ଜୁନ ୮ରୁ ପାଞ୍ଚଦିନିଆ ପଲିଶ୍ରୀ ମେଳା : ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ‘ବାଲେଶ୍ୱର ପଲ୍ଲିଶ୍ରୀ ମେଳା’ ୨୦୨୨ ଆସନ୍ତା ଜୁନ୍ ୮ତାରିଖରୁ ୧୨ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ବିଭିନ୍ନ କମିଟି ଗଠନ କରାଯିବା ସହିତ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ୱ ବଂଟନ କରାଯାଇଛି । ମେଳାରେ ଡିଆରଡିଏ, ଓରମାସ, ସ୍ୱୟଂ ସହାୟକ ଗୋଷ୍ଠୀ ସମେତ ବିଭିନ୍ନ ଲାଇନ ଡିପାର୍ଟମେଂଟ ଏବଂ ଘରୋଇ ସଂସ୍ଥାର ପ୍ରାୟ ୩ଶହ ଷ୍ଟଲ ସ୍ଥାନୀତ କରାଯିବା ନିମନ୍ତେ ଯୋଜନା ହୋଇଥିବା ବେଳେ ଷ୍ଟଲ୍ ବୁକିଂ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଭାଗୀୟ ଅଧିକାରୀମାନଙ୍କ ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟବସାୟିକ ସଂସ୍ଥାମାନଙ୍କୁ ଯୋଗାଯୋଗ କରାଯାଉଛି । ମେଳାରେ ଷ୍ଟଲ ବୁକିଂ ପାଇଁ ଆଗ୍ରହୀ ସଂସ୍ଥାମାନେ ବାଲେଶ୍ୱର ଡିଆରଡିଏ, ଓରମାସ ଏବଂ ଡିଆଇସି କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ମେଳା ୫ଦିନ ଯାକ ସନ୍ଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ମଧ୍ୟ ପଦକ୍ଷେପ ନିଆଯାଇଛି । ଏଥି ନିମନ୍ତେ ଜିଲ୍ଲା, ରାଜ୍ୟ ତଥା ରାଜ୍ୟ ବାହାରର ପ୍ରତିଷ୍ଠିତ କଳାକାର ଓ ସାଂସ୍କୃତିକ ଦଳମାନଙ୍କୁ ଯୋଗାଯୋଗ କରାଯାଉଛି । ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ମେଳାର ସଫଳ ଆୟୋଜନ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି । ବିଶେଷ କରି ଆଇନଶୃଙ୍ଖଳା ଓ ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା, ହୋର୍ଡିଂ ଓ ଷ୍ଟଲ୍ ସ୍ଥାପନ, ପାନୀୟ ଜଳ, ଅଗ୍ନିଶମ ବ୍ୟବସ୍ଥା, ମେଳାର ପ୍ରଚାର ଓ ପ୍ରସାର, ଉଦଘାଟନୀ ଓ ଉଦଯାପନୀ ଉତ୍ସବ ଇତ୍ୟାଦିକୁ ଗୁରୁତ୍ୱ ଦେଇ ନିର୍ଦ୍ଧାରିତ ସମୟ ପୂର୍ବରୁ ସମସ୍ତ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ, ଓରମାସ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ମେଳାକୁ କିଭଳି ଅଧିକ ଆକର୍ଷଣୀୟ କରାଯାଇପାରିବ ସେ ଦିଗରେ ଉଦ୍ୟମ କରିବାକୁ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ପରାମର୍ଶ ଦେଇଛନ୍ତି । ଆଗୁଆ ଷ୍ଟଲ ବୁକିଂ ପାଇଁ ବ୍ୟବସାୟିକ ସଂସ୍ଥାମାନେ ତୁରନ୍ତ ଜିଏମ-ଡିଆଇସି (ମୋ-୯୪୩୭୫୪୪୪୨୫) କିମ୍ବା ଓରମାସ ଉପ-ମୁଖ୍ୟ ପରିଚାଳକ (ମୋ- ୯୪୩୭୩୦୧୯୭୧)ଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ