ଅଟୋ ଚାଳକଙ୍କୁ ଠେଙ୍ଗାରେ ଆକ୍ରମଣ ଓ ଜାତିଆଣ ଆକ୍ଷେପ ଅଭିଯୋଗ, ୨ ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳି ଥାନା ସିକିରି ଗ୍ରାମର ଜୈନିକ ଅଟୋ ଚାଳକଙ୍କ ଗାଡିରୁ ଜୋର ଜବରଦସ୍ତ ଚାବି ନେଇଯିବା ପ୍ରତିବାଦ କରିବାରୁ ଠେଙ୍ଗାରେ ଆକ୍ରମଣ ଓ ଜାତିଆଣ ଆକ୍ଷେପ ଅଭିଯୋଗରେ ହିଞ୍ଜିଳି ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଏ ନେଇ ହିଞ୍ଜିଳି ଥାନାରେ ନମ୍ବର ୨୫୨/୨୨ ରେ ଏକ ମାମଲା ରୁଜୁ କରି ଶନିବାର କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନା ଆଇଆଇସି ଅଭିମନ୍ୟୁ ଦାସ କହିଛନ୍ତି । ପ୍ରକାଶ ଯେ, ଶୁକ୍ରବାର ଅପରାହ୍ନରେ ହିଞ୍ଜିଳି ଥାନା ସିକିରି ଗ୍ରାମର କିରଣ ଦାସ ନିଜ ଯାତ୍ରୀବାହୀ ଅଟୋ (ଓଡି୧୩ଏନ ୪୪୩୩) ରାଳବ ଠାରୁ ଗ୍ରାମକୁ ଫେରୁଥିବା ବେଳେ ସିକିରି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସଂପୃକ୍ତ ଗ୍ରାମର ଲିଙ୍କୁ ମୁନି ଓ ହିନ ସାମଲ ଅଟୋକୁ ଅଟକାଇ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଜୋରଜବରଦସ୍ତ ଅଟୋରୁ ଚାବି ନେଇ ଯାଇଥିଲେ । କିଛି ଲୋକଙ୍କ ହସ୍ତକ୍ଷେପ ପରେ ଚାବିକୁ ଫୋପାଡି ଦେଇ ଚାଲିଯାଇଥିଲେ । ସନ୍ଧ୍ୟାରେ ଲିଙ୍କୁ, ହିନ ଓ କୃଷ୍ଣ ନାହାକ ମିଶି କିରଣଙ୍କ ଘରକୁ ଯାଇ ଏକ ଠେଙ୍ଗାରେ ଆକ୍ରମଣ ସହ ଜାତିଆଣ ଆକ୍ଷେପ ନେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ଥାନାରେ କିରଣ ଅଭିଯୋଗ କରିଛନ୍ତି । ସାହି ପଡୋଶୀଙ୍କ ହସ୍ତକ୍ଷେପ ପରେ ୩ ଜଣ ଘଟଣାସ୍ଥଳରୁ ଖସି ପଳାଇଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ପୋଲିସ ହିନ ଓ ଲିଙ୍କୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।