ଅଧାପନ୍ତରିଆ ଥିବା ଦୋବନ୍ଧା କେନାଲ କାର୍ଯ୍ୟ ସମ୍ପୂର୍ଣ୍ଣ ଦାବି

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜଳସେଚନ ଡିଭିଜନର ଅଧୀକ୍ଷଣଯନ୍ତ୍ରୀଙ୍କୁ କେନ୍ଦ୍ରାପଡା ବ୍ଲକ ଅଧିନ ଗାଙ୍ଗପଡା ପଞ୍ଚାୟତର ଦୋବନ୍ଧା ମୌଜା(ସୋବଳା) ଗ୍ରାମର ଅଧିବାସୀ ମାନେ ଗାଙ୍ଗପଡା ପଞ୍ଚାୟତର ଯୁବସମାଜସେବୀ ଅସିତବନ୍ଧୁ ଧଳଙ୍କ ନେତୃତ୍ୱରେ ଭେଟି ଦୋବନ୍ଧା ଗ୍ରାମରେ ଥିବା ଜଳସେଚନ ବିଭାଗର ଅସମ୍ପୂର୍ଣ୍ଣ କେନାଲକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରି ଚାଷଜମିକୁ ଜଳସେଚିତ କରିବା ପାଇଁ ଦାବି କରିଛନ୍ତି। ସେମାନଙ୍କ ଦାବି ଅନୁଯାୟୀ ଦୋବନ୍ଧା ଗ୍ରାମର ପ୍ଲଟ ନଂ-୧୨୬୦ ରକବା ଏ୨.୭୩୮ଏକର ମଧ୍ୟରୁ ଏ୧.୧୦୮ ହେକ୍ଟର ଜମି ଚାଷୀଭାଇ ମାନେ କେନାଲ ପାଇଁ ପ୍ରଦାନ କରିଛନ୍ତି ଯାହା ନକ୍ସାରେ ସ୍ଥାନିତ ଅଛି। କିନ୍ତୁ ଯେଉଁ ଚାଷୀଭାଇ ମାନେ କେନାଲ ନିମନ୍ତେ ଜମି ପ୍ରଦାନ କରିଥିଲେ ସେମାନଙ୍କ ଚାଷଜମି ଜଳସେଚିତ ହୋଇପାରିନାହିଁ। ପ୍ରକାଶ ଥାଉକି ୨୦୧୭-୧୮ ମସିହାରେ ତତ୍କାଳୀନ ବିଧାୟକ କିଶୋର ଚନ୍ଦ୍ର ତରାଇ ଏବଂ ତତ୍କାଳୀନ କେନ୍ଦ୍ରାପଡ଼ା ବ୍ଲକ ଅଧ୍ୟକ୍ଷ ଦିବଂଗତ ଅନାମବନ୍ଧୁ ଧଳଙ୍କ ଆପ୍ରାଣ ଉଦ୍ୟମରେ ତଥା ଗ୍ରାମବାସିଙ୍କ ସହଯୋଗରେ ଜଳସେଚନ ବିଭାଗ ପକ୍ଷରୁ ୨୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅଧା ରହିଥିବା କେନାଲ କାର୍ଯ୍ୟ ଆରମ୍ଭ କରାଯାଇଥିଲା। କିନ୍ତୁ ନକ୍ସା ହିସାବରେ ଯେପର୍ଯ୍ୟନ୍ତ ପହଞ୍ଚିବା କଥା ସେଠାରେ ପହଞ୍ଚି ପାରି ନାହିଁ ବରଂ ଅସମ୍ପୂର୍ଣ ହୋଇ ରହିଅଛି।ଗ୍ରାମବାସୀଙ୍କ ପକ୍ଷରୁ ଏସମ୍ପର୍କରେ ପୂର୍ବରୁ ବାରମ୍ବାର ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ। ତେଣୁ ଏଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ଚାଷୀମାନଙ୍କ ସମୂହ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ଦାବି କରାଯାଇଛି। ବର୍ତ୍ତମାନ ରାଜ୍ୟ ସରକାର ଜଳସେଚନ ଉପରେ ଗୁରୁତ୍ୱାରୋପ କରୁଥିବାରୁ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ଅଧାପନ୍ତରିୟା ରହିଥିବା କେନାଲକୁ ସମ୍ପୂର୍ଣ କରାଇ ଚାଷୀ ଭାଇମାନଙ୍କ କୃଷି କ୍ଷେତ୍ରକୁ ଜଳସେଚନର ସୁବ୍ୟବସ୍ତା କରାଯିବାକୁ ଦାବି କରାଯାଇଥିଲା। ଦାବିପତ୍ର ପ୍ରଦାନ ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଶାନ୍ତ କୁମାର ପରିଡା, ସୈାମେନ୍ଦୁ ପରିଡା, ଧରଣୀଧର ସାହୁ, ବିଭୂପ୍ରସାଦ ପରିଡା, ବାବାଜୀ ଚରଣ ସାହୁ, କୈଳାସ ଚନ୍ଦ୍ର ପରିଡା, ପ୍ରଦୀପ ପରିଡା, ଭଗବାନ ଧଳ, ବାବୁରାମ ରାଉତ, ଯୋଗେନ୍ଦ୍ର ସାହୁ, ଗଜେନ୍ଦ୍ର ସାହୁ, ଅମୁଲ୍ୟ କୁମାର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ