‘ଇଣ୍ଟେନସିଫାଏଡ୍ ମିଶନ ଇନ୍ଦ୍ରଧନୁଷ ୪.୦’ ଅଧିନରେ ନିୟମିତ ଟୀକାକରଣକୁ ପ୍ରେତ୍ସାହିତ କରିବାକୁ ୟୁନିସେଫ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଉଦ୍ୟମ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ଶିଶୁମାନଙ୍କ ଟୀକାକରଣ ପ୍ରକ୍ରିୟାକୁ ମଜବୁତ ଏବଂ ସଶକ୍ତ କରିବା ଦିଗରେ ଓଡିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହେଯୋଗରେ ୟୁନିସେଫ୍ ଓଡିଶା ଦ୍ୱାରା ଏକ ଭର୍ଚୁଆଲ ମିଡିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଝାରସୁଗୁଡା, କେନ୍ଦୁଝର ଓ କେନ୍ଦ୍ରାପଡା ଜିଲ୍ଲାରେ ‘ଇଣ୍ଟେନସିଫାଏଡ୍ ମିଶନ ଇନ୍ଦ୍ରଧନୁଷ’ (ଆଇଏମ୍ଆଇ) ଏବଂ ପିଲାମାନଙ୍କ କୋଭିଡ୍ ଟିକାକରଣ ସମ୍ପର୍କରେ ସଚେତନ କରାଯାଇଥିଲା । ମହାମାରୀର ପରବର୍ତ୍ତୀ ସମୟରେ ଉଭୟ ମା ଏବଂ ଶିଶୁଙ୍କ ପୂର୍ଣ୍ଣ ଟୀକାକରଣ ହାରକୁ ବଢାଇବା ପାଇଁ ରାଜ୍ୟରେ ଆଇଏମ୍ଆଇ ଆରମ୍ଭ କରାଯାଇଥିଲା । ଏନ୍ଏଫ୍ଏଚ୍ଏସ୍-୫ର ରିପୋର୍ଟ ଅନୁଯାୟୀ ସଫଳ କୋଭିଡ ଟୀକାକରଣ ବ୍ୟତୀତ ୯୦.୫ ପ୍ରତିଶତ ପୂର୍ଣ୍ଣ ଟୀକାକରଣ କରିବାରେ ଓଡିଶା ଦେଶର ଏକମାତ୍ର ରାଜ୍ୟ ହୋଇପାରିଛି । ରାଜ୍ୟର ୨୦ଟି ଜିଲ୍ଲା ପୂର୍ଣ୍ଣ ଟୀକାକରଣରେ ୯୦ପ୍ରତିଶତରୁ ଅଧିକ ଥିବାବେଳେ ୯୦ପ୍ରତିଶତରୁ କମ୍ ଟୀକାକରଣ ହାର ଥିବା ୧୦ଟି ଜିଲ୍ଲାକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ଟୀକାକରଣ ଯୁଗ୍ମ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଡା. ପ୍ରତିଭା ପ୍ରଧାନ, ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆର୍ ଆଇ ଡା. ଶଶୀଭୂଷଣ ପଣ୍ଡା, କେନ୍ଦୁଝରର ଏଡିପିଏଚ୍ଓ, ଏଫ୍ଡବ୍ଲ୍ୟୁ, ଡ଼ା. ପ୍ରଣତିନୀ ନାୟକ, କେନ୍ଦ୍ରାପଡାର ଏଡିପିଏଚ୍ଓ, ଏଫ୍ଡବ୍ଲ୍ୟୁ,ଡ଼ା. ସଚ୍ଚିଦାନନ୍ଦ ମିଶ୍ର, ଝାରସୁଗୁଡାର ଏଡିପିଏଚ୍ଓ, ଏଫ୍ଡବ୍ଲ୍ୟୁ, ଡା.଼ ସୁପ୍ରଭା ବାରିକ ଓ ୟୁନିସେଫ୍ର ଡା. ଅନିଲ୍ ପଟ୍ଟନାୟକଙ୍କ ସମେତ ୩ଟି ଜିଲ୍ଲାର ସାମ୍ବାଦିକମାନେ ଅଂଶଗ୍ରହଣ କରିଥିଲେ । ୟୁନିସେଫ୍ ଓଡିଶାର ଡା. ଅନିଲ୍ ପଟ୍ଟନାୟକ ଏହି ପ୍ୟାନେଲ ଆରମ୍ଭ କରି ପିଲାମାନଙ୍କ କ୍ଷେତ୍ରରେ ଟୀକାକରଣର ଗୁରୁତ୍ୱ ଓ ଏହି ବିଷୟରେ ସଚେତନ କରିବା ଦିଗରେ ଗଣମାଧ୍ୟମର ଭୂମିକା ସମ୍ପର୍କରେ କହିିଥିଲେ । କୋଭିଡ ମହାମାରୀ ସମୟରେ ଟୀକାକରଣକୁ ତ୍ୱରାନିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଆଲୋଚନା କରି, ରାଜ୍ୟ ଟୀକାକରଣ ଯୁଗ୍ମ ନିର୍ଦ୍ଦେଶକ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର, ଡା. ପ୍ରଧାନ, କହିଥିଲେ “କୋଭିଡ ପ୍ରତିବନ୍ଧକ ସତ୍ୱେ ରାଜ୍ୟ ସରକାର ନିୟମିତ ଟୀକାକରଣକୁ ଧ୍ୟାନ ଦେଇ ଆସୁଛନ୍ତି । ଯେତେବେଳେ ସ୍ୱାସ୍ଥ୍ୟ କର୍ମୀମାନେ କରୋନା କାର୍ଯ୍ୟରେ ବ୍ୟସ୍ତ ଥିଲେ, ସେତେବେଳେ ସ୍ୱତନ୍ତ୍ର ଟୀକାକରଣକାରୀଙ୍କୁ ବାହାରୁ ଅଣାଯାଇ ନିୟମିତ ଟୀକାକରଣ କରାଯାଉଥିଲା । କଣ୍ଟେନ୍ମେଣ୍ଟ ଜୋନ୍ରେ ପିଲାମାନଙ୍କ ପାଇଁ ମଧ ସ୍ୱତନ୍ତ୍ର ଟୀକାକରଣ ବ୍ୟବସ୍ଥା କରାଯାଇଥିଲା । ଏହି ସବୁକୁ ଆଧାର କରି ଓଡିଶା ପୂର୍ଣ୍ଣ ଟୀକାକରଣରେ ୯୦.୫ ପ୍ରତିଶତ ହାସଲ କରି ଦେଶରେ ଶ୍ରେଷ୍ଠ ହୋଇପାରିଛି । ୟୁନିସେଫ୍ ଓଡିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞ ଡା. ଅନିଲ୍ ପଟ୍ଟନାୟକ କହିଥିଲେ “ ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ହେଉଛି ବିଶ୍ୱର ସର୍ବବୃହତ ଟୀକାକରଣ କାର୍ଯ୍ୟକ୍ରମ ମଧ୍ୟରୁ ଅନ୍ୟତମ । ଏଥିରେ ଆମେ ପ୍ରାୟ ୩କୋଟି ଗର୍ଭବତୀ ମହିଳା ଏବଂ ୨.୭କୋଟି ନବଜାତ ଶିଶୁଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ରଖିଛୁ । ସେହିଭଳି ଓଡିଶାରେ ପ୍ରତିବର୍ଷ ପ୍ରାୟ ୯.୫ଲକ୍ଷ ଗର୍ଭବତୀ ମହିଳା ଏବଂ ୮ ଲକ୍ଷ ନବଜାତ ଶିଶୁଙ୍କୁ ଟୀକାକରଣ କରାଯାଏ । ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମ ଦ୍ୱାରା ୧୨ଟି ରୋଗ ଯଥା ଯକ୍ଷ୍ମା, ହେପାଟାଇଟିସ୍ ବି, ପୋଲିଓ, ଡିପଥେରିଆ, ପର୍ଟୁସିସ୍, ଟିଟାନାସ, ହେମୋ‘ିଲସ୍, ଡାଇରିଆ, ନିମୋକୋକାଲ, ମିଳିମିଳା, ଜର୍ମାନ ମିଳିମିଳା, ଜାପାନୀ ଜ୍ୱର ର ଚିକିତ୍ସା କରାଯାଇଥାଏ । ଗର୍ଭବତୀ ମହିଳା ଓ ପିଲାମାନେ ଏହି କାର୍ଯ୍ୟକ୍ରମର ହିତାଧିକାରୀ ଅଟନ୍ତି । କେନ୍ଦ୍ରାପଡାର ଟୀକାକରଣ ହାର ସ୍ଥିତିକୁ ନେଇ ଜିଲ୍ଲାର ଏଡିପିଏଚ୍ଓ, ଏଫ୍ଡବ୍ଲ୍ୟୁ, ଡା଼ ମିଶ୍ର କହିଥିଲେ ଲକ୍ଷ୍ୟ ହାସଲ କରିବା ପାଇଁ ବର୍ତ୍ତମାନ ନିୟମିତ ଟୀକାକରଣ ଦ୍ରୁତ ଗତିରେ ଚାଲିଛି ଏବଂ ଶୀଘ୍ର ଆମେ ସମସ୍ତ ହୀତାଧିକାରୀଙ୍କୁ ଟୀକାକରଣ କରିବୁ । କୋଭିଡ ଟୀକାକରଣରେ ପ୍ରଥମ ଡୋଜ୍ ଅତୁଳନୀୟ ସଫଳତା ହାସଲ କରିଛି । କିନ୍ତୁ ଦ୍ୱିତୀୟ ଡୋଜ୍ର କଭ୍ରେଜ୍ ହାର ପ୍ରାୟ ୮୫ ପ୍ରତିଶତ ରହିଥିବାରୁ, ଆମେ ‘ହର୍ ଘର୍ ଦସ୍ତକ୍’ ପଦକ୍ଷେପ ମାଧ୍ୟମରେ କଭ୍ରେଜ୍ ବୃଦ୍ଧି କରିବାକୁ ଯୋଜନା କରିଛୁ । ଆସନ୍ତା ୧୫ ଦିନ ମଧ୍ୟରେ ଟୀକାକରଣ ହାରକୁ ୯୦% ରୁ ଅଧିକ କରିବା ପାଇଁ ଚେଷ୍ଟା କରିବୁ । ଶିଶୁ ସ୍ୱାସ୍ଥ୍ୟ ପରିଚାଳକ ଆର୍ ଆଇ ଡା. ଶଶୀଭୂଷଣ ପଣ୍ଡା ସାମ୍ବାଦିକମାନଙ୍କୁ ଟୀକାକରଣ ଉପରେ ଅଧିକ ସଚେତନତା ପାଇଁ ଲେଖିବାକୁ ଅନୁରୋଧ କରିଥିଲେ କାରଣ ଟୀକାକରଣ ଯୋଗୁଁ ପୋଲିଓ, ମିଳିମିଳା ରୁବେଲା ଭଳି ଅନେକ ରୋଗ ଅଦୃଶ୍ୟ ହୋଇଯାଇଛି ।


