ଶିକ୍ଷକ ନେତା ଦିବାକର ଜେନାଙ୍କୁ ଅଶ୍ରୁଳ ବିଦାୟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ବିଶିଷ୍ଟ ଶିକ୍ଷକ ନେତା ଦିବାକର ଜେନାଙ୍କର ୭୫ବର୍ଷ ବୟସରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡ଼ାସ୍ଥିତ ବାସଭବନରେ ସୋମବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ଜେନା ସ୍ଥାନୀୟ ବଗଡା ହାଇସ୍କୁଲରୁ ଶିକ୍ଷକତା ଜୀବନ ଆରମ୍ଭ କରି ପରବର୍ତ୍ତୀ ସମୟରେ ଭରତପୁର ପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲ ବାହାଦୂର ଉଚ୍ଚ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ଭାବେ ଅବସର ଗ୍ରହଣ କରିଥିଲେ । ଜଣେ ଛାତ୍ରବତ୍ସଳ ଓ ସୁନାମଧନ୍ୟ ଶିକ୍ଷକ ଭାବେ ପରିଚିତି ହାସଲ କରିଥିବା ସ୍ୱର୍ଗତ ଜେନା ଶିକ୍ଷକ ଆନ୍ଦୋଳନର ନେତୃତ୍ୱ ନେଇ ଜିଲ୍ଲା ଓଷ୍ଟାର ସମ୍ପାଦକ ଭାବେ ବହୁ ବର୍ଷ ଧରି ଦାୟୀତ୍ୱ ବହନ କରିଥିଲେ । ଶିକ୍ଷକତା ସହିତ ଜିଲ୍ଲାରେ କ୍ରୀଡା, ଶିକ୍ଷା ବିକାଶ ଓ ସାମାଜିକ ଆନ୍ଦୋଳନର ନେତୃତ୍ୱ ନେଇ ସେ ବହୁବିଧ କାର୍ଯ୍ୟ ସମ୍ପାଦନ କରିଥିଲେ । ସ୍ୱର୍ଗତ ଜେନାଙ୍କ ବହୁମୁଖୀ ପ୍ରତିଭାକୁ ସମ୍ମାନ ସ୍ୱରୂପ ବହୁ ଅନୁଷ୍ଠାନ ପକ୍ଷରୁ ସେ ସମ୍ବର୍ଦ୍ଧନା ପ୍ରାପ୍ତ ହୋଇଛନ୍ତି । ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ବାସଭବନ ସମ୍ମୁଖ ରାସ୍ତାଟି ଲୋକାରଣ୍ୟ ହୋଇଯାଇଥିଲା । ବିଶିଷ୍ଟ ସମାଜସେବୀ ଭଜକୃଷ୍ଣ ରାଉତ, ଅଧ୍ୟାପକ ଅଜୟ ସାମଲ, ବ୍ରଜ କିଶୋର ବିଶ୍ୱାଳ, ପୂର୍ବତନ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ଡଃ. ବାସୁଦେବ ଦାସ, ଆଦିକନ୍ଦ ରାଉଳ, ରମଣୀରଞ୍ଜନ ରାଉତରାୟ, ତ୍ରୈଲୋକ୍ୟ ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ସ୍ଥାନୀୟ ସରପଞ୍ଚ ସୁବନୀ ସାହୁ, ଶୁଭାଂଶୁ ଦାସ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ମର ଶରୀରରେ ମାଲ୍ୟାର୍ପଣ କରି ଶେଷଦର୍ଶନ କରିଥିଲେ । ଏହାପରେ ମରଶରୀରକୁ ଗ୍ରାମ ପରିକ୍ରମା କରି ମେହେନ୍ଦିପୁରସ୍ଥିତ ତାଙ୍କ କର୍ମକ୍ଷେତ୍ର ଥିବା ଉଚ୍ଚ ବିଦ୍ୟାଳୟକୁ ନିଆଯାଇଥିଲା । ସେଠାରେ ଲାଲ ବାହାଦୂର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସ, ଭରତପୁର ସରପଞ୍ଚ ନିଳାମ୍ବର ମଳିକ, ପ୍ରତାପ ଚନ୍ଦ୍ର ବିଶ୍ୱାଳ, ଅକ୍ଷୟ କୁମାର ମନ୍ତ୍ରୀ, ପୂର୍ବତନ ସରପଞ୍ଚ ଜୀନତ ପ୍ରିୟଦର୍ଶିନୀ ରାଉତ, ଶ୍ରୀଧର ଭୋଳ, ଶାରଦା ପ୍ରସନ୍ନ ରାଉତ, ବିଜୟ କୁମାର ଦାସ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ଶେଷଦର୍ଶନକରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ଗ୍ରାମ୍ୟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟେଷ୍ଠପୁତ୍ର ଇଂ ସ୍ମୃତିରଞ୍ଜନ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତ ଜେନାଙ୍କ ବିୟୋଗରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା, ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ, ଜିଲ୍ଲା ପରିଷଦ ସଭାପତି ଗୀତାଞ୍ଜଳି ସେଠୀ, ପ୍ରାକ୍ତନ ଶିକ୍ଷାଧିକାରୀ କାଶିନାଥ ରାଉତରାୟ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ