ଶିଶୁ ଶ୍ରମିକ ଓ ବାଲ୍ୟ ବିବାହକୁ ରୋକିବା ସମ୍ବନ୍ଧରେ କର୍ମଶାଳା
ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଞ୍ଜାମ ଜିଲ୍ଲାରେ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହକୁ ରୋକିବା ସମ୍ବନ୍ଧରେ ଛତ୍ରପୁର ସ୍ଥିତ ସମଗ୍ର ଶିକ୍ଷା ଅଭିଯାନ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍ ଯୋଗଦେଇ କର୍ମଶାଳାକୁ ଉଦ୍ଘାଟନ କରିବା ସହ ଅନ୍ଧବିଶ୍ୱାସ, ସାମାଜିକ ଓ ପାରମ୍ପରିକ ଚଳଣିରେ ବଶବର୍ତ୍ତୀ ହୋଇ କିମ୍ବା ଝିଅକୁ ବୋଝ ଭାବି ଲୋକେ କନ୍ୟା ବା ପୁତ୍ରଙ୍କୁ ବାଲ୍ୟ ଅବସ୍ଥାରେ ବିବାହ କରିଥାନ୍ତି । ୧୮ ବର୍ଷରୁ କମ୍ ବସୟର ଝିଅ ଓ ୨୧ ବର୍ଷରୁ କମ ବୟସର ପୁଅର ବିବାହ ବାଲ୍ୟ ବବିାହ ନିରୋଧ ଅଧିନିୟମ, ୨୦୦୬ ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ । ଏଣୁ ଏଥିରେ ନିବୃତ୍ତ ରହିବା ଲାଗି ଜିଲ୍ଲାର ବିଭିନ୍ନ ଗାଁ ଗଣ୍ଡାରେ ବ୍ୟାପକ ସଚେତନତା ଆବଶ୍ୟକ ରହିଛି । ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ସଂଗଠନର ଉଦ୍ୟମରୁ ଆମ ଗଞ୍ଜାମ ଜିଲ୍ଲା ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଘୋଷିତ ହୋଇଛି । ଏହାକୁ ଜାରି ରଖିବା ଲାଗି ସମସ୍ତଙ୍କ ପ୍ରୟାସ ରହିବ । ସେହିପରି ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତି ସାବଧାନ । ଯଦି କୌଣସି ବ୍ୟକ୍ତି ୧୪ ବର୍ଷରୁ କମ୍ ବୟସର ପିଲାଙ୍କୁ କାମରେ ନିୟୋଜିତ କରିଛନ୍ତି କିମ୍ବା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦସଙ୍କୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ କରିଛନ୍ତି ତେବେ ଅବିଳମ୍ବେ ନିଜ ଜିଲ୍ଲାର ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାନ୍ତୁ । ଏତଦ୍ ବ୍ୟତୀତ, ନିଶୁକ୍ଲ ଶ୍ରମିକ ସହାୟତା ହେଲପଲାଇନ୍ ନମ୍ବର ୧୫୫୩୭୮ ଏବଂ ଚାଇଲଡ୍ ଲାଇନ୍ ନମ୍ବର ୧୦୯୮କୁ ଯୋଗାଯୋଗ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଖେସ୍ କହିଛନ୍ତି । ସୁରକ୍ଷା ଅଧିକାରୀ ଶରତ ଚନ୍ଦ୍ର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଚାଇଲଡ୍ ଲାଇନ୍ର ନିର୍ଦ୍ଦେଶକ ସୁଧୀର ସାବତ, ଜିଲ୍ଲା ଶିକ୍ଷାଧିକାରୀ ବିନିତା ସେନାପତି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ପ୍ରମୁଖ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ରୋକିବା ସଂପର୍କରେ ଗୁରୁତ୍ୱାରୋପ କରିଥିଲେ । ସେହିପରି ବ୍ରହ୍ମପୁର ଶ୍ରମ ଅଧିକାରୀ ବାବୁ ଚରଣ ପାତ୍ର, ଛତ୍ରପୁର ଶ୍ରମ ଅଧିକାରୀ ନରେନ୍ଦ୍ର କୁମାର ଗାଇପାଇ ଏବଂ ନିର୍ଭୟ କଢ଼ି ଜିଲ୍ଲା ପ୍ରୋଗ୍ରାମ ଅଧିକାରୀ ଦେବବ୍ରତ ମାହୁନ୍ତ ଶୁଶୁ ଶ୍ରମିକ ଓ ବାଲ୍ୟ ବିବାହ ରୋକିବା ସମ୍ବନ୍ଧରେ ତଥ୍ୟ ପ୍ରଦାନ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟର ସଂଯୋଜକ ଶିବପ୍ରସାଦ ରଥ କର୍ମଶାଳାରେ ପଞ୍ଜୀକରଣ କରିଥିବା ବେଳେ ସୁଦାମ ପାଣିଗ୍ରାହୀ, ସୁଶାନ୍ତ କୁମାର ସାହୁ ସୁଜିତ୍ ସାହୁ ଓ କାମେଶ୍ୱର ପରିଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


