ତ୍ରୁଟିପୂର୍ଣ୍ଣ ନିଦାନରୁ ମହିଳାଙ୍କ ଜୀବନ ବିପନ୍ନ : ନ୍ୟାୟ ପାଇଁ ଜିଲାପାଳଙ୍କଠାରେ ଗୁହାରି

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲା ମୁଖ୍ୟ ଚିକିତ୍ସାଳୟରେ ତ୍ରୁଟିପୂର୍ଣ୍ଣ ନିଦାନ ଯୋଗୁଁ ଅନାବଶ୍ୟକ ଔଷଧ ଖାଇ ଅଧିକ ରୋଗାଗ୍ରସ୍ତ ହୋଇ ପଡ଼ିଥିବା ବାଲିଆପାଳ ବ୍ଲକ ବିଶିକାଦେଇପୁର ଗ୍ରାମର ଦିନମଜୁରିଆ ଯୋଗେନ୍ଦ୍ର ମଲିକଙ୍କ ପତ୍ନୀ ମାଣିକ ମଲିକ ମହିଳା ନ୍ୟାୟ ପାଇଁ ଶନିବାର ଜିଲାପାଳଙ୍କଠାରେ ନେହୁରା ହୋଇଛନ୍ତି । ତାଙ୍କ କହିବା ଅନୁସାରେ ବାରମ୍ବାର ପେଟ ଯନ୍ତ୍ରଣା ହେବାରୁ ୨୦୨୧ ମସିହା ଅଗଷ୍ଟ ୨ ତାରିଖରେ ସେ ଜିଲା ମୁଖ୍ୟ ଚିକିତ୍ସାଳୟ ବହିର୍ବିଭାଗ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତରଙ୍କ ସୁପାରିଶ କ୍ରମେ ଡାକ୍ତରଖାନାରେ ତାଙ୍କର ଅଲଟ୍ରାସାଉଣ୍ଡ ବି ହୋଇଥିଲା । ରିପୋର୍ଟରେ ତାଙ୍କର ଅଗ୍ନାଶୟରେ ପଥର ଥିବା ଜଣାପଡ଼ିବା ପରେ ଡାକ୍ତର ପ୍ରେସକ୍ରିପ୍ସନ କରିବା ସହ ଆଜୀବନ ଔଷଧ ଖାଇବାକୁ ପଡ଼ିବ ବୋଲି କହିଥିଲେ । ସେହି ଅନୁସାରେ ମାଣିକ ୨/୪ମାସ ଔଷଧ ଖାଇବା ପରେ ବି ଯନ୍ତ୍ରଣା ବଢ଼ିବା ପରେ ସେ ଘରୋଇ ଡାକ୍ତର, କଟକ ବଡ଼ ଡାକ୍ତରଖାନା ଓ ଏମ୍ସରେ ଡାକ୍ତର ଦେଖାଇ ଅଲଟ୍ରାସାଉଣ୍ଡ ବି କରିଥିଲେ । ମାତ୍ର ଅଗ୍ନାଶୟରେ ପଥର ନଥିବା ରିପୋର୍ଟ ଆସିଥିଲା । ତେବେ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟର ଭୁଲ ଅଲଟ୍ରାସାଉଣ୍ଡ ରିପୋର୍ଟ ଅନୁସାରେ ଦୀର୍ଘଦିନ ଅନାବଶ୍ୟକ ଔଷଧ ଖାଇବା ଫଳରେ ସେ ମଧୁମେହ ସାଙ୍ଗକୁ ଏବେ ଅନ୍ୟାନ୍ୟ ରୋଗରେ ପୀଡ଼ିତ ଅଛନ୍ତି । ଇନସୁଲିନ ନ ନେଲେ ସେ ଚାଲିପାରୁ ନାହାନ୍ତି । ଏଭଳି ସ୍ଥିତିରେ ତାଙ୍କ ପାଇଁ ଆବଶ୍ୟକ ଔଷଧ ନିରାମୟ କାଉଣ୍ଟରରେ ବି ମିଳୁନି କିମ୍ବା ଔଷଧ ପାଇଁ ସରକାରଙ୍କ ପକ୍ଷରୁ ଖର୍ଚ୍ଚ ମଧ୍ୟ ମିଳୁନାହିଁ ବୋଲି ମାଣିକ କହିଛନ୍ତି । ଜିଲାମୁଖ୍ୟ ଚିକିତ୍ସାଳୟର ଡାକ୍ତର ଓ ଅଲଟ୍ରାସାଉଣ୍ଡ ଅପରେଟରଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟଧାରା ଯୋଗୁଁ ତାଙ୍କ ଜୀବନ ଏବେ ବିପନ୍ନ ହୋଇଥିବା ସେ ଅଭିଯୋଗ କରିଛନ୍ତି । ଆପାତତଃ ବଞ୍ଚିବା ପାଇଁ ଆବଶ୍ୟକ ଔଷଧ ଯୋଗାଇ ଦେବାକୁ ସେ ଜିଲାପାଳଙ୍କୁ ନେହୁରା ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ