ବିଶ୍ୱ ସାଇକେଲ ଦିବସ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ମନ୍ତ୍ରଣାଳୟ ଅଧିନସ୍ଥ ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ତରଫରୁ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ଆଜି ପାରଳାଖେମୁଣ୍ଡି ଠାରେ ଥିବା ସରସ୍ୱତି ଶିଶୁ ବିଦ୍ୟା ମନ୍ଦିର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ନିର୍ମଳା ସେଠୀ ଯୋଗ ଦେଇଥିବା ବେଳେ ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦୈନନ୍ଦିନ ଜୀବନରେ ସୁସ୍ଥ ରହିବାକୁ ହେଲେ ବ୍ୟାୟାମ, ଦୈଡ, ଖେଳକୁଦ ଛଡା ସାଇକେଲ ଚାଳନା କରିବା ମଧ୍ୟ ଏକ ବ୍ୟାୟାମ ଅଟେ ଏବଂ ସାଇକେଲର ବ୍ୟବହୃତ ଦ୍ୱାରା ସୁସ୍ଥ ପରିବେଶ ସୃଷ୍ଟି ହବା, ଇନ୍ଧନ ବା ପେଟ୍ରୋଲ ଡିଜେଲର ବ୍ୟବହାର କମିବା ଆଦି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସାଇକେଲ ସଚେତନତା ବାର୍ତ୍ତାକୁ ନେଇ ଏକ ରାଲିକୁ ସବୁଜ ପତାକା ଦେଖାଇ ଉଦ୍ଘାଟନ କରିଥିଲେ । ଏହି ସାଇକେଲ ରାଲି ସହରର ରାଜଦାଣ୍ଡ, ହାଇସ୍କୁଲଛକ, ବଜାର ଛକ ଆଦି ସହ ନଗର ପରିକ୍ରମା କରିଥିଲେ । ଏହି ରାଲିରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଏନୱାଇକେର ସଦଶ୍ୟମାନେ ଯୋଗଦେଥିବା ବେଳେ ପୌରାଧ୍ୟକ୍ଷା ଶ୍ରୀମତୀ ସେଠୀ ମଧ୍ୟ ସାଇକେଲ ଚାଳନା କରି ସଚେତନତା ବାର୍ତ୍ତା ଦେଇଥିବାର ଦେଖିବାକୁ ମିଳିଥିଲା । ଏହି ସମସ୍ତ କାର୍ଯ୍ୟକ୍ରମ ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ଯୁବ ଅଧିକାରୀ ବିଜୟକୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ସ୍ୱେଚ୍ଛାସେବୀ ବି.ଭବାନୀ ପ୍ରସାଦ, ଏ.ମହେଶ୍ୱର ରାଓ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସ୍ୱେଚ୍ଛାସେବୀମାନେ ପରିଚାଳନାରେ ସହଯୋଗ କରିଥିଲେ ।


