କୁଅଁରପୁରରେ ଆୟୁଷ ଗ୍ରାମ ଉଦଘାଟିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ଜାତୀୟ ଆୟୁଷ ମିଶନ ଏବଂ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ସହଯୋଗରେ ସଦର ବ୍ଲକ ଅନ୍ତର୍ଗତ ରସାଳପୁର ପଞ୍ଚାୟତରେ ‘ଆୟୁଷ ଗ୍ରାମ’ ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କୁଅଁରପୁର ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଆୟୁଷ ଗ୍ରାମ ପ୍ରକଳ୍ପକୁ ଉଦଘାଟନ କରିଥିଲେ । ଆୟୁର୍ବେଦ ଚିକିତ୍ସା କେବଳ ଔଷଧିୟ ଚିକିତ୍ସା ପ୍ରଣାଳୀ ନୁହେଁ ବରଂ ନିରୋଗ ତଥା ସୁସ୍ଥ ଜୀବନ ଯାପନର ଏହା ଏକ ମାର୍ଗ ଅଟେ ବୋଲି ବୋଲି ସେ ମତ ପ୍ରକାଶ କରିଥିଲେ । ରେମୁଣା ବିଧାୟକ ସୁଧାଂଶୁ ଶେଖର ପରଡ଼ା ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଆୟୁଷ ଗ୍ରାମ ପ୍ରତିଷ୍ଠାକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକଙ୍କ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହା ବେଶ ସହୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ସଦର ବିଧାୟକ ସ୍ୱରୂପ କୁମାର ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁର୍ବେଦର ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲା ପରିଷଦ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପ୍ରଧାନ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା, ପୂର୍ବତନ ବ୍ରିଟ ଅଧ୍ୟକ୍ଷ ଗୋରୀ ରାଉତ, ଜିଲା ପରିଷଦ ସଦସ୍ୟା ବନଲତା ସେଠୀ, ରସାଳପୁର ସରପଞ୍ଚ ହରିପଦ ବେହେରା ଓ ଜିଲା ହୋମିଓପାଥିକ ଚିକିତ୍ସାଧିକାରୀ ଡାକ୍ତର ପ୍ରେମଲତା ବେହେରା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆୟୁଷ ଗ୍ରାମ ପ୍ରତିଷ୍ଠାର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କରେ ଆଲୋଚନା କରିଥିଲେ । ଜିଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ଡାକ୍ତର ବୈକୁଣ୍ଠନାଥ ମଲ୍ଲିକ ଏଥିରେ ପୌରହିତ୍ୱ କରିଥିବା ବେଳେ ଆୟୁର୍ବେଦ କାର୍ଯ୍ୟାଳୟର ବରିଷ୍ଠ କର୍ମଚାରୀ ହିମାଂଶୁ ଶେଖର ଦାସ ଆୟୁଷ ଗ୍ରାମ ବିବରଣୀ ଉପସ୍ଥାପନ କରିଥିଲେ । ଅଧ୍ୟାପକ ଡ. ଦିଲୀପ ରଥ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଯୋଗ ଓ ପ୍ରାଣାୟମର ପ୍ରଦର୍ଶିତ ହୋଇଥିଲା । ପ୍ରାରମ୍ଭରେ କୁଅଁରପୁର ଗ୍ରାମସ୍ଥିତ ହୋମିଓପାଥିକ ଚିକିତ୍ସାଳୟ ପରିସରରେ ଔଷଧିୟ ବୃକ୍ଷ ରୋପଣ ସହିତ ଗ୍ରାମବାସୀମାନଙ୍କୁ ବିଭିନ୍ନ ଔଷଧିୟ ଚାରା ବଣ୍ଟନ କରାଯାଇଥିଲା । ଏଥି ସହିତ ଆୟୁଷ ବିଭାଗ ପକ୍ଷରୁ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା ।