ଆମ ଆଦମି ପାର୍ଟିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାରେ ଆମ ଆଦମି ପାର୍ଟି (ଆପ୍)ର ଏକ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ପୈାରସଂସ୍ଥା ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆମ୍ ଆଦମି ପାର୍ଟିର ୫ଶହରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ତିନିମୁହାଣୀ ଠାରୁ ଏକ ର୍ୟାଲିରେ ବାହାରି ସହର ପରିକ୍ରମା କରି ସଭାସ୍ଥଳ ଟାଉନ ହଲ ପରିସରରେ ପହଁଚିଥିଲେ । ଆମ ଆଦମି ପାର୍ଟିର ଜିଲ୍ଲା ଯୁବ ସଭାପତି ସନ୍ତୋଷ କୁମାର ଲେଙ୍କାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଦିଲ୍ଲୀ କାଣ୍ଟେନମେନ୍ଟ ବିଧାୟକ ତଥା ଆପ୍ର ଓଡିଶା ପ୍ରଭାରୀ ବିରେନ୍ଦ୍ର ସିଂହ କାଡିୟାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ରାଜ୍ୟ ଆବାହାକ ନିଶିକାନ୍ତ ମହାପାତ୍ର, କେନ୍ଦ୍ରାପଡା ଜିଲ୍ଲା ଆବାହକ ସନ୍ଦିପ୍ତ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ସେମାନେ ଉପସ୍ଥିତ କର୍ମୀ ମାନଙ୍କୁ ପାର୍ଟିର ଟୋପି ପ୍ରଦାନ କରି ସମ୍ବର୍ନ୍ଧିତ କରିବା ସହିତ ଆମ ଆଦମି ପାର୍ଟି ସରକାରର ଦିଲ୍ଲୀ ଓ ପଞ୍ଜାବ ମଡେଲ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ । ଆପ ଶାସିତ ରାଜ୍ୟ ଦିଲ୍ଲୀରେ ପ୍ରତ୍ୟେକ ପରିବାରକୁ ୨ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଉଥିବା ବେଳେ ପଞ୍ଜାବରେ ୩ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପ୍ରତ୍ୟେକ ପରିବାରକୁ ଯୋଗାଇ ଦିଆଯାଉଛି । ଓଡିଶାରେ ୨ଶହ ୟୁନିଟ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ପ୍ରତ୍ୟେକ ପରିବାରକୁ ବିନା ମୁଲ୍ୟରେ ବିଜୁଳି ଯୋଗାଇବା ଦାବିରେ ଘର ଘର ବୁଲି ଦସ୍ତଖତ ଅଭିଯାନ ଜୋରଦାର କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ସଭାରେ ଜିଲ୍ଲା ସଂପାଦକ ସୂର୍ଯ୍ୟକାନ୍ତ ପରିଡା, ସାରଦା ପ୍ରସାଦ ରାଉତ, ପ୍ରଭାକର ବିଶ୍ୱାଳ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।