିକ ତଥା ଅପରିଣାମଦର୍ଶୀ । ଏକ ପ୍ରାଚୀନ ଐତିହ୍ୟ ସମ୍ପନ୍ନ କୀର୍ତ୍ତି ହୋଇଥିବା ହେତୁ, ଏହାର ରକ୍ଷଣାବେକ୍ଷଣ ତଥା ସୁରକ୍ଷା ଓ ସଂରକ୍ଷଣ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ବିଭାଗର କତ୍ତୃତ୍ୱାଧୀନ । ଶ୍ରୀମନ୍ଦିରରୁ ୧୦୦ ମିଟର ପର୍ଯ୍ୟନ୍ତ ନିଷିଦ୍ଧାଚଂଳ ଏବଂ ୧୦୦ ମିଟରରୁ ୩୦୦ ମିଟର ପର୍ଯ୍ୟନ୍ତ ନିୟନ୍ତ୍ରିତ ଅଚଂଳ ଅଟେ । ଆଇନ୍ କହୁଛି, ନିଷିଦ୍ଧାଚଂଳରେ ସ୍ଥାୟୀ ବୃହତ ନିର୍ମାଣ ସମ୍ପୂର୍ଣ୍ଣ ନିଷିଦ୍ଧ ଏବଂ ନିୟନ୍ତ୍ରିତ ଅଚଂଳରେ ଯେକୌଣସି ନିର୍ମାଣର ପରାମର୍ଶ ଅନୁଯାୟୀ ହେବ । କିନ୍ତୁ ରାଜ୍ୟ ସରକାର ସମସ୍ତ ଆଇନ୍ କାନୁନକୁ ଉଲ୍ଲଙ୍ଘନ କରି ଶ୍ରୀମନ୍ଦିରର ଅତି ନିକଟରେ ଉଚ୍ଚଶକ୍ତି ସମ୍ପନ୍ନ ମେସିନ୍ ଦ୍ୱାରା ଗଭୀର ଗର୍ତ୍ତ ଖନନ ତଥା ବୃହତ ନିର୍ମାଣର ଯୋଜନା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହା ଦ୍ୱାରା ଶ୍ରୀମନ୍ଦିରର ମୂଳଭିତ୍ତି ଗଭୀର ଭାବେ ପ୍ରଭାବିତ ହୋଇଛି । ଉଚ୍ଚ ନ୍ୟାୟାଳୟରେ ଦ୍ୱାରା ଦାଖଲ କରାଯାଇଥିବା ସତ୍ୟପାଠରୁ ଏହା ସ୍ପଷ୍ଟ ହୋଇଛି । କୌଣସି ଅଧିକୃତ ସଂସ୍ଥାର ଅନୁମତି ନଥିବା ରାଜ୍ୟ ସରକାର ଏଭଳି ବେଆଇନ କାର୍ଯ୍ୟ କରୁଥିବାଜଣା ପଡ଼ିଛି । ଶ୍ରୀକ୍ଷେତ୍ର ପୁରୀ ଏକ ସାଂସ୍କୃତିକ ତଥା ଆଧ୍ୟାତ୍ମିକ କ୍ଷେତ୍ର ଅଟେ । ଶ୍ରୀମନ୍ଦିର ଏକ ପ୍ରସିଦ୍ଧ ତୀର୍ଥସ୍ଥଳୀ । ମନ୍ଦିର ଚତୁର୍ପାଶ୍ୱର୍ରେ ବିଦେଶୀ ଗଛ ଲଗାଇ ଏହାକୁ ପର୍ଯ୍ୟଟନ ସ୍ଥଳୀର ଭ୍ରମ ସୃଷ୍ଟି କରାଯାଉଛି । ସୌନ୍ଦର୍ଯ୍ୟୀକରଣ ନାଁରେ ମଠ, ମନ୍ଦିରକୁ ଭାଙ୍ଗି ଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଧ୍ୱଂସ କରୁଛି ଆଧୁନିକ କଳାପାହାଡ଼ ଏ ରାଜ୍ୟ ସରକାର । ଏହି କାର୍ଯ୍ୟ ରାଜ୍ୟ ସରକାରକୁ ପରିଚାଳିତ କରୁଥିବା ଓଡ଼ିଆ ସଂସ୍କୃତି ଉପରେ ଜ୍ଞାନ ନଥିବା ମୁଷ୍ଟିମେୟ ଅଣଓଡ଼ିଆ ଅଧିକାରୀମାନଙ୍କର ଜିଦ୍ କାରଣରୁ ହେଉଅଛି । କିଛି ନ୍ୟସ୍ତସ୍ୱାର୍ଥ ଓଡ଼ିଆ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଓଡ଼ିଆଙ୍କ ଅସ୍ମିତା, ସଂସ୍କୃତି ଓ ପରିଚୟକୁ ଧ୍ୱଂସ କରିବାର ସୁପରିକଳ୍ପିତ ଷଡ଼ଯନ୍ତ୍ର ପଛରେ କାହାର ସ୍ୱାର୍ଥ ନିହିତ ଅଛି? ଏହି କାର୍ଯ୍ୟକୁ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ଦୃଢ଼ ନିନ୍ଦା ତଥା ବିରୋଧ କରୁଛି । ବେଆଇନ ନିର୍ମାଣକୁ ତୁରନ୍ତ ବନ୍ଦ କରିବା ପାଇଁ ଖୁବ୍‌ଶୀଘ୍ର ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରାଯିବା ସଙ୍ଗେ ସଙ୍ଗେ ସାରା ରାଜ୍ୟରେ ବ୍ୟାପକ ଜନ ଆନ୍ଦୋଳନ କରାଯିବ । କାର୍ଯ୍ୟ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କୁ ସାଧାରଣ ଜନତାଙ୍କ ଦ୍ୱାରା ଅଧିକରୁ ଅଧିକ ଚିଠି ଲେଖାଯିବ । ବ୍ଲକସ୍ତରରୁ ରାଜ୍ୟସ୍ତରୀୟ ପର୍ଯ୍ୟନ୍ତ ଗଣଧାରଣା, ବୁଦ୍ଧିଜୀବୀ ସଂଗୋଷ୍ଠୀ, ସନ୍ଥ ସମ୍ମିଳନୀ, ମାତୃଶକ୍ତି ଜାଗରଣ ଇତ୍ୟାଦି କାର୍ଯ୍ୟକ୍ରମ ମଧ୍ୟ କରାଯିବ । ଶ୍ରୀମନ୍ଦିର ହେଇଛି ଆମ ପୂର୍ବପୁରୁଷ ମାନଙ୍କର ଆମ ପ୍ରତି ଏକ ଅମୂଲ୍ୟ ଉପହାର, ଯାହାକୁ ପର ପୀଢ଼ୀକୁ ପହଚାଂଇବାର ଦାୟିତ୍ୱ ଆମର । ଆମର ପରିଚୟ ତଥା ସଂସ୍କୃତିର ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କର ଏଭଳି ଅବୈଧ ମନମୁଖୀ କାର୍ଯ୍ୟ ବିରୋଧରେ ସ୍ୱରଉତ୍ତୋଳନ କରି ‘ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ’ରେ ସାମିଲ ହେବା ପାଇଁ ଅଭିଯାନର ସଂଯୋଜକ ବିନୟ କୁମାର ଭୂୟାଁ, ସହସଂଯୋଜକ ତନ୍ମୟ କୁମାର ଦାଶ ଏବଂ ବରିଷ୍ଠ ସଦସ୍ୟ ସୁମନ୍ତ କୁମାର ପଣ୍ଡା ଏହି ପ୍ରେସ ବିଜ୍ଞପ୍ତି ଜରିଆରେ ସମସ୍ତଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ